ପାର୍ସଲ ବୋମା ବିସ୍ଫୋରଣ ଉପରେ ଚଳଚ୍ଚିତ୍ର ନିର୍ମାଣକୁ ବିରୋଧ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୁଞ୍ଜିଲାଲଙ୍କ ପତ୍ନୀ, ଓଏଫ୍‌ଡିସି ଓ ପ୍ରଯୋଜକଙ୍କୁ ନୋଟିସ୍

କଟକ: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେରଙ୍କ ଆବେଦନ ଉପରେ ଆଜି ଶୁଣାଣି ହୋଇଛି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ଓଡ଼ିଶା ଫିଲ୍ମ‌ ଡେଭେଲପମେଣ୍ଟ କର୍ପୋରେସନ୍(ଓଏଫ୍‌ଡିସି) ଓ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାରେ ରାଜ୍ୟ ସରକାର, ଓଏଫ୍‌ଡିସି, ଶ୍ରୀଧର ମାର୍ଥା ଓ ରେଞ୍ଜ ରୟାଲ ସିନେଲ୍ୟାବକୁ ପକ୍ଷଭୁକ୍ତ କରାଯାଇଛି। ପୁଞ୍ଜିଲାଲଙ୍କ ବିରୋଧରେ ଅଦାଲତରେ ମାମଲା ବିଚାରାଧୀନ ରହିଛି ଏବଂ ମାମଲାର ଶୁଣାଣି ସରି ନ ଥିବା ବେଳେ ଏହି ପ୍ରସଂଗକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଶ୍ରୀମତୀ ବେହେରା ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮, ଫେବ୍ରୁଆରି ୨୩ରେ ବଲାଙ୍ଗୀର ପାଟଣାଗଡ଼ ଅଂଚଳର ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଉପହାରରେ ମିଳିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟଶେଖରଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଦୀର୍ଘ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ରୀମା ଘରକୁ ଫେରିଥିଲେ। ଏହି ଘଟଣା ସେତେ‌ବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତେବେ ଏଭଳି ଏକ ଚର୍ଚ୍ଚିତ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ‌ଗତବର୍ଷ ଯୋଜନା ହୋଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ନେଇ ଓଡ଼ିଆ ତଥା ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ରେଞ୍ଜ ରୟାଲ ସିନେ ଲାବ୍‌ ପକ୍ଷରୁ ଚଳଚ୍ଚିତ୍ରର ପ୍ରଯୋଜକ ଶୀଧର ମାର୍ଥା ହୋଇଥିବା ବେଳେ ନିର୍ଦ୍ଦେଶନା ଦା‌ୟିତ୍ବ ନେଇଥିଲେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭର‌୍‌। ଚଳଚ୍ଚିତ୍ରରେ ପୁଞ୍ଜିଲାଲ ଚରିତ୍ରରେ ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତାଙ୍କୁ ଦେଖିବାକୁ ମିଳିବ ‌ବୋଲି ଚର୍ଚ୍ଚା ହୋଇଥିଲା। ଫିଲ୍ମ ସୁଟି˚ ଓଡ଼ିଶା ସମେତ ବେଙ୍ଗାଲୁରୁ, ହାଇଦ୍ରାବାଦରେ କରାଯିବ ବୋଲି ଯୋଜନା ହୋଇଥିଲା। ହେଲେ ପାର୍ସଲ ବୋମା ବିସ୍ଫେ‌ାରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ପରିବାର ପକ୍ଷରୁ ମଧ୍ୟ ଚଳଚ୍ଚିତ୍ର ନିର୍ମାଣକୁ ବିରୋଧ କରାଯାଇଥିଲା। ଏବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ନୋଟିସ୍‌ ଜାରି ହେବା ଘଟଣା ଚଳଚ୍ଚିତ୍ର ନିର୍ମାଣକୁ ଅନିଶ୍ଚିତତା ଘେରକୁ ଟାଣି ନେଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର