ଫାଇନାନ୍ସ କର୍ମଚାରୀଙ୍କ ଦବଙ୍ଗଗିରି; ଛଡ଼ାଇ ନେଲେ ବୋଲେରୋ, ଯାତ୍ରୀ ହୀନସ୍ତା

ଧଉଳି:ଭୁବନେଶ୍ବର- ପୁରୀ ଜାତୀୟ ରାଜପଥର ଧଉଳି ଛକ ଏବଂ ଉତ୍ତରା ଛକ ମଧ୍ୟରେ ଏବେ ଘରୋଇ ଫାଇନାନ୍ସ କର୍ମଚାରୀ ଦବଙ୍ଗଗିରି ଚଳାଇଛନ୍ତି। କିସ୍ତି ଖିଲାପ କରୁଥିବା ବାଇକ ଓ ଚାରି ଚକିଆ ଯାନ ଛଡ଼ାଇ ନେଉଛନ୍ତି। ଏମିତିକି ପ୍ରତିବାଦ କଲେ ଗାଡ଼ି ମାଲିକମାନଙ୍କୁ ମାଡ଼ ମାରିବାକୁ ବି ସେମାନେ ପଛାଉ ନାହାନ୍ତି। ଖାଲି ସେତିକି ନୁହେଁ ଦରକାର ପଡ଼ିଲେ ଚାଳକ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଲଗାଇ ଭୟଭୀତ କରୁଥିବା ଜଣାପଡ଼ିଛି।

ଏନେଇ ଜୀତୀୟ ରାଜପଥରେ ଦୀର୍ଘ ସମୟ ଧରି ଛତ୍ତେଜନା ସୃଷ୍ଟି ହେଉଛି। ଜାତୀୟ ରାଜପଥରେ ପିସିଆର ଗାଡ଼ି  ପାଟ୍ରୋଲିଂ କରୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡ଼ିଛି। ଆଜି ଦିନ ଦ୍ବି ପ୍ରହରେ ଉତ୍ତରା ଛକ ନିକଟରେ ୫ ଜଣ ଫାଇନାନ୍ସ କର୍ମଚାରୀ ଏକ ବୋଲେରୋକୁ ଅଟକାଇଥିଲେ। ବୋଲେରୋରେ ଗୋଟିଏ ପରିବାରର ୪ ଜଣ ମହିଳାଙ୍କ ସମେତ ୭ ଜଣ ସଦସ୍ୟ କୌଣସି ଜରୁରୀ  କାମରେ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଫାଇନାନ୍ସ କର୍ମଚାରୀ ଅପରାହ୍ନ ୪ଟା ସମୟରେ ଉକ୍ତ ବୋଲେରୋକୁ ପିଛା କରି ଅଟକାଇଥିଲେ। ଚାଳକ ଗାଡ଼ି ରଖିବା କ୍ଷଣି ତାକୁ ନାନା ଧମକଚମକ ଦେଇ ଗାଡ଼ି ରେବତୀ ନଗର ଷ୍ଟକୟାର୍ଡ଼ ଆଡ଼କୁ ନେବାକୁ କହି ଭୟଭୀତ କରାଇଥିଲେ।

ବୋଲେରୋ ମାଲିକ ଏସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ। ଖବର ପାଇ ଧଉଳି ଥାନା ପିସିଆର ପୁଲିସ ଷ୍ଟକୟାର୍ଡ଼ ନିକଟରେ ପହଞ୍ଚି ଫାଇନାନ୍ସ କର୍ମଚାରୀଙ୍କୁ ଗାଡ଼ି ଛାଡ଼ି ଦେବାକୁ ତାଗିଦ କରିଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ଶେଷରେ ବୋଲେରୋ ମାଲିକ କିସ୍ତି ବାବଦ ନିର୍ଦ୍ଧାରିତ ପରିମାଣ ଟଙ୍କା ପୈଠ କରିବା ପରେ ଗାଡ଼ି ଛାଡ଼ିଥିଲେ। ସେହିପରି ପୂର୍ବାହ୍ନ ସମୟରେ ଅନୁରୂପ ଭାବେ ଫାଇନାନ୍ସ କର୍ମଚାରୀ ଜଣେ ବାଇକ ଚାଳକଙ୍କୁ ଭୟଭୀତ କରି ବାଇକ ଛଡ଼ାଇ ଥିଲେ। ଚାଳକ କାର୍ଯ୍ୟାଳୟରେ କିସ୍ତି ଟଙ୍କା ପୈଠ କରିବା ପରେ ଛାଡ଼ି ଦେଇଥିଲେ। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ  କୋର୍ଟ ନିର୍ଦ୍ଦେଶ ବଳରେ ଥାନା ପୁଲିସ ସହାୟତାରେ କିସ୍ତି ଖିଲାପ କରୁଥିବା ଗାଡ଼ି ମଟର ଜବତ କରଯାଇ ପାରିବ। ହେଲେ ଘରୋଇ ଫାଇନାନ୍ସ କର୍ମଚାରୀ ଆଇନ ଉଲ୍ଲଂଘନ କରି ଜାତୀୟ ରାଜପଥରେ ଆତଙ୍କ ରାଜ ଚଳାଇଛନ୍ତି। ପୁଲିସ କର୍ମସନର ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର