କଟକ : ବରିଷ୍ଠ କଂଗ୍ରେସ ନେତା ତଥା ଚଳଚ୍ଚିତ୍ର ପ୍ରଯୋଜକ କେଶବ ଚନ୍ଦ୍ର ରାଉତ ଆଉ ନାହାନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ୬୫ ବର୍ଷ ବୟସରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଖାଉଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ପକ୍ଷରୁ ତୁରନ୍ତ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କ ପରଲୋକ ଘଟିଥିଲା। ଶେଷ ଶଯ୍ୟା ନିକଟରେ ପତ୍ନୀ ମୀନା ରାଉତ, ପୁଅ ରଶ୍ମିରଞ୍ଜନ ରାଉତ, ସ୍ମୃତିରଞ୍ଜନ ରାଉତ, ଝିଅ ସସ୍ମିତା, ପୁଷ୍ପିତା, ଇତିଶ୍ରୀ, ଜ୍ବାଇଁ ସୁରଜ ନାୟକ, ପ୍ରମୋଦ ସାହୁ, ରାଜା ରାଉତ, ସାନ ଭାଇ ରମେଶ ରାଉତ, କିଶୋର ରାଉତଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ଜଣାପଡ଼ିବା ପରେ ଶଙ୍କରପୁର ପରିଡ଼ାସାହି ବାସଭବନକୁ ଶୁଭେଚ୍ଛୁଙ୍କର ସୁଅ ଛୁଟିଥିଲା।
ପରଲୋକ ଖବର ପାଇ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ୍, ସାଂସଦ ଅନୁଭବ ମହାନ୍ତି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କଂଗ୍ରେସ ନେତା ସୁରେଶ ମହାପାତ୍ର, ପୁଷ୍ପା ସାମଲ, ଗୁରୁପଦ ନନ୍ଦ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ରବି ମଲ୍ଲିକ, ପୂର୍ବତନ କର୍ପୋରେଟର ଧର୍ମାନନ୍ଦ ପାତ୍ର, ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ସଭାପତି ପ୍ରମୋଦ ପାତ୍ର, ଯୁଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ପରିଡ଼ା, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ପ୍ରଯୋଜକ ସଞ୍ଜୟ ନାୟକ, ବିନୟ ନାୟକ, ଆଇନଜୀବୀ ନାରାୟଣ ଜେନା, ଆଇନଜୀବୀ ଇଂ ଆକାଶ ଭୂୟାଁ, ବିଭୁ ମହାପାତ୍ର, ଶଙ୍କରପୁର ଗ୍ରାମ ଅଧିକାରୀ ସୁରେଶ ଚନ୍ଦ୍ର ବାରିକ, ବିଜୟ କୁମାର ନନ୍ଦ, ଶଙ୍କରପୁର ଯୁବକ ସଂଘ ସଭାପତି ସର୍ବେଶ୍ବର ବାରିକ, କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ବିଶ୍ବାଳ, ସଂପାଦକ ରଶ୍ମିରଞ୍ଜନ ପ୍ରଧାନ, ଉପସଭାପତି ସଞ୍ଜୟ ପରିଡ଼ାଙ୍କ ସମେତ ଶଙ୍କରପୁର ବିଭିନ୍ନ ସାହିର ମୁରବିମାନେ ପରିଡ଼ାସାହିସ୍ଥିତ ବାସଭବନରେ ସ୍ବର୍ଗତ ରାଉତଙ୍କ ଶେଷ ଦର୍ଶନ କରିଥିଲେ।
ସ୍ବର୍ଗତ ରାଉତ ୧୯୫୫ ମସିହାରେ କଟକ ଶଙ୍କରପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ଙ୍କ ନାମ ଲକ୍ଷ୍ମୀ ରାଉତ ଓ ବାପାଙ୍କ ନାମ ଅର୍ଜୁନ ରାଉତ। ପିଲାବେଳୁ ସମାଜସେବା ଓ ରାଜନୀତିରେ ରୁଚି ରଖିଥିବା ସ୍ବର୍ଗତ ରାଉତ କଟକ ମ୍ୟୁନିସିପାଲିଟିର ତିନି ତିନି ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ଏହା ବ୍ୟତୀତ ସେ ଓଡିଶା ନିର୍ମାଣ ନିଗମ(ଓସିସି)ର ଅଧ୍ୟକ୍ଷ, ରାଷ୍ଟ୍ରଭାଷା ପ୍ରଚାର ସମିତି ସଭାପତି, ବାରବାଟୀ ହାଉସିଂ କୋ-ଅପରେଟିଭ୍ ସୋସାଇଟି ବୋର୍ଡ ମେମ୍ବର, ପିସିସି ସଂପାଦକ, ଓଡ଼ିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘ ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ପଦ ମଣ୍ଡନ କରିଥିଲେ।
‘ସୁନା ଚଢ଼େଇ’, ‘ସୁନା ସଂସାର’, ‘ସୁନା ହରିଣୀ’, ‘ଭୀଷ୍ମ ପ୍ରତିଜ୍ଞା’ ଭଳି ବହୁ ହିଟ୍ ଓଡ଼ିଆ ଚଳଚ୍ଚିତ୍ର, ବଙ୍ଗଳା ଚଳଚ୍ଚିତ୍ର ‘ଜୀବନ ସଂଗୀ’ ସମେତ ‘ଛ ମାଣ ଆଠ ଗୁଣ୍ଠ’, ‘କା’ ଭଳି ଅନେକ ଓଡ଼ିଆ ଧାରାବାହିକ ପ୍ରଯୋଜନା କରି ସେ ଖ୍ୟାତି ହାସଲ କରିଥିଲେ। ଆଜି ଅପରାହ୍ଣରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ପୁରୀ ନିଆଯାଇ ସ୍ବର୍ଗ ଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ରଶ୍ମିରଞ୍ଜନ ମୁଖାଗ୍ନି ଦେଇଥିଲେ।
ବିଭିନ୍ନ ମହଲରେ ଶୋକ
ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ରାଉତଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ସେହିପରି ସିନେ ପ୍ରଯୋଜକଙ୍କ ବିୟୋଗରେ ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍ର ସଭାପତି ପ୍ରଦୋଷ ପଟ୍ଟନାୟକ ଏବଂ ସମ୍ପାଦକ ଦିଲ୍ଲୀପ ହାଲି ଶୋକ ପ୍ରକାଶ କରିଛନ୍ତି।