ଭୁବନେଶ୍ବର: ବନ୍ଦ ହେବାକୁ ବସିଲାଣି ମଣ୍ଡି। ପଞ୍ଜୀକରଣ ପରେ ବି ଧାନ ବିକ୍ରୟ କରି ପାରି ନାହାନ୍ତି ୪ ଲକ୍ଷ ୪୫ ହଜାର ୮୯୦ ଚାଷୀ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ଧାନ ବାହାର ରାଜ୍ୟକୁ ଚାଲିଯାଇଥିବାରୁ ମଣ୍ଡି ଆସିନଥିବା ଚାଷୀଙ୍କ ସଂଖ୍ୟା ଗତବର୍ଷମାନଙ୍କ ଠାରୁ ବଢିଥିବା କୁହାଯାଉଛି। ଚଳିତ ଖରିଫରେ ଓଡ଼ିଶାରେ ଅଣଜଳସେଚିତ ଅଞ୍ଚଳରେ ୧ ଏକର ହିସାବରେ ସର୍ବାଧିକ ୧୩ ଏବଂ ଜଳସେଚିତ ଅଞ୍ଚଳରେ ୧୯ କ୍ବିଣ୍ଟାଲ୍‌ ଧାନ ବିକ୍ରି ହୋଇଥିଲା। ଅନ୍ୟଦିଗରେ ଛତିଶଗଡ଼ରେ ୧ ଏକର ହିସାବରେ ୨୧ କ୍ବିଣ୍ଟାଲ୍‌ ଏବଂ କ୍ବିଣ୍ଟାଲ୍‌ ପ୍ରତି ୩୧୦୦ ଟଙ୍କାରେ ବିକ୍ରି ହୋଇଥିଲା ଧାନ। ସେଥିରେ ପୁଣି ଛତିଶଗଡ଼ରେ ଲକ୍ଷ୍ୟ ଅନୁସାରେ ଉତ୍ପାଦନ ହୋଇନଥିବାରୁ ଅଧିକାଂଶ ଛତିଶଗଡ଼ ବ୍ୟବସାୟୀମାନେ ଓଡ଼ିଶା-ଛତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳ ବରଗଡ଼, କଳାହାଣ୍ଡି, ନୁଆପଡ଼ା, ନବରଙ୍ଗପୁର ଏବଂ ମାଲକାନଗିରି, ସୁନ୍ଦରଗଡ଼ରେ ଚାଷୀଙ୍କ ଦୁଆର ଯାଇ ଧାନ କିଣିଥିଲେ। କେବଳ ଏହି ଜିଲ୍ଲାଗୁଡ଼ିକ ନୁହେଁ ରାଜ୍ୟର ସବୁ ଜିଲ୍ଲାର ଧାନ ଏହି ସୀମାବର୍ତ୍ତୀ ଜିଲ୍ଲା ଜରିଆରେ ଛତିଶଗଡ଼ ଯାଇଥିବା କୁହାଯାଉଛି।

Advertisment

ବରଗଡ଼ ଚାଷୀ ରମେଶ ମହାପାତ୍ରଙ୍କ ଅନୁସାରେ, ଛତିଶଗଡ଼ରେ ଚାଷୀଙ୍କୁ ବୋନସ ଦିଆଯାଉଥିବାରୁ ସେମାନେ ଅଧିକ ପ୍ରାପ୍ୟ ପାଆନ୍ତି। ଓଡ଼ିଶା ଚାଷୀଙ୍କୁ ବୋନସ ତ ମିଳେ ନାହିଁ ବରଂ ଚଳିତ ବର୍ଷ କ୍ବିଣ୍ଟାଲ୍‌ ପିଛା ମଧ୍ୟ ୨ରୁ୩ କେଜି ଧାନ କାଟି ଦିଆଯାଇଥିଲା। ନିର୍ବାଚନ ବର୍ଷ ହୋଇଥିବାରୁ ପୂର୍ବବର୍ଷ ଭଳି ସ୍ଥିତି ଗୁରୁତର ନଥିଲା କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ସହଜ ମଧ୍ୟ ନଥିଲା। ବରଗଡ଼ ଜିଲ୍ଲାର ୧୪ ହଜାର ୩୬୪, କଳାହାଣ୍ଡିର ୧୮ ହଜାର ୨୬୯, ମାଲକାନଗିରିର ୧୨ ହଜାର ୮୬୨, ନବରଙ୍ଗପୁରର ୨୨ ହଜାର ୧୨୭ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରି ନାହାନ୍ତି। ସୁନ୍ଦରଗଡ଼ରେ ଚାଷୀ ପ୍ରାପ୍ୟ ପାଇଁ ସମବାୟ ବ୍ୟାଙ୍କକୁ ଯିବା ବେଳକୁ ପ୍ରାପ୍ୟ ପାଇଁ ନାହିଁନଥିବା ସମସ୍ୟା ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ଟଙ୍କା ଜମା ହୋଇଥିଲା ସତ, କିନ୍ତୁ ବ୍ୟାଙ୍କର ଭିତ୍ତିଭୂମି ନଥିବାରୁ ସେମାନେ ଚାଷୀଙ୍କୁ ଟଙ୍କା ଦେଇ ପାରୁନଥିଲେ। ସୁନ୍ଦରଗଡ଼ ସହରରେ ପ୍ରାପ୍ୟ ପାଇଁ ଚାଷୀଙ୍କୁ ଅନେକ ଦିନ ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଥିଲା।

ଗଞ୍ଜାମ ଚାଷୀ ନେତା ସୀମାଞ୍ଚଳ ନାଏକଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ ଗଞ୍ଜାମର ଅନେକ ଚାଷୀ ଆନ୍ଧ୍ରପ୍ରଦେଶର ବ୍ୟବସାୟୀଙ୍କୁ ଧାନ ବିକ୍ରୟ କରିଛନ୍ତି। ସେଠାରେ ମଧ୍ୟ ଚଳିତ ବର୍ଷ ଅଧିକ ଧାନ କ୍ରୟ କରାଯାଉଥିବାରୁ ସେଠାକାର ବ୍ୟବସାୟୀ ଓଡ଼ିଶା ଚାଷୀଙ୍କ ପାଖକୁ ଆସି ଧାନ କ୍ରୟ କରି ନେଇଥିଲେ। ସୂଚନା ଅନୁଯାୟୀ, ୨୦୨୩ ମସିହାର ଖରିଫ ଧାନ ସଂଗ୍ରହ ପାଇଁ ୧୭ ଲକ୍ଷ ୩୫ ହଜାର ୧୭୯ ଚାଷୀ ପଞ୍ଜୀକୃତ ହୋଇଥିଲେ। ବର୍ତମାନ ପର୍ଯ୍ୟନ୍ତ ୨୫୯୭ ପେକ୍ସରୁ ୧୨ଲକ୍ଷ ୮୯ ହଜାର ୨୮୯ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି।