ଭୁବନେଶ୍ୱର : ଭୁବନେଶ୍ୱରର, ବ୍ରହ୍ମପୁରର ମେୟର ପଦବି ପାଇଁ ମାଳମାଳ ଆଶାୟୀ ଥିଲେ। ଚିଠା ତାଲିକାରେ ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ହେବାରୁ ନଗର ଉନ୍ନୟନ ବିଭାଗ ନିକଟରେ ଆଶାୟୀମାନେ ଅଭିଯୋଗ କରିଥିଲେ। ବିଧାୟକ, ମନ୍ତ୍ରୀ ଓ ଆଇଏଏସ୍‌ ଅଧିକାରୀଙ୍କ ମାଧ୍ୟମରେ ଆସନ ବଦଳାଇବାକୁ ଲବି ମଧ୍ୟ ଚଳାଇଥିଲେ। ହେଲେ ଚୂଡ଼ାନ୍ତ ତାଲିକାରେ ତିନିଟି ଯାକ ମହାନଗର ନିଗମରେ ମେୟର ପାଇଁ ଥିବା ସଂରକ୍ଷଣରେ କିଛି ବି ବଦଳିଲାନି। ମେୟର ଆଶାୟୀ ‌ଏବେ ହତାଶ।

Advertisment

publive-image

କେବଳ ମେୟର ଆଶାୟୀ ନୁହେଁ, ବିଏମ୍‌ସି, ସିଏମ୍‌ସି, ବିଇଏମ୍‌ସିର ବିଭିନ୍ନ ୱାର୍ଡରେ କର୍ପୋରେଟର ଆଶାୟୀ ଥିବା ନେତାଙ୍କୁ ସଂରକ୍ଷଣ ଆଳରେ କାଟି ଦିଆଯାଇଥିବା ବେଳେ ସେମାନେ ବି ବିଭିନ୍ନ ଆଡ଼ୁ ଚାପ ପକାଇଥିଲେ। ସମର୍ଥକଙ୍କ ଦ୍ବାରା ଅଭିଯୋଗ କରିଥିଲେ। ପ୍ରତିଶ୍ରୁତି ମିଳିଥିଲା ଚୂଡ଼ାନ୍ତ ତାଲିକାରେ ବଦଳାଇଦେବା। ହେଲେ କେବଳ ସିଏମ୍‌ସିରେ ଚିଠା ତାଲିକା ବଦଳିଲା। ବିଏମ୍‌ସି ଓ ବିଇଏମ୍‌ସିରେ କିଛି ବି ପରିବର୍ତ୍ତନ ହୋଇନାହିଁ।
କଟକ ମହାନଗର ନିଗମ ପାଇଁ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ୧୧ଟି ଆସନରେ ଓଲଟପାଲଟ ହୋଇଯାଇଛି। ଏପରିକି ଏସ୍‌ସି ମହିଳାଙ୍କ ପାଇଁ ଯାହା ସଂରକ୍ଷଣ ଥିଲା ତାକୁ କେଉଁଠି କେବଳ ଏସ୍‌ସିଙ୍କ ପାଇଁ ରଖା ହେଲା ତ କେଉଁଠି କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଗଲା। ପୁରୁଣା ନେତାଙ୍କ ଆସନ ସୁରକ୍ଷିତ ରଖିବା ପାଇଁ ମହିଳା ପାଇଁ ସଂରକ୍ଷିତ ଥିବା ୱାର୍ଡ ୩୪,୧୮,୯କୁ ଅଣସଂରକ୍ଷିତ କରିଦିଆଯାଇଛି। ଅଣସଂରକ୍ଷିତ ଥିବା ୧,୨୯, ୨୩କୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଆଯାଇଛି। ଏମିତି ଭାବେ ଏବେ କଟକ ରାଜନୀତି ଅଙ୍କକୁ ପୂରା ଓଲଟପାଲଟ କରାଯାଇଛି।

ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପରେ ପୌର ନିର୍ବାଚନ ହେବ। ଏହାକୁ ନଜରରେ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ତିନି ମହାନଗର ନିଗମ ବିଏମ୍‌ସି, ସିଏମ୍‌ସି ଓ ବିଇଏମ୍‌ସିର ମେୟର ଏବଂ କର୍ପୋରେଟର ପଦବି ନେଇ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହାସହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିସନରଙ୍କୁ ଦିଆଯାଇଛି।

publive-image

ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଏଥର ନିର୍ବାଚନ ହେବାକୁ ତିନି ମହାନଗର ନିଗମର ମେୟର ପଦବି ଚିଠା ବିଜ୍ଞପ୍ତିରେ ଯାହା ଥିଲା ଚୂଡ଼ାନ୍ତ ବିଜ୍ଞପ୍ତିରେ ବି ସେୟା ଅଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ଓ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେ‌ଳେ କଟକ ମହାନଗର ନିଗମ (ସିଏମ୍‌ସି)ର ମେୟର ପଦବି ଅଣସଂରକ୍ଷିତ ଅଛି। କୌଣସି ଗୋଟିଏ ବି ପଦବି ଏସ୍‌ସି/ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ନାହିଁ।

ଅପରପକ୍ଷେ ବିଏମ୍‌ସି, ବିଇଏମ୍‌ସି, ସିଏମ୍‌ସିର କର୍ପୋରେଟର ପଦବି ନେଇ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ବିଏମ୍‌ସିରେ ମୋଟ୍ ୬୭ଟି ୱାର୍ଡରୁ ଏସ୍‌ସିଙ୍କ ପାଇଁ ୬ଟି (ମହିଳା ୩ଟି), ଏସ୍‌ଟିଙ୍କ ପାଇଁ ୩ଟି (ମହିଳା ୨ଟି) ସଂରକ୍ଷଣ ରହିଛି। ଏହାବାଦ୍ ମହିଳାଙ୍କ ପାଇଁ ଆଉ ୨୯ଟି ୱାର୍ଡ ସଂରକ୍ଷଣ ଅଛି। ବାକି ୨୯ଟି ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଅଛି।

publive-image Sambad

ସିଏମ୍‌ସିରେ ମୋଟ୍ ୫୯ଟି ୱାର୍ଡରୁ ଏସ୍‌ସିଙ୍କ ପାଇଁ ୭ଟି (ମହିଳା ୪ଟି) ଥିବାବେ‌େଳ ଏସ୍‌ଟିଙ୍କ ପାଇଁ ଥିବ‌ା ଗୋଟିଏ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ୍ କେବଳ ମହିଳାଙ୍କ ପାଇଁ ୨୫ଟି ସିଟ୍ ରହିଛି। ବାକି ୨୬ଟି ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଅଛି।

ବ୍ରହ୍ମପୁର ମହାନଗର ନିଗମରେ ମୋଟ୍ ୪୨ଟି ୱାର୍ଡରୁ ଏସ୍‌ସିଙ୍କ ପାଇଁ ୪ଟି (ମହିଳାଙ୍କ ପାଇଁ ୨ଟି), ଏସ୍‌ଟିଙ୍କ ପାଇଁ ଗୋଟିଏ ସିଟ୍ ଥିବାବେଳେ ତାହା ମହିଳାଙ୍କ ପାଇଁ ରହିଛି। କେବଳ ମହିଳାଙ୍କ ପାଇଁ ୧୮ଟି ସିଟ୍ ସଂରକ୍ଷିତ ରହିଛି। ବାକି ୧୯ଟି ସିଟ୍ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଅଛି।