ମହାପ୍ରଭୁଙ୍କୁ ଲାଗି ହେଲା ଚୂଡ଼ାନ୍ତ ପ୍ରକଳ୍ପ ନକ୍ସା : ୩୨୦୦ କୋଟିର ପ୍ରକଳ୍ପକୁ ମୋହର

ଜୁନ ୧ରୁ ଐତିହ୍ୟ କରିଡର କାମ
୮ହଜାର ଭକ୍ତଙ୍କ ପାଇଁ ହେବ ଅଭ୍ୟର୍ଥନା କେନ୍ଦ୍ର
୨୮ ସୁଦ୍ଧା ଏନ୍‌ଏମ୍‌ଏକୁ ଚିଠି ଲେଖିବ ଶ୍ରୀମନ୍ଦିର ପ୍ରଶାସନ
ଜମି ଅଧିଗ୍ରହଣ ପାଇଁ ଦିଆ ସରିଛି ୨୮୯.୩୪ କୋଟି କ୍ଷତିପୂରଣ

ପୁରୀ :‌ ଶ୍ରୀମନ୍ଦିର ହେରିଟେଜ୍‌ କରିଡର ଉପରେ ଆଜି ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହେରିଟେଜ୍‌ କରିଡର ପାଇଁ ପ୍ରସ୍ତାବିତ ନକ୍ସା ଅନୁମୋଦନ ଲାଭ କରିଛି। ବୈଠକ ପୂର୍ବରୁ ପ୍ରକଳ୍ପର ନକ୍ସା ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଜୁନ୍‌ ୧ରୁ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି। ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପାଇଁ ୮୭ ପ୍ରତିଶତ ଜମି ଅଧିଗ୍ରହଣ ସରିଥିବାବେଳେ ଏ ବାବଦକୁ ୨୮୯.୩୪ କୋଟି ଟଙ୍କାର କ୍ଷତିପୂରଣ ଦିଆ ସରିଥିବା ଶ୍ରୀ କୁମାର କହିଛନ୍ତି।

ପୁରୀକୁ ବିଶ୍ବ ଐତିହ୍ୟ ସହର କରି ଗଢ଼ି ତୋଳିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଅବଢ଼ାରେ ଶ୍ରୀକ୍ଷେତ୍ର ପୁରୀରେ ୨୨ଟି ନୂଆ ପ୍ରକଳ୍ପ ପାଇଁ ୩୨ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ଏହା ମଧ୍ୟରେ ପ୍ରମୁଖ ପ୍ରକଳ୍ପ ହୋଇଥିବାବେଳେ ସର୍ବାଧିକ ୮ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୬୫.୫ କୋଟି ଟଙ୍କା ଓ ଦ୍ବିତୀୟ ପର୍ଯ୍ୟାୟରେ ୪୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଶ୍ରୀମନ୍ଦିର ହେରିଟେଜ୍‌ କରିଡରର ନିର୍ମାଣ ଶୈଳୀ, ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, ମୌଳିକ ସୁବିଧା ଆଦି ଉପରେ ୩ ଶହରୁ ଅଧିକ ମତାମତ ଆସିଥିବାବେଳେ ଆଜି ସୁଦ୍ଧା ୫୧ ଥର ବୈଠକ ବସି ସାରିଛି। ଆଜିର ପରିଚାଳନା କମିଟି ବୈଠକ ପରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ‌ନେବାକୁ ଯାଉଛି। ଏହା ଭିତରେ ଜମି ଅଧିଗ୍ରହଣ ବାବଦକୁ ୧୧୫ ପରିବାର, ୫୧୨ ଦୋକାନ ଓ ୨୪ଟି ଲଜ୍‌କୁ ୨୩୪.୧୮ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ସରିଲାଣି। ସେହିଭଳି ୧୮ଟି ମଠରୁ ୧୫ଟି ମଠକୁ ୩୬.୨୬ କୋଟି ଟଙ୍କା, ୫୨୬ଟି ଉଠା ଦୋକାନୀଙ୍କୁ ୯.୧ କୋଟି ଟଙ୍କା ପ୍ରଦାନ ସରିଲାଣି।

ଐତିହ୍ୟ କରିଡରର ବିକାଶ କାର୍ଯ୍ୟକୁ ୯ଟି ଭାଗରେ ବିଭକ୍ତ କରାଯାଇଛି। ଏହି ପ୍ରକଳ୍ପର ତିନୋଟି ପ୍ରମୁଖ ଲକ୍ଷ୍ୟ ରହିଛି। ଯେଉଁଥିରେ ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା, ଭକ୍ତ ଓ ସେବାୟତଙ୍କୁ ମୌଳିକ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ଆଦିର ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପ ଜରିଆରେ ଏକ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର କରାଯିବ। ଶ୍ରୀମନ୍ଦିର ଦକ୍ଷିଣ-ପୂର୍ବ କୋଣ(ଏମାର ମଠ ଜାଗା)ରେ ଅଧ ଏକର ଜାଗାରେ ଏହି କେନ୍ଦ୍ର ଖୋଲାଯିବ। ଯେଉଁଠି ୬ ହଜାର ଲୋକେ ଧାଡ଼ିରେ ଦର୍ଶନ କରିପାରିବେ। ଆବଶ୍ୟକ ପଡ଼ିଲେ ସିଂହଦ୍ବାର ଚକଡ଼ାରୁ ଆଉ ୨ ହଜାର ଭକ୍ତଙ୍କୁ ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଯିବ। ତଥାପି ଯଦି ଭିଡ଼ ବଢ଼େ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ। ଯାହାଫଳରେ ଭକ୍ତ ସୁବିଧାରେ ସୁନାବେଶଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଅନ୍ୟାନ୍ୟ ବେଶ ଦର୍ଶନ କରିବା ସହ ଶ୍ରୀମନ୍ଦିରକୁ ସୁବିଧାରେ ଦର୍ଶନ ପାଇଁ ଯାଇପାରିବେ।

ଯେଉଁ ମଠ, ମନ୍ଦିର ସବୁ ଭଙ୍ଗାଯାଇଛି, ତାହାର ପୁନରୁଦ୍ଧାର ହେବ। ଏସବୁ କଳିଙ୍ଗ ଶୈଳୀରେ ନିର୍ମାଣ ହେବ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୫୫ ମିଟରରୁ ୭୫ ମିଟର ଭିତରେ ଯାତାୟାତ ପାଇଁ ଗୋଲେଇ ରାସ୍ତା ରହିବ। ଯେଉଁ ରାସ୍ତା ଦେଇ ବ୍ୟାଟେରି ଚାଳିତ ଗାଡ଼ି ଯାଆସ କରିବ। ଭକ୍ତମାନେ ଚାଲି ଚାଲି ଅବା ଏହି ବ୍ୟାଟେରି ଗାଡ଼ିରେ ନିଶୁଳ୍କ ବୁଲିବା ସହ ଐତିହ୍ୟ କରିଡରର ବିକାଶମୂଳକ କାର୍ଯ୍ୟ ଦେଖିପାରିବେ। ନୂଆ କ୍ଲକ୍‌ ରୁମ ନିର୍ମାଣ ହେବ। ଯେଉଁଠି ନିଶୁଳ୍କ ୪ ହଜାର ପରିବାର ଆସବାବପତ୍ର ରଖିବାର ବ୍ୟବସ୍ଥା କରାଯିବ। ଶୌଚାଳୟ, ପିଇବା ପାଣି, ହାତ-ପାତ ଧୋଇବାର ବ୍ୟବସ୍ଥା ରହିବ। ଅଭ୍ୟର୍ଥନା କେନ୍ଦ୍ରରୁ ବାହାରିବା ପରେ ଭକ୍ତମ‌ାନେ ସିଧାସଳଖ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଯାତ୍ରୀଙ୍କ ପାଇଁ ବ୍ୟାଗେଜ୍‌ ସ୍କାନିଂ ବ୍ୟବସ୍ଥା ରହିବ। ମହିଳା, ପୁରୁଷ ଓ ଭିନ୍ନକ୍ଷମଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ କରାଯିବ। ସେବାୟତଙ୍କ ପାଇଁ ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇଟି ଶୌଚାଳୟ ରହିବ। ପିଇବା ପାଣି ସାଙ୍ଗକୁ ସୂଚନା ଓ ଦାନ କେନ୍ଦ୍ର କରାଯିବ। ଏହା ପାଖକୁ ଆସବାବପତ୍ର ରଖିବା ପାଇଁ ଛୋଟ ଛୋଟ କ୍ଲକ ରୁମ ବି ରହିବ। ଏଟିଏମ ବ୍ୟବସ୍ଥା ସାଙ୍ଗକୁ ସ୍ବାସ୍ଥ୍ୟ ହେଲ୍‌ପ ଡେସ୍କ, ଆରକ୍ଷୀ ସେବା କେନ୍ଦ୍ର ରହିବ। ସାଂସ୍କୃତିକ ମଣ୍ଡପ ତିଆରି ହେବ। ଯେଉଁଠି ଭକ୍ତମାନେ ବସି ଭଜନ, କୀର୍ତ୍ତନ କରିପାରିବେ। ନୀଳଚକ୍ର ଦେଖିବା ଭଳି ସ୍ଥାନରେ ଏହି ମଣ୍ଡପ କରାଯିବ।

ଶହେ ଭକ୍ତ ଏକାଠି ବସି ଭଜନ କରିବା ପାଇଁ ମଣ୍ଡପର ବ୍ୟବସ୍ଥା ବି କରାଯିବ। ଶ୍ରୀମନ୍ଦିର ପାଖରେ ନିର୍ମାଣ କାର୍ଯ୍ୟ କଲେ ଏହା ଦର୍ଶନରେ ବାଧା ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ଅଲଗା ଜାଗାରେ ପ୍ରି-କନ୍‌ଷ୍ଟ୍ରକସନ୍‌ କାମ ହେବ। ପରେ ଏହାକୁ ଆଣି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସ୍ଥାପନ କରାଯିବ। ପ୍ରାୟ ୮୦ ପ୍ରତିଶତ ପ୍ରି-କନ୍‌ଷ୍ଟ୍ରକସନ୍‌ କାମ କରାଯିବ। ମାତ୍ର ୨୦ ପ୍ରତିଶତ କାମ ଶ୍ରୀମନ୍ଦିର ପାଖରେ ହେବ। ଯାହା ଫଳରେ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି ‌ହେବନି ବୋଲି ଶ୍ରୀ କୁମାର କହିଛନ୍ତି। ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ରାଜ୍ୟ ସରକାର, ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିବ। ଖୁବ୍‌ଶୀଘ୍ର ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିବ ବୋଲି ଆଶା ରଖିଛୁ ବୋଲି ସେ କହିଛନ୍ତି। ଯାହା ବି କାମ ହେବ ତାହାର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଓବିସିସି ଜରିଆରେ ଟେଣ୍ଡର କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଲ୍ ସିଂ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର