ପୁରୀ : ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୩-୨୪ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟ ପଡ଼ୁଛି। ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ। ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ। ମେ’ ୧୨ରେ ଭଉଁରୀ ଯାତ୍ରା ପରେ ଜୁନ୍ ୪ରେ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଜୁନ ୨୦ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।
ଅନ୍ୟ ନୀତିକାନ୍ତି ଉପରେ ନଜର ପକାଇଲେ, ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ୧୫ରେ ରାମାଭିଷେକ, ୨୦ରେ ଋକ୍ମିଣୀ ଅମାବାସ୍ୟା, ୨୮ରେ ନୀଳାଦ୍ରି ମହୋଦୟାଷ୍ଟମୀ, ମେ’ ୧ରେ ମୋହିନୀ(ଶମ୍ଭୁ) ଏକାଦଶୀ, ୪ରେ ନୃସିଂହ ଜନ୍ମ, ୧୫ରେ ଜଳକ୍ରୀଡ଼ା(ଶମ୍ଭୁ) ଏକାଦଶୀ, ୧୯ରେ ସାବିତ୍ରୀ ଅମାବାସ୍ୟା, ୨୫ରେ ଶୀତଳ ଷଷ୍ଠୀ, ୩୦ରେ ରାଜେନ୍ଦ୍ରାଭିଷେକ ନୀତି, ୩୧ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ଜୁନ ୧ରେ ଚମ୍ପକ ଦ୍ବାଦଶୀ, ୨ରେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି, ୩ରେ ସେନାପଟା ଲାଗି ଓ ଚତୁର୍ଥୀ ହୋମ, ୧୩ରେ ଚକାବିଜେ ନୀତି ପରେ ୧୮ ତାରିଖ ପର୍ଯ୍ୟନ୍ତ ଅନବସର ନୀତି ଚାଲିବ। ଜୁନ୍ ୧୯ରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଜୁନ ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ୨୪ରେ ହେରାପଞ୍ଚମୀ, ୨୭ରେ ସଂଧ୍ୟାଦର୍ଶନ, ୨୮ରେ ବାହୁଡ଼ା ଯାତ୍ରା, ୨୯ରେ ସୁନାବେଶ, ୩୦ରେ ଅଧରପଣା, ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ଜୁଲାଇ ୧୩ରେ କାମଦା ଏକାଦଶୀ, ୧୭ରେ ଚିତାଲାଗି ଅମାବାସ୍ୟା, ୨୯ରେ ହରିଶୟନ ନୀତି, ୩୦ରେ ଗରୁଡ଼ ଶୟନ ନୀତି, ଅଗଷ୍ଟ ୨୫ରେ ବାଡ଼ି ନୃସିଂହ ବିଜେ ନୀତି, ୨୬ରେ ଝୁଲଣ ଯାତ୍ରା, ୩୧ରେ ବଳଭଦ୍ର ଜନ୍ମ, ସେପ୍ଟେମ୍ବର ୪ରେ ରାହୁରେଖା ଲାଗି, ୬ରେ ଜନ୍ମାଷ୍ଟମୀ ସହ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ହେବ, ୧୯ରେ ଗଣେଶ ଚତୁର୍ଥୀ, ଅକ୍ଟୋବର ୨୪ରେ ଦଶହରା, ଅକ୍ଟୋବର ୨୫ରେ ରାଧାଦାମୋଦର ବେଶ ଆରମ୍ଭ, ୨୮ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୨୧ରେ ଅଁଳା ନବମୀ, ନଭେମ୍ବର ୨୩ରେ ହରିଉତ୍ଥାପନ ନୀତି ଓ ହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୪ରେ ବାଙ୍କଚୁଡ଼ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ୨୫ରେ ଡାଳିକିଆ ବେଶ, ୨୬ରେ ଲକ୍ଷ୍ମୀ-ନୃସିଂହ ବେଶ, ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଡିସେମ୍ବର ୫ରେ ପ୍ରଥମାଷ୍ଟମୀ, ୧୧ରୁ ଦେବ ଦୀପାବଳି ଆରମ୍ଭ, ୧୬ରେ ଧନୁସଂକ୍ରାନ୍ତି ଓ ପହିଲି ଭୋଗ ଆରମ୍ଭ, ୧୮ରେ ଓଢ଼ଣୀ ଷଷ୍ଠୀ, ୨୫ରେ ପଣ୍ଡୁନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ।
ସେହିଭଳି ୨୦୨୪ ମସିହା ଜାନୁଆରି ୧୧ରେ ବକୁଳ ଅମାବାସ୍ୟା, ୧୪ରେ ନବାଙ୍କ ବେଶ, ୧୫ରେ ମକର ସଂକ୍ରାନ୍ତି, ୨୫ରେ ପୁଷ୍ୟାଭିଷେକ ପୂର୍ଣ୍ଣିମା, ଫେବ୍ରୁଆରି ୧୦ରେ ଶ୍ରୀଜିଉଙ୍କ ପଦ୍ମବେଶ, ୧୪ରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ୨୪ରେ ଗଜ ଉଦ୍ଧାରଣ ବେଶ, ମାର୍ଚ୍ଚ ୬ରେ ପଙ୍କୋଦ୍ଧାର ଏକାଦଶୀ, ୮ରେ ମହାଶିବରାତ୍ରୀ, ୨୫ରେ ଦୋଳପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ୨୬ରେ ହୋଲି, ଏପ୍ରିଲ ୧୨ରେ ବାଡ଼ିନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ।