କ୍ୟାବିନେଟ୍‌ ନିଷ୍ପତ୍ତି: ଅର୍ଥସେବା କ୍ୟାଡର୍ ପୁନର୍ଗଠିତ

ଭୁବନେଶ୍ବର : ଓଡ଼ିଶା ଅର୍ଥ ସେବା କ୍ୟାଡର୍ ପୁନର୍ଗଠନ ପ୍ରସ୍ତାବକୁ ସୋମବାର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଫଳରେ ବିଭାଗ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ କିଛି ପଦବିରେ ପାହ୍ୟା ବୃଦ୍ଧି ସହ ଆଉ କିଛି ପଦବି ସୃଷ୍ଟି କରାଯାଇଛି। ଏହି ପୁନର୍ଗଠନ ପରେ ଓଡ଼ିଶା ଅର୍ଥ ସେବା କ୍ୟାଡର୍ ପଦବି ସଂଖ୍ୟା ୯୧୨ରୁ ୧୦୧୬କୁ ବୃଦ୍ଧି ପାଇଛି।

ଓଡ଼ିଶା କାରାଗାର ସେବା ନିୟମାବଳୀ,୨୦୨୧କୁ କ୍ୟାବିନେଟ୍ ସ୍ବୀକୃତି ଦେଇଛି। ଓଡ଼ିଶା ପୁଲିସ ସେବା, ଓଡ଼ିଶା କାରାଗାର ସେବା ଓ ଓଡ଼ିଶା ଆଗ୍ନିକ ସେବା ଆଦେଶନାମା, ୨୦୨୧ରେ ଦ୍ବିତୀୟ ଶ୍ରେଣୀ ପଦବିଗୁଡ଼ିକ ନିମନ୍ତେ ସଂଯୁକ୍ତ ପ୍ରତିଯୋଗିତାମୂଳକ ନିଯୁକ୍ତି ପ୍ରକ୍ରିୟାରେ ଥିବା ବ୍ୟବସ୍ଥାକୁ ବିଚାରକୁ ନେଇ ଓ ପ୍ରତ୍ୟକ୍ଷ ନିଯୁକ୍ତି ସହ ପଦୋନ୍ନତିର ବ୍ୟବସ୍ଥା ଥାଇ ଓଡ଼ିଶା କାରାଗାର ସେବା ( ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀ ନିଯୁକ୍ତି ପଦ୍ଧତ୍ତି ଓ ସେବା ସର୍ତ୍ତ) ନିୟମାବଳୀ, ୨୦୨୧ ପ୍ରସ୍ତୁତ କରାଯାଇଛି।

ଓଡ଼ିଶା ଅଗ୍ନିଶମ ସେବା ‘ଏ’ ଓ ‘ବି’ ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ, ୨୦୨୧ ଏବଂ ଓଡ଼ିଶା ଅଗ୍ନିଶମ ସେବା ‘ସି’ ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ,୨୦୨୧କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏଣିକି କେନ୍ଦ୍ରାଧିକାରୀ(ମେକାନିକାଲ୍), ସହକାରୀ ଅଗ୍ନିଶମ ଅଧିକାରୀ, ସହକାରୀ ଅଗ୍ନିଶମ ଅଧିକାରୀ, ଉପ ଅଗ୍ନିଶମ ଅଧିକାରୀ, ଅଗ୍ନିଶମ ଅଧିକାରୀ, ମୁଖ୍ୟ ଅଗ୍ନିଶମ ଅଧିକାରୀ (ଏସ୍ଟିଏସ୍) ଓ ମୁଖ୍ୟ ଅଗ୍ନିଶମ ଅଧିକାରୀ (ଏସ୍ଏଜି) ପଦବିମାନ ପଦୋନ୍ନତି ମାଧ୍ୟମରେ ବିଭାଗୀୟ ପଦୋନ୍ନତି କମିଟି ଦ୍ବାରା ପୂରଣ କରାଯିବ। ସିଧାସଳଖ ନିଯୁକ୍ତି ପାଇଥିବା କେନ୍ଦ୍ରାଧିକାରୀମାନଙ୍କ ମଧ୍ୟରେ ଆନ୍ତବର୍ଗ ବରିଷ୍ଠତା ନିର୍ଦ୍ଧାରଣ ନିମନ୍ତେ ପୁଲିସ ନିଯୁକ୍ତି ପରିଷଦ ଦ୍ବାରା ଲିଖିତ ପରୀକ୍ଷାରେ ଦିଆଯାଇଥିବା ନମ୍ବର ଓ କେନ୍ଦ୍ରାଧିକାରୀ ପ୍ରଶିକ୍ଷଣ ପରୀକ୍ଷାରେ ପାଇଥିବା ନମ୍ବରକୁ ୧:୨ ଭିତ୍ତିରେ ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ରହିଛି।

ଓଡ଼ିଶା ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାର (ନିଯୁକ୍ତି ପଦ୍ଧତ୍ତି ଓ ସେବାର ସର୍ତ୍ତାବଳୀ) ନିୟମ, ୨୦୨୧କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପୂର୍ବରୁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରାର କ୍ୟାଡର୍ ନ ଥିଲା। ରାଜ୍ୟର ଲୋକଙ୍କୁ ନିରାପଦ ଓ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାର, ଭୁବନେଶ୍ବରକୁ ମଜବୁତ୍ କରିବା ନିମନ୍ତେ ଖାଦ୍ୟ ନିରାପତ୍ତା ଓ ମାନକ ଅଧିନିୟମ, ନିୟମ, ନିୟନ୍ତ୍ରଣର ମାନ ଅନୁପାଳନ ପାଇଁ ବିଭିନ୍ନ ପଦବି ସୃଷ୍ଟି କରାଯାଇଛି।

ଓଡ଼ିଶା ଶ୍ରମ ସେବା ନିୟମାବଳୀ,୨୦୧୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହା ଦ୍ବାରା ଖାଲି ପଡ଼ିଥିବା ଜିଲ୍ଲା ଶ୍ରମ ଅଧିକାରୀ ପଦବିଗୁଡ଼ିକ ପଦୋନ୍ନତି ଦ୍ବରା ପୂରଣ ହୋଇପାରିବ। ଓଡ଼ିଶା କାରାଗାର କିମ୍ବା ସୁଧାର ଅମଲା ସେବା ନିୟମାବଳୀ, ୨୦୨୧ରେ କ୍ୟାବିନେଟ୍‌‌େର ମୋହର ବାଜିଛି। ଏହା ଦ୍ବାରା କାରାଗାର ପ୍ରତିଷ୍ଠାନର ଅଧୀନସ୍ଥ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ତୃତୀୟ ଶ୍ରେଣୀ ପଦବିକୁ ପଦୋନ୍ନତି ନିମନ୍ତେ ସୁଯୋଗ ସୃଷ୍ଟି ହେବ। ଏହା ସହ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଅଞ୍ଜନ କୁମାର ମାଣିକଙ୍କ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ସମ୍ବନ୍ଧିତ ଖବର