ଶେଷରେ ବଦଳିଲା ପାଠ୍ୟପୁସ୍ତକ, ପିଲା ପଢୁଥିଲେ ଫ୍ରୁଟି, କୁର୍‌କୁରେ, ହର୍ଲିକ୍ସ

‘ସମ୍ବାଦ’ରେ ପ୍ରକାଶ ପରେ ପଦକ୍ଷେପ

ରାଉରକେଲା: ସ୍କୁଲ ପିଲାଙ୍କ ପାଠ୍ୟ ପୁସ୍ତକରେ ବିଭିନ୍ନ ବ୍ରାଣ୍ଡ୍‌, ଯଥା- ‘କୁର୍‌କୁରେ’, ‘ଫ୍ରୁଟି’, ‘ହର୍ଲିକ୍ସ’ ‘ଡାଏରୀ ମିଲ୍କ ଚକୋଲେଟ୍‌’, ‘ପାର୍ଲେଜି ବିସ୍କୁଟ୍‌’, ‘ଟାଟା ଲୁଣ’ ଆଦିର ଫଟୋ ରହିଥିଲା। ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟ ପୁସ୍ତକର ପ୍ରଥମ ପୃଷ୍ଠାରେ ଏଭଳି ଗୁରୁତର ତ୍ରୁଟିକୁ ଚାରିଆଡ଼ୁ ସମାଲୋଚନା କରାଯାଇଥିଲା। ଏନେଇ ‘ସମ୍ବାଦ’ରେ ଗତ ୧୫ ତାରିଖରେ ପ୍ରକାଶିତ ହେବାପରେ ରାଜ୍ୟ ଶିକ୍ଷା ବିଭାଗର ଏଭଳି ଅବ୍ୟବସ୍ଥା ପଦାରେ ପଡ଼ିଯାଇଥିଲା। ତେବେ ଏହାକୁ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ।

ଶେଷରେ ନିଜ ଭୁଲ୍‌ ସ୍ବୀକାର କରି ରାଜ୍ୟ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏହି ପୃଷ୍ଠାକୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷଣ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ଗତକାଲି(୩୧/୫/୨୦୨୦, ଚିଠି ନଂ-୨୭୧୧) ଏନେଇ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ୍‌ ଅଥରିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ତୃତୀୟ ଶ୍ରେଣୀ ପାଠ୍ୟ ପୁସ୍ତକ ‘ପଠନ ପୁସ୍ତିକା’ର ପ୍ରଥମ ପୃଷ୍ଠାରେ ଭୁଲବଶତଃ ବିଭିନ୍ନ ବ୍ରାଣ୍ଡ୍‌ର ଛବି ଓ ଲେଖା ଉଲ୍ଲେଖ ହୋଇଛି। ଏହାକୁ ଅବିଳମ୍ବେ ଶିକ୍ଷାଦାନରୁ ବାଦ୍‌ ଦେଇ ଆନୁସଙ୍ଗିକ ପଦକ୍ଷେପ ନିଆଯାଉ। ଏହାସହ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ପୁସ୍ତିକା ପଢ଼ାଇବାବେଳେ ଏସବୁକୁ ଛାତ୍ରଛାତ୍ରୀଙ୍କ ନଜରରୁ ଦୂରେଇ ରଖନ୍ତୁ। ଏହାର କଡ଼ା ପାଳନ ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ କ୍ଲାସ୍‌ରୁମ୍‌ ଶିକ୍ଷା ବାଧାପ୍ରାପ୍ତ ହେବାରୁ ଛାତ୍ରଛାତ୍ରୀ ପ୍ରକୃତ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ। ଏଣୁ ଶିକ୍ଷା ଭରଣା ପାଇଁ ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲର୍ଣ୍ଣିଂ ରିକଭରି ପ୍ଲାନ (ଏଲ୍‌ଆର୍‌ପି) ପ୍ରଣୟନ କରାଯାଇଥିଲା। ପ୍ରାୟ ୭୦ କୋଟି ଟଙ୍କା ବିନିଯୋଗ କରି ପାଠ୍ୟପୁସ୍ତକ ମଧ୍ୟ ଛପା ଯାଇଥିଲା। କିନ୍ତୁ ଏଥିରେ ଯାବତୀୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଛପା ଯାଇଥିବା ‘ପଠନ ପୁସ୍ତିକା’ରେ  ‘କୁର୍‌କୁରେ’, ‘ଫ୍ରୁଟି’, ‘ହର୍ଲିକ୍ସ’ ‘ଡାଏରୀ ମିଲ୍କ ଚକୋଲେଟ୍‌’, ‘ପାର୍ଲେଜି ବିସ୍କୁଟ୍‌’, ‘ଟାଟା ଲୁଣ’ ଆଦିର ଫଟୋ ରହିଥିଲା। ଏମିତିକି ପାକସ୍ଥଳୀ ଲେଖାହୋଇଥିବା ସ୍ଥାନରେ ବୃକକ୍‌ର ଚିତ୍ର ରହିଥିଲା। ଏହି ତ୍ରୁଟିଯୋଗୁଁ ଅଭିଭାବକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅମୂଳକ ଛବି ଦେଖାଇ ପିଲାଙ୍କୁ ଭୁଲ୍‌ ଶିକ୍ଷା ଦେବାକୁ ନାପସନ୍ଦ କରିବାସହ ତ୍ରୁଟିସୁଧାର ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର