ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣା: ଜଳିଲା ପରିବାରର ୪ ଜୁଇ

ସିଭିଲଟାଉନସିପ୍‌ରେ ଶୋକାକୁଳ ପରିବେଶ

ରାଉରକେଲା: ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୋଟିଏ ପରିବାର ୪ ସଦସ୍ୟଙ୍କର ଆଜି ବେଦବ୍ୟାସ ଘାଟରେ ଶେଷକୃତ ସମ୍ପନ୍ନ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ୪ ଜଣଙ୍କର ଶବ ରାଉରକେଲା ସିଭିଲଟାଉନସିପ୍‌ସ୍ଥିତ ଘରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଥିଲେ ମୃତକଙ୍କ ପରିବାର ଓ ଆତ୍ମୀୟସ୍ବଜନ। ସମସ୍ତଙ୍କ ଆଖିରେ ଥିଲା ଲୁହ। ରାଉରକେଲା

ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପିର ବରିଷ୍ଠ ନେତା ନିହାର ରାୟ, ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ବଣିକ ସଂଘ ସଦସ୍ୟ, ପଡୋଶୀମାନେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପରେ ଶୋଭାଯାତ୍ରା ୪ ଜଣଙ୍କ ମରଶରୀରକୁ ଶୋଭାଯାତ୍ରାରେ ବେଦବ୍ୟାସ ଶ୍ମଶାନଘାଟକୁ ନିଆଯାଇଥିଲା। ବେଦବ୍ୟାସ ଶ୍ମଶାନଘାଟରେ ଏକାସଙ୍ଗେ ପରିବାର ୪ଜଣଙ୍କ ଜୁଇ ଜଳିଥିଲା। ସେପଟେ ଦୁର୍ଘଟଣାରେ ଗୁରୁତର ଭାଇ-ଭଉଣୀ ରାଞ୍ଚିସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଭଉଣୀ ହାତରେ ରାକ୍ଷୀ ବାନ୍ଧି ପରିବାର ସହ ଘରକୁ ଫେରୁଥିଲାବେଳେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଳା ତୋରପା ଚୁଡଗୀ ନଦୀ ନିକଟରେ ଇନ୍‌ଭୋ କାର୍‌ ଗଛକୁ ପିଟି ଦୁର୍ଘଟଣାଗସ୍ତ ହୋଇଥିଲା। ଘଟଣାସ୍ଥଳରେ ବ୍ୟବସାୟୀ କହ୍ନୈୟା ଜୈନ, ପତ୍ନୀ ରମା ଜୈନ, ୭ ବର୍ଷର ପୁଅ ଋଷବ ଜୈନ, ତିନି ବର୍ଷର ଝିଅ ତନିଶା ଜୈନଙ୍କର ମୃତ୍ୟୁ ହୋଇଥିଲା। ପୁତୁରା ବଶିଷ୍ଠ ଜୈନ, ଝିଆରି ବଂଶିକା ଗୁରୁତର ଆହତ ହୋଇଥିଲେ। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତୋରପା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର