ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା: ରାଜ୍ୟରେ ୩.୨୯କୋଟି ଭୋଟର

୯.୫ ଲକ୍ଷ ସାମିଲ୍‌ ହେଲେ, ୩.୪୪ ଲକ୍ଷ ବାଦ୍‌ ପଡ଼ିଲେ
ବର୍ଷକରେ ବଢ଼ିଲେ ୪.୩୧ ଲକ୍ଷ ଭୋଟର

ଭୁବନେଶ୍ବର : ୨୦୨୨ ମସିହା ପାଇଁ ବୁଧବାର ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ୍‌ ୩,୨୯,୮୩,୬୪୩ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧,୬୭,୯୬,୬୦୩ ଜଣ ପୁରୁଷ, ୧,୬୧,୮୩,୮୩୫ ଜଣ ମହିଳା ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି।

ଶ୍ରୀ ଲୋହାନି କହିଛନ୍ତି ଯେ, ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ନଭେମ୍ବର ୩୦ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଶୁଣାଯାଇଥିଲା। ଏହି ସମୟରେ ୧୮,୬୫,୫୭୦ଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା। ଏଥିରୁ ୧୨,୦୨,୧୦୧ ଅର୍ଥାତ୍ ୬୪.୪୪% ଦାବି ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ ୬,୬୩,୪୬୯ ଅର୍ଥାତ୍ ୩୫.୫୬% ଅଫଲାଇନ୍ ମାଧ୍ୟମରେ ଆସିଥିଲା। ଏହାର ଶୁଣାଣି କରି ଆଜି ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ଟି ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ୩୭,୬୦୬ଟି ବୁଥ୍‌ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।
ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ଓ ଭୋଟର ତାଲିକାରେ ଥିବା ୩,୮୨,୬୦୧ ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି।

ଅପରପକ୍ଷେ ୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪,୧୦,୦୭୬ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ୫,୨୩,୭୪୪ ଜଣ ସାମିଲ୍‌ ହୋଇଛନ୍ତି। ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୫,୫୨,୨୦୨ ଜଣ ଭୋଟର ଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଅଛନ୍ତି। ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଥବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭ % ରେ ପହଞ୍ଚିଛି।

ସେହିପରି ଗତବର୍ଷ ଚୂଡାନ୍ତ ଭୋଟର ତାଲିକାରେ ହଜାରେ ପୁରୁଷରେ ୯୫୮ଜଣ ମହିଳା ଭୋଟର ଥିବାବେଳେ ଚଳିତ ବର୍ଷ ଏହା ୯୬୪ହୋଇଛି। ଗତବର୍ଷ ଚୂଡାନ୍ତ ଭୋଟର ତାଲିକାରେ ୩,୩୮,୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି । ଏହାବାଦ୍ ଗତବର୍ଷ ଅନଲାଇନ୍‌ରେ ମାତ୍ର ୭% ଆବେଦନ କରିଥିବାବେଳେ ଚଳିତବର୍ଷ ୬୪% ଆବେଦନ କରିଥିଲେ। ଚଳିତ ବର୍ଷ ସମସ୍ତ ଭୋଟରଙ୍କୁ ମାଗଣାରେ ସ୍ପିଡ୍ ପୋଷ୍ଟରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଲୋକମାନେ ମଧ୍ୟ ମୋବାଇଲରେ ଫଟୋ ପରିଚୟପତ୍ର ଡାଉନଲୋଡ୍ କରିପାରିବେ ବୋଲି ଶ୍ରୀ ଲୋହାନି କହିଛନ୍ତି।

ସମ୍ବନ୍ଧିତ ଖବର