ଜାନୁଆରି ୮ ସୁଦ୍ଧା ଟିକାଦାନ କେନ୍ଦ୍ର ଚୂଡ଼ାନ୍ତ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର : ଆସନ୍ତା ୮ ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗର  ନିଗମଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ରଙ୍କ ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ଯ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ । ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ଟଟ ହେବ । ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ । ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ । ବ୍ଲକସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ଯ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ । ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ ।

ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ।

ସମ୍ବନ୍ଧିତ ଖବର