ଅର୍ଥ କମିସନଙ୍କ ରାସ୍ତାରେ ବିଭାଗ କଣ୍ଟା!

ପଞ୍ଚାୟତ, ପୌରାଞ୍ଚଳକୁ ଯାଇଛି ପାଖାପାଖି ୧୭ ହଜାର କୋଟି, ପ୍ରସ୍ତୁତ ହୋଇପାରୁନି ରିପୋର୍ଟ, କମିସନଙ୍କ କାର୍ଯ୍ୟକାଳ ପୁଣି ବଢ଼ିବ

ଭୁବନେଶ୍ବର : ହଜାର କି ଦୁଇ ହଜାର ନୁହେଁ, ପାଖାପାଖି ୧୭ ହଜାର କୋଟି ଟଙ୍କା ଯାଇଛି ପଞ୍ଚାୟତ ଓ ପୌର ସଂସ୍ଥାକୁ। ଚତୁର୍ଥ ଓ ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ବାବଦରେ ଦିଆଯାଇଥିବା ଏହି ଅର୍ଥରୁ କେତେ ଖର୍ଚ୍ଚ ହେଲାଣି?

ଉଭୟ ଚତୁର୍ଥ ଓ ଚତୁର୍ଦଶ ଅର୍ଥ କମିସନ ଏଥର ଉଭୟ ପଞ୍ଚାୟତ ଓ ପୌର ସଂସ୍ଥାକୁ ଖୋଲା ପାଣ୍ଠି ଯୋଗାଇ ଦେଇଥିଲେ। ସ୍ପଷ୍ଟ ସୁପାରିସ ଥିଲା ଯେ ସେମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ଅର୍ଥ ଖର୍ଚ୍ଚ କରିେବ। କମିସନଙ୍କ ଏହି ସୁପାରିସ କେତେ ଦୂର କାର୍ଯ୍ୟକାରୀ ହୋଇଛି?

ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପଞ୍ଚମ ଅର୍ଥ କମିସନଙ୍କୁ ଉତ୍ତର ମିଳିପାରୁନାହିଁ। ଉଭୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଧରାଛୁଆଁ ଦେଉନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହାକୁ ନେଇ କମିସନ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଉଭୟ ବିଭାଗକୁ ତାଗିଦ୍ କରିଛନ୍ତି। ଉଭୟ ବିଭାଗ ସହିତ ଆେଲାଚନା କରିଛନ୍ତି।

ଚତୁର୍ଥ ଅର୍ଥ କମିସନଙ୍କ ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ। ତତ୍କାଳୀନ ମୁଖ୍ୟଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ଷମତାସଂପନ୍ନ କମିଟି ସେ ସମୟରେ ନିଷ୍ପତ୍ତି ନେଇଥିଲେ ଯେ ୨୦୧୫ରୁ ୨୦୨୦ ମଧ୍ୟରେ ଅର୍ଥାତ୍ ଏହି ପାଞ୍ଚ ବର୍ଷରେ ୧୨ହଜାର ୭୯୩ କୋଟି ଟଙ୍କା ପଞ୍ଚାୟତ ଓ ପୌରସଂସ୍ଥାରେ ଖର୍ଚ୍ଚ ହେବ। ପଞ୍ଚାୟତିରାଜ ସଂସ୍ଥା ଖର୍ଚ୍ଚ କରିବେ ୭ହଜାର ୩୭୯ କୋଟି ଓ ପୌରାଞ୍ଚଳକୁ ଯିବ ୫ ହଜାର ୪୧୩ କୋଟି ଟଙ୍କା। ପଞ୍ଚାୟତର ନିଜସ୍ବ ଆୟ କିଭଳି ବୃଦ୍ଧି ହେବ, ସେ ଦିଗରେ ଅର୍ଥ ବିନିେଯାଗ ପାଇଁ ସେଦିନ ବୈଠକରେ ସ୍ଥିର ହୋଇଥିଲା। ସରକାର ଆହୁରି ନିଷ୍ପତ୍ତି ନେଇ କହିଥିଲେ, ଜଳ ଯୋଗାଣ, ଷ୍ଟ୍ରିଟ୍ ଲାଇଟ୍, ପଞ୍ଚାୟତିରାଜ ସ୍ତରରେ ଷ୍ଟାଫ୍ କ୍ବାଟର୍ସ ନିର୍ମାଣ, ଭିତ୍ତିଭୂମି, ପରିମଳ ଆଦି କ୍ଷେତ୍ରରେ ଏହି ଅର୍ଥ ବିନିେଯାଗ ହେବ। ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟରେ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଆଜି ଦିନର ତଥ୍ୟ କହୁଛି, ୨୦୧୮-୧୯ ବର୍ଷର ବଜେଟ୍ ଅଟକଳ ରାଶିକୁ ମିଶାଇଲେ, ଚତୁର୍ଥ ଓ ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ବାବଦ ପାଖାପାଖି ୧୨ହଜାର ୯୧ କୋଟି ୮୫ଲକ୍ଷ ୩୨ ହଜାର ଟଙ୍କା ପଞ୍ଚାୟତକୁ ଯାଇଛି। ପୌରାଞ୍ଚଳ ପାଇଛନ୍ତି ୫ହଜାର ୪୬ କୋଟି ୨୭ ଲକ୍ଷ ୭୨ ହଜାର ଟଙ୍କା।

ରାଜ୍ୟ ସରକାର ଗତ ମେ ମାସରେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ସେନାପତିଙ୍କୁ ଅର୍ଥ କମିସନ ଭାବେ ନିଯୁକ୍ତି ଦେଇଛନ୍ତି। ନଭେମ୍ବର ୫ ତାରିଖରେ କମିସନଙ୍କ କାର୍ଯ୍ୟକାଳ ସରିବ। ବିଭାଗ ତାଙ୍କ କାର୍ଯ୍ୟକାଳ ବଢାଇବାକୁ ସୁପାରିସ କରିଥିବା ସୂଚନା ମିଳିଛି।

ବର୍ତମାନ ଯାଏ କମିସନ କିଛି ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ ପାଖାପାଖି ୨୨ ବିଭାଗ ସହିତ ଆେଲାଚନା କରିଛନ୍ତି। କୌତୂହଳର କଥା େହଲା, ଏହାର ମୁଖ୍ୟ ହିତାଧିକାରୀ ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ କିନ୍ତୁ କମିସନଙ୍କ ରାସ୍ତାରେ ବାଧକ ସାଜିଲେଣି। ଅର୍ଥ କମିସନ ବାବଦ ଅର୍ଥ କେତେ ଖର୍ଚ୍ଚ ହୋଇଛି, ନିର୍ଦିଷ୍ଟ କି କି ଭିତ୍ତିଭୂମି ନିର୍ମାଣ ହୋଇଛି ସେ ନେଇ ସଂପୃକ୍ତ ବିଭାଗମାେନ ଏଯାଏ ଏକ ଅବିକଳ ଚିତ୍ର କମିସନଙ୍କ ସାମ୍ନାରେ ଉପସ୍ଥାପନ କରିପାରିନାହାନ୍ତି। ପରିଣାମ ହେଲା, ଅର୍ଥ କମିସନ ତାଙ୍କ କାର୍ଯ୍ୟ ତ୍ବରାନ୍ବିତ କରିପାରୁନାହାନ୍ତି। ଆଗକୁ ପଞ୍ଚଦଶ ଅର୍ଥ କମିସନ ମଧ୍ୟ ଓଡ଼ିଶା ଆସିବେ।

ଏହାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେଲାଣି। ଅର୍ଥ ଖର୍ଚ୍ଚ ହେବ, ଅଥଚ କେଉଁଠି କେମିତି ଖର୍ଚ୍ଚ ହେଲା, କେତେ ଭିତ୍ତିଭୂମି ନିର୍ମାଣ ହେଲା, ପଞ୍ଚାୟତ ଓ ପୌରାଞ୍ଚଳର ନିଜସ୍ବ ରୋଜଗାର ବୃଦ୍ଧିରେ ଏହା ସହାୟତ ହେଲା ନା ନାହିଁ, ଏକଥା କେହି ଜାଣିନପାରିବା ଘଟଣାକୁ ପ୍ରଶାସନିକସ୍ତରରେ ମଧ୍ୟ ନାପସନ୍ଦ କରାଯାଇଛି।

ପୂର୍ବତନ ପ୍ରଶାସକମାନଙ୍କର କହିବା କଥା ହେଉଛି, ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିସନ ପଞ୍ଚାୟତକୁ ସିନା ଖୋଲା ପାଣ୍ଠି ଦେଲେ। ହେଲେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା କେରଳ ଭଳି ନୁେହଁ। ରାଜ୍ୟ ସରକାର ଚାହିଁଥିଲେ, ଏହି ଅର୍ଥ ବିନିଯୋଗ କରି ପଞ୍ଚାୟତିରାଜ ଓ ପୌରସଂସ୍ଥାରେ ଭିତ୍ତିଭୂମିକୁ ସୁଦୃଢ କରିପାରିଥାେନ୍ତ, ଯାହା ଫଳରେ କମିସନଙ୍କ ଉଦ୍ଦେଶ୍ୟ କେବଳ ସାଧିତ ହୋଇଥାନ୍ତା ତା ନୁହେଁ, ଅସଲ ଗ୍ରାମ ସ୍ବରାଜ ପ୍ରତିଷ୍ଠା ହୋଇପାରିଥାନ୍ତା। ଲୋକେ ସେମାନଙ୍କର ଆବଶ୍ୟକତା ମୁତାବକ ବିକାଶ କରିବା ଲାଗି ପର୍ଯ୍ୟାପ୍ତ ସୁେଯାଗ ପାଇପାରନ୍ତେ ଓ ଉପରୁ ଲଦି ଦିଆଯାଉଥିବା ଯୋଜନାର ପରିସମାପ୍ତି ଘଟିଥାନ୍ତା। କିନ୍ତୁ ଉଭୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।

ଉେଲ୍ଲଖଯୋଗ୍ୟ, କମିସନଙ୍କ ସୁପାରିସକୁ ସମ୍ପୂର୍ଣ୍ଣ ଯଦି ସରକାର ମାନନ୍ତି, ତେବେ ଉଭୟ ପୌରସଂସ୍ଥା ଓ ପଞ୍ଚାୟତ ନିଜ ନିଜର ଯୋଜନା ପ୍ରସ୍ତୁତ କରିବା କଥା। କିନ୍ତୁ ବାସ୍ତବ କଥା ହେଉଛି, ନା ପଞ୍ଚାୟତରେ ନା ପୌରାଞ୍ଚଳରେ ଅଭିଜ୍ଞ ବ୍ୟକ୍ତିଙ୍କୁ ଏଯାଏ ନିଯୁକ୍ତି ଦିଆଯାଇପାରିନାହିଁ। ଏେତ ପରିମାଣର ଅର୍ଥ ଖର୍ଚ୍ଚ କରିବା ଲାଗି ମଧ୍ୟ ପଞ୍ଚାୟତ କିମ୍ବା ପୌରାଞ୍ଚଳରେ କର୍ମଚାରୀ ବି ନାହାନ୍ତି। ରାଜ୍ୟରେ କ୍ବଚିତ୍ ପଞ୍ଚାୟତ ଦେଖିବାକୁ ମିଳିବ, ଯେଉଁଠାରେ ସକାଳ ୧୦ଟାରୁ ୫ଟା କାର୍ଯ୍ୟାଳୟ ଖୋଲା ରହେ। ନା ଏମାନଙ୍କୁ କିଏ ତଦାରଖ କରେ ନା ରାଜ୍ୟ ସରକାରଙ୍କ ଏଥି ପ୍ରତି ଦୃଷ୍ଟି ରହିଛି। ନିକଟ ଭବିଷ୍ୟତରେ ପଞ୍ଚାୟତିରାଜ ମନ୍ତ୍ରୀ ଏ ନେଇ ସମୀକ୍ଷା କରିଥିବା ମଧ୍ୟ ଦେଖାଯାଇନାହିଁ।

ଅର୍ଥଶାସ୍ତ୍ରୀମାନଙ୍କର କହିବା କଥା, ରାଜ୍ୟରେ ପଞ୍ଚାୟତ ବା ପୌରାଞ୍ଚଳର ସ୍ଥିତି କଣ ରହିଛି, ପଞ୍ଚାୟତ ବା ଵାର୍ଡ ଵାରି ଲୋକଙ୍କ ଆର୍ଥିକ ସ୍ଥିତିରେ କିଭଳି ସୁଧାର ଆସିବ, ସେସ ନେଇ କେବେ ସର୍ଭେ ହୋଇନାହିଁ। ଏ ନେଇ କୌଣସି ଘରୋଇ ସଂସ୍ଥାର ସଦ୍ୟତମ ରିେପାର୍ଟ ବି ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। କେଉଁ କେଉଁ ଗ୍ରାମରେ ବା ଵାର୍ଡରେ କି କି ଭିତ୍ତିଭୂମିର ଆବଶ୍ୟକତା ଅଛି, ତାର ତାଲିକା ମଧ୍ୟ ପ୍ରସ୍ତୁତ େହାଇନାହିଁ।

ଚତୁର୍ଥ ଅର୍ଥ କମିସନ ତାଙ୍କ ରିେପାର୍ଟରେ ଦର୍ଶାଇଛନ୍ତି ଯେ ପାଖାପାଖି ଦୁଇ ତିନିଟି ପଞ୍ଚାୟତ ଦାୟିତ୍ବରେ ଜଣେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି। ପ୍ରତି ପଞ୍ଚାୟତ ପାଇଁ କନିଷ୍ଠ ଯନ୍ତ୍ରୀ ନାହାନ୍ତି। ହିସାବ ଓ କମ୍ପ୍ୟୁଟର ସଂପର୍କରେ ଜ୍ଞାନ ଥିବା ଅଧିକାରୀଙ୍କୁ ନିେୟାଜିତ କରାଯାଇନାହିଁ। ଏସବୁ ସୁପାରିସ ଭିତରେ ହିଁ ରହିଯାଇଛି। ଯାହା ଏବେ ପଞ୍ଚମ ଅର୍ଥ କମିସନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର