ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବିଧାନସଭା ନିର୍ବଚନମଣ୍ଡଳୀ (୬୫) ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ (୬୪) ନିମନ୍ତେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମୋନୀଷା ବାନାର୍ଜୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରିଥିଲେ। ରାଜନୈତିକ ଦଳର ପ୍ରତିନିଧିଙ୍କୁ ଉଭୟ ହାର୍ଡ ଏବଂ ସଫ୍ଟ କପି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜିଲ୍ଲାରୁ ମୋଟ୍‌ ୨୬୮୭୮ଟି ଆବେଦନ ଫର୍ମ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ସୋନପୁର ନିର୍ବାଚନମଣ୍ଡଳୀ (୬୫) ରୁ ୧୩୮୫୬ ଟି ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ (୬୪) ରୁ ୧୩୦୨୨ଟି ଆବେଦନ ଫର୍ମ ଗ୍ରହଣ ହୋଇଥିଲା। ସ୍ବତନ୍ତ୍ର ଭୋଟର ତାଲିକାରେ ସୋନପୁର ନିର୍ବାଚନମଣ୍ଡଳୀରେ ୭୧୪୬ ଜଣ ଯୋଗ୍ୟ ଭୋଟର ତାଲିକାଭୁକ୍ତ ହୋଇଛନ୍ତି। ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ୬୧୮୬ ଜଣ ଯୋଗ୍ୟ ଭୋଟର ତାଲିକାଭୁକ୍ତ ହୋଇଛନ୍ତି।

ସେହିପରି ସୋନପୁର ନିର୍ବାଚନମଣ୍ଡଳୀରୁ ୪୪୧୮ ଜଣ ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀରୁ ୪୫୧୫ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ସୂଚନା ଦିଆଯାଇଛି। ବର୍ତ୍ତମାନ ପ୍ରକାଶିତ ଭ‌ୋଟର ତାଲିକା ଅନୁଯାଇ ଜିଲ୍ଲାରେ ମୋଟ୍‌ ୪ଲକ୍ଷ ୬୧ ହଜାର ୮୧୬ ଜଣ ଭୋଟର ରହିଛନ୍ତି। ଏଥିମଧ୍ୟରୁ ସୋନପୁର ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୫୧ ହଜାର ୬୫୧ ଜଣ ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୧୦ ହଜାର ୧୬୫ ଜଣ ଭୋଟର ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟନାରାୟଣ ଦାଶ, ନିର୍ବାଚନ ଅଧିକାରୀ ମୁକ୍ତେଶ୍ବର ପାଣିଗ୍ରାହୀ, ଡିଆଇପିଆରଓ ଅଶ୍ବିନୀ ଭୋଇ ଉପସ୍ଥିତ ଥିଲେ। ବିଜେଡିର କଇରୁ ସ୍ବାଇଁ, ବିଜେପିର ଜଗଜ୍ୟୋତି ତ୍ରିପାଠୀ, କ‌ଂଗ୍ରେସର ସୁଧୀର ପଣ୍ଡା ପ୍ରମୁଖ ସଦ୍ୟ ପ୍ରକାଶିତ ଯୋଗ୍ୟ ଭୋଟର ତାଲିକାଗୁଡ଼ିକ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର