ସହିଦ ଦିବସରେ ରେଣ୍ଡୋ ମାଝୀ ଚଳଚ୍ଚିତ୍ରର ଶୁଭ ମୁହୁରତ୍

ଭବାନୀପାଟଣା :  ଭାରତୀୟ ସ୍ୱାଧୀନତା ସଂଗ୍ରାମର  କଳାହାଣ୍ଡି ଓ କନ୍ଧମାଳର ସୀମାନ୍ତ ଅଞ୍ଚଳର ଆଦିବାସୀ ଯୋଦ୍ଧା ରେଣ୍ଡୋ ମାଝୀଙ୍କୁ ନେଇ ଆର୍‌ବିଏସ୍‌ପି ଫିଲ୍ମସ୍ ତରଫରୁ ହେବାକୁ ଥିବା ଏକ ଚଳଚ୍ଚିତ୍ରର ଶୁଭ ମୁହୁରତ୍‌ ହୋଇଯାଇଛି। ରେଣ୍ଡୋ ମାଝୀଙ୍କ ତିରୋଧାନ ଦିବସ ତଥା ସହିଦ ଦିବସ ଅବସରରେ ଅନୁଷ୍ଠିତ ଏହି ଶୁଭ ମୁହୁରତ୍‌ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଭବାନୀପାଟଣା ଜେଲ ଛକଠାରେ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ଶୁଭକାର୍ଯ୍ୟ ସମ୍ପାଦନ କରିଥିଲେ।

ଚଳଚ୍ଚିତ୍ରର ନିର୍ଦେଶକ ଅମରେଶ ଜେନା, ପ୍ରଯୋଜକ ବିଭୁ ପ୍ରସାଦ ରାଉତ, ସଂଳାପ ଲେଖକ ପରମେଶ୍ୱର ମୁଣ୍ଡ, ମୁଖ୍ୟ ସହ ନିର୍ଦ୍ଦେଶକ କ୍ଷୀରସାଗର ନାଗ, ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, ବିଶିଷ୍ଟ ଅଭିନେତା ଅବଦୁଲ କାଦିର, ଯୁବ କଳାକାର ରାମେଶ୍ୱର ତ୍ରିପାଠୀଙ୍କ ସମେତ ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବଲିଉଡ ଅଭିନେତା ମନୋଜ ମିଶ୍ର ଚଳଚ୍ଚିତ୍ରର ମୁଖ୍ୟ ନାୟକ ଭୂମିକାରେ ରହିଥିବା ବେଳେ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବଲିଉଡ଼ ଅଭିନେତା ଜଗନ୍ନାଥ ସେଠ ସହନାୟକ ଏବଂ ଅଭିନେତ୍ରୀ ଜୟା ବିଶ୍ୱାସ ନାୟିକା ଭୂମିକାରେ ଏବଂ ବଲିଉଡ଼ର ମିର୍ଜାପୁର -୨ର ଖ୍ୟାତନାମା କ୍ୟାମେରା ନିର୍ଦେଶକ ଅକ୍ସି- ବି. ଅନିଲ ଅବତୀର୍ଣ୍ଣ ହେଉଥିବା କଥା ନିର୍ଦେଶକ ଜେନା ଘୋଷଣା କରିଛନ୍ତି। ରେଣ୍ଡୋ ମାଝୀଙ୍କ ସମ୍ପୂର୍ଣ୍ଣ ଜୀବନୀ ଉପରେ ଆଧାରିତ ନହୋଇ  କିଂବଦନ୍ତି, ଜନଶ୍ରୁତି ଆଧାରରେ ଚଳଚ୍ଚିତ୍ରଟି ଏକ ଫିକ୍ସସନ ରୂପରେ ମୁକ୍ତିଲାଭ କରିବ ବୋଲି  ମଧ୍ୟ ଏହାର ଗବେଷକ ପରମେଶ୍ୱର ମୁଣ୍ଡ ସୂଚନା ଦେଇଛନ୍ତି। କାହାଣୀରେ ୧୭୦ ବର୍ଷ ତଳର ଆଦିବାସୀ ଜୀବନଚର୍ଯ୍ୟାର ସଂସ୍କୃତି,  ଜୀବନଧାରାକୁ ସମ୍ମାନର ସହ ସ୍ଥାନୀତ କରାଯାଇଥିବା କଥା ମଧ୍ୟ ନିର୍ଦେଶକ ଓ ଲେଖକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର