ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତଙ୍କ ଜାମିନ ଉପରେ ଯୁକ୍ତି ଉପସ୍ଥାପନ ଶେଷ

କଟକ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଶେଷ ହୋଇଛି। ଆସନ୍ତା ୨୨ରେ ମାମଲା ସଂପର୍କିତ ଦସ୍ତାବିଜ ଦାଖଲ କରିବା ପାଇଁ ସିବିଆଇକୁ ନିର୍ଦେଶ ଦିଆଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀକାନ୍ତଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଆଇନଜୀବୀ ସୁରେଶ ତ୍ରିପାଠୀ ଓ ସିବିଆଇ ପକ୍ଷରୁ ଏଏସଜି ଅନୁପ ବୋଷ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରୋଜଭ୍ୟାଲି ଠକେଇ ମାମଲାରେ ସିବିଆଇ କୋଲକାତାରୁ ଶ୍ରୀକାନ୍ତଙ୍କୁ ଗତ ଜାନୁଆରି ୨୫ରେ ଗିରଫ କରିଥିଲେ। ରୋଜଭ୍ୟାଲି ଟେଲିଭିଜନ ଚାନେଲ ଓ ଶ୍ରୀକାନ୍ତଙ୍କ ସଂସ୍ଥା ମଧ୍ୟରେ କେତେକ ଚଳଚ୍ଚିତ୍ରର ପ୍ରସାରଣ ଅଧିକାର ପ୍ରଦାନ ନେଇ ୨୦୧୦ରେ ବୁଝାମଣା ହୋଇଥିବା ବେଳେ ଏହି ବାବଦରେ କୋଟି କୋଟି ଟଙ୍କା ଶ୍ରୀକାନ୍ତଙ୍କ ଆକାଉଣ୍ଟକୁ ଯାଇଥିଲା। ପରବର୍ତ୍ତୀ ସମୟରେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଗିରଫ ହେବା ପରେ ଏହି ବୁଝମାଣ ଅନୁସାରେ ରୋଜଭ୍ୟାଲି ଚାନେଲକୁ ପ୍ରଦାନ କରାଯାଇଥିବା ଚଳଚ୍ଚିତ୍ର ପ୍ରସାରଣ ଅଧିକାରର ସଂଖ୍ୟାକୁ ନେଇ ବିବାଦ ଦେଖା ଦେଇଥିଲା। ଗୌତମ ଯେଉଁ ସଂଖ୍ୟା କହିଥିଲେ ତାହା ଶ୍ରୀକାନ୍ତ ପ୍ରଦାନ କରିଥିବା ତଥ୍ୟ ସହିତ ତାଳମେଳ ଖାଇ ନଥିଲା। ଶ୍ରୀକାନ୍ତଙ୍କୁ ସିବିଆଇ ପୂର୍ବରୁ ପଚରା ଉଚୁରା କରିଥିବା ବେଳେ ସେ ତଦନ୍ତରେ ସହଯୋଗ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ସିବିଆଇ ତାଙ୍କୁ କୋଲକାତାରୁ ଗିରଫ କରି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ସିଜେଏମ୍ ଅଦାଲତରେ ହାଜର କରିିଥିଲା।

ସମ୍ବନ୍ଧିତ ଖବର