ଶେଷରେ ଚାବି ମିଳିଲା : ରେକର୍ଡ ରୁମ୍‌ ଲକର୍‌ରେ ରହିଛି, ୭୦ ଦିନ ଧରି ତନାଘନା

ପୁରୀ/ଭୁବନେଶ୍ୱର : ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଚାବି ମିଳିଛି। ଆଜି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଏ ସଂପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି। ଜିଲ୍ଲା ରେକର୍ଡ ରୁମ୍‌ର ଏକ ଲକର୍‌ରେ ଥିବା ନାଲି ଲଫାଫାରେ ଏହି ଚାବି (ତିନିଟି ଚାବି ଥିବା ଅନୁମାନ କରାଯାଉଛି) ରଖାଯାଇଥିବା ଦେଖାଯାଇଛି। ଏହି ଲଫାଫା ଉପରେ ଭିତର ରତ୍ନଭଣ୍ଡାର ଚାବି (ଡୁପ୍ଲିକେଟ୍‌) ବୋଲି ଉଲ୍ଲେଖ ରହିଛି। ଏଥିସହିତ ଚାବି ହଜିବା ଘଟଣାକୁ ନେଇ ଦୀର୍ଘ ୭୦ ଦିନ ଧରି ଚାଲିଥିବା ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଚାବି ପାଇଁ ଚିଠି ଲେଖିଥିଲେ। ତଦନୁଯାୟୀ ଜିଲ୍ଲାପାଳ ଟ୍ରେଜେରିକୁ ଚାବି ଦେବାକୁ ନିର୍ଦେଶ ଦେଇଥିଲେ। ହେଲେ ଗତ ଏପ୍ରିଲ ୨ ତାରିଖରେ ଟ୍ରେଜେରି ଅଧିକାରୀ ଜଣାଇଥିଲେ ଯେ ତାଙ୍କ ପାଖରେ ରତ୍ନଭଣ୍ଡାର ଭିତର ଚାବି ନାହିଁ। ଏହି ଆଧାରରେ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଚାବି ମିଳୁନଥିବା ସଂପର୍କରେ ୩ ତାରିଖରେ ଜଣାଇଥିଲେ। ଆଉ ୪ ତାରିଖରେ ଖାସ୍‌ ଏହି କାରଣରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିପାରିଲା ନାହିଁ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ନିଜର ତରବରିଆ ନିଷ୍ପତ୍ତି ସଂପର୍କରେ ବିଳମ୍ବରେ ହେଲେ ବି ହେଜିଥିଲେ।

ଗତ ମାସ ୨୪ ତାରିଖରେ ରତ୍ନଭଣ୍ଡାର ଚାବି କେଉଁଠି ଅଛି, ତାହାକୁ ଭଲ ଭାବେ ଖୋଜିବା ଲାଗି ଶ୍ରୀମନ୍ଦିର ନୀତି ପ୍ରଶାସକ ଚିଠି ଲେଖି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଫଳରେ ପୁରୀ ଜିଲ୍ଲା ପ୍ରଶାସନ ପୁଣି ଥରେ ଏ ପ୍ରସଙ୍ଗରେ ତତ୍ପରତା ଦେଖାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ନିର୍ଦେଶ ଅନୁସାରେ, ରତ୍ନଭଣ୍ଡାର ଚାବି ଜିଲ୍ଲା ରେକର୍ଡ଼ ରୁମ୍‌ କିମ୍ବା ନାଜିରଖାନାରେ ଚାବି ଖୋଜାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ତତ୍ତ୍ଵାବଧାନରେ ଚାବି ଖୋଜିବା ପାଇଁ ଦୁଇଟି କମିଟି ଗଠନ କରାଯାଇଥିଲା। କମିଟିର ସଦସ୍ୟମାନେ ତନ୍ନ ତନ୍ନ କରି ଜିଲ୍ଲା ରେକର୍ଡ଼ ରୁମ୍‌, ନାଜିରଖାନା ଯାଞ୍ଚ କରିଥିଲେ। ଆଜି ଏକ କମିଟି ଜିଲ୍ଲା ରେକର୍ଡ଼ ରୁମ୍‌ ଯାଞ୍ଚ କରିବା ପରେ ଜଉମୁଦ ଦିଆ ନାଲି ଲଫାଫା ପାଇଥିଲେ। ଏହି ଲଫାଫା ଉପରେ ଭିତର ରତ୍ନଭଣ୍ଡାର ଚାବି ବୋଲି ଉଲ୍ଲେଖ ରହିଥିଲା। ଚାବି ମିଳିବା ନେଇ ଜିଲ୍ଲାପାଳ ସୂଚନା ପାଇବା ପରେ ତୁରନ୍ତ ଆଜି ରାତି ୯ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ସଂପର୍କରେ ସୂଚନା ଦେଇଛନ୍ତି ଓ ଶ୍ରୀମନ୍ଦିର ପ୍ରଶାସନକୁ ଏ ସଂପର୍କରେ ଚିଠି ଲେଖି ମଧ୍ୟ ଅବଗତ କରିଛନ୍ତି।

ଏଥିସହିତ ଏହି ଖବର ଶ୍ରୀଜଗନ୍ନାଥ ପ୍ରେମୀ ଓ ରାଜ୍ୟ ସରକାରଙ୍କୁୁ ଆଶ୍ୱସ୍ତ କରିଛି। ଚାବି ହଜିବା ଘଟଣାରେ ରାଜ୍ୟ ସରକାର ନିକଟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ହେଲେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ଚାବି ମିଳିଛି।

ଉଲ୍ଲେଖଯୋଗ୍ୟ, ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଚାବି ଖୋଲିଥିଲା। ମହାପ୍ରଭୁଙ୍କ ରତ୍ନଚିତା ମରାମତି ପାଇଁ ସେ ସମୟରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ହେଲେ ରତ୍ନଭଣ୍ଡାରରେ ଜଉମୁଦ ଦିଆଯାଇ ତାଲା ପଡିବା ପରେ ଚାବିି କାହା ପାଖରେ ରହିଲା, ସେ ସୂଚନା ମିଳୁନଥିଲା।

ତେବେ ଯେଉଁଭଳି ତରବରିଆ ଭାବେ ପୁରୀ ଜିଲ୍ଲାପାଳ ତାଙ୍କ ପାଖରେ ଚାବି ନାହିଁ ବୋଲି ମନା କରିଦେଲେ ତାହା ମଧ୍ୟ ଶ୍ରୀଜଗନ୍ନାଥ ପ୍ରେମୀ ଗ୍ରହଣ କରିପାରିନଥିଲେ। ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ନାହିଁ ବୋଲି ଜଣାଇବା ପୂର୍ବରୁ ଅଧିକ ତନାଘନା କରିବାର ଆବଶ୍ୟକତା ଥିଲା ବୋଲି ବରିଷ୍ଠ ଅଧିକାରୀମାନେ ମତ ରଖିଥିଲେ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କର କହିବା କଥା ହେଉଛି, ୧୯୮୫ ମସିହାରେ ଯେଉଁ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ଦେଇଥିଲେ, ସ୍ୱାଭାବିକ ଭାବେ ଚାବି ତାଙ୍କ ପାଖକୁ ହିଁ ଫେରିଥିବ। ଅନ୍ୟଥା ସେ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠିଥାନ୍ତା। ହେଲେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ପରବର୍ତୀ ଜିଲ୍ଲାପାଳ ଦାୟିତ୍ୱ ନେବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଚାବି ହସ୍ତାନ୍ତର ହୋଇଥିଲା କି ନାହିଁ, ତାହା ଦେଖିବା କଥା। ଯଦି ହୋଇଥାଏ, ପରବର୍ତୀ ସମୟରେ ଅର୍ଥାତ୍‌ ନିର୍ଦିଷ୍ଟ କେଉଁ ଜିଲ୍ଲାପାଳଙ୍କ ସମୟରେ ଏହି ଚାବି ଆଉ ଦାୟିତ୍ୱ ହସ୍ତାନ୍ତର ବେଳେ ତାଲିକାରେ ନଥିଲା, ତାହାକୁ ବର୍ତମାନର ଜିଲ୍ଲାପାଳ ତନଖି କରିବା କଥା। ଏପରିକି ସେ ନିଜେ ଦାୟିତ୍ୱ ନେବା ବେଳେ ଟ୍ରେଜେରିର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ତାଲିକା ଭିତରେ ଚାବି ଥିଲା କି ନାହିଁ, ତାହା ମଧ୍ୟ ସ୍ପଷ୍ଟ କରିବା ଉଚିତ୍‌ ଥିଲା।

ଦ୍ୱିତୀୟତଃ, ୧୯୮୫ ମସିହାର ଯେଉଁ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ସଂପର୍କରେ ନିଷ୍ପତ୍ତି ହେଲା, ସେ ସମୟରେ ସମ୍ଭବତଃ ଚାବି କାହା ପାଖରେ ରହିଲା, ସେ ସଂପର୍କରେ ସୂଚନା ଥାଇପାରେ। ଏଣୁ ସେ ସମୟର ପରିଚାଳନା କମିଟି ବୈଠକର ବିବରଣୀକୁ ଶ୍ରୀମନ୍ଦିର ପ୍ରଶାସନ ଯାଞ୍ଚ କରିବା କଥା। ୧୯୮୮ ମସିହାରେ ଶ୍ରୀମନ୍ଦିର ପ୍ରଶାସନର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜର ସଂରକ୍ଷଣ ପାଇଁ ଏହାକୁ ରାଜ୍ୟ ଅଭିଲେଖାଗାରକୁ ପଠାଯାଇଥିଲା। ସେଠାରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଯାଞ୍ଚ କରାଇବାର ଆବଶ୍ୟକତା ଥିଲା। ମାତ୍ର ଏସବୁ କରାଯିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଚାବି ନ ଥିବା ଘଟଣା ନେଇ ଯେଭଳି ସୂଚନା ଦେଲା, ତାହା ହିଁ ବିବାଦ ସୃଷ୍ଟି କରାଇଥିଲା।

ସମ୍ବନ୍ଧିତ ଖବର