ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି ସାରଥି, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର

ବୀରମହାରାଜପୁର: ବିପଦ କେତେବେଳେ କେମିତି ଅ।ସେ କେହି କହି ପାରନ୍ତି ନାହିଁ । ପୁଣି ତାହା ଯେତେବେଳେ ଅଜଣା ରୋଗ ରୂପରେ ଆସେ ପରିସ୍ଥିତି ସଂଗୀନ ହୋଇଯାଏ । ଗୋଟିଏ ଗରିବ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି ଏମିତି ଏକ ରୋଗ । ବାପା-ମା’ଙ୍କୁ ପାଳିବା ବଦଳରେ ତାଙ୍କ ଉପରେ ବୋଝ ହୋଇପଡିଛନ୍ତି ଜଣେ ୨୯ ବର୍ଷିୟ ସାରଥି । ଚିକତ୍ସା କରି କରି ଜମି ବାଡି ବିକି ଦେଲେଣି ବାପା-ମା’। ତଥାପି ଅ।ବଶ୍ୟକ ଲକ୍ଷାଧିକ ଟଙ୍କା । ଏବେ ସରକାରୀ ସହାୟତା କିମ୍ବା ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ଭରସା ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ୨୦୦୯ ମସିହା ପର୍ଯ୍ୟନ୍ତ ସବୁ ଠିକଠାକ ଥିଲା । ହସ ଖୁସିରେ ପରିବାର ଚାଲିଥିଲା । ହଠାତ କାଳ ହୋଇ ଆସିଲା ଅଜଣା ରୋଗ। ଗୋଡ ଝିମ ଝିମ କଲା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଚିକିତ୍ସା ହେଲା ହେଲେ କିଛି ସୁଫଳ ମିଳି ନଥିଲା । ତା’ ପରେ ଗୁଣିଅ।-ବଇଦ ପାଖକୁ ବି ଗଲେ।  ସବୁଥିରେ ଫେଲ ମାରିଲେ ପରିବାର ଲୋକ। ସାରଥି ପଧାନଙ୍କ ରୋଗ ଏତେ ଦୂରକୁ ଗଲା ଯେ ଏବେ ସେ ଶଯ୍ୟାଶାୟୀ । ଚଲା ବୁଲା ତ ଦୁରର କଥା ଠିଆ ହୋଇ ପାରୁ ନାହାନ୍ତି । କେତେ ଆଡୁ ଚିକିତ୍ସିତ ହେଲା ପରେ କିଛି ଦିନ ତଳେ ଏମ୍‌ସର ଡାକ୍ତର ରୋଗକୁ ଚିହ୍ନଟ କରିଛନ୍ତି।  ଏଥିପାଇଁ ଦୁଇ  ବର୍ଷ ଫିଜିଓଥେରାପି ପାଇଁ  ପରାମର୍ଶ ଦେଇଛନ୍ତି । ତେବେ ତାହା ପୁଣି ଓଲଟପୁର କିମ୍ବା ସୁନ୍ଦରଗଡରେ, ଯାହା ଏବେ ସାରଥିଙ୍କ ପରିବାର ଉପରେ ପାହାଡ ସଦୃଶ ହୋଇ ପଡିଛି ।

ସାରଥି ପଧାନଙ୍କ ମା ଜୟନ୍ତୀ ପଧାନଙ୍କ କହିବା କଥାହେଲା ଦୀର୍ଘ ଦୁଇବର୍ଷ ପର୍ଯ୍ୟନ୍ତ ପୁଅର ଚିକିତ୍ସା କରିବାକୁ ହେବ। ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି। ଏବେ ଆମପାଖରେ ଏତେ ଟଙ୍କା ନାହିଁ । ପୁଅର ରହିବା ଖାଇବା ଖର୍ଚ୍ଚ, ତା’ସହିତ ପୁଅ ପାଖରେ ସବୁବେଳେ ଦୁଇଜଣ ରହିବା ଦରକାର ପଡୁଛି। ଏଥିପାଇଁ ସରକାରୀ ବା ବେସରକାରୀ ସଂସ୍ଥା ସାହାଯ୍ୟ ନକଲେ ପୁଅ ଭଲ ହୋଇପାରିବ ନାହିଁ ।  ହାତରେ ଟଙ୍କା ପଇସା ନ ଥିବାବେଳେ ବାହାରେ ରହି କେମିତି ପୁଅର ଚିକିତ୍ସା କରିବେ ତାହା ଏବେ ଭାବି ମଧ୍ୟ ପାରୁ ନାହାନ୍ତି ।  ଜମିବାଡି ଯାହା ଥିଲା ଚିକିତ୍ସା ପାଇଁ ବିକି ଦେଇଛନ୍ତି ସାରଥିଙ୍କ ବାପା । କେବଳ ସେତିକି ନୁହେଁ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ହାତରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ହେଁ ତାହା କାମକୁ ନୁହଁ ବୋଲି ଫେରାଇ ଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଟଙ୍କା ଅଭାବରୁ ବାହାରେ ଫିଜିଓଥେରାପି ନେଇ ପାରୁ ନଥିବାବେଳେ ଘରେ ଏକ ହାତ ତିଅ।ରି ମେସିନରେ କରୁଛନ୍ତି ବ୍ୟାୟାମ । ଏବେ ପୁଅର ଏଭଳି ଅବସ୍ଥା ଦେଖି ମା’  ଅ।ଖିରୁ ଲୁହ ସରୁନି । ଭେଣ୍ଡିଆ ପୁଅର ଚିକିତ୍ସା ପାଇଁ ସରକାର କିମ୍ବା ସହୃଦୟ ବ୍ୟକ୍ତିର ସହାୟତା ଲୋଡିଛନ୍ତି ସାରଥିଙ୍କ ମା’ । କେବେ କେମିତି ଗ୍ରାମବାସୀ ମଧ୍ୟ ସାହାଯ୍ୟ କରୁଥିବାବେଳେ ସରକାରୀ ସହାୟତା ହେଲେ ପିଲାଟି ଭଲ ହୋଇ ପାରିବ ବୋଲି କହିଛନ୍ତି ପଡୋଶୀ ।

ଏ ବିଷୟରେ ସୁବଣ୍ଣପୁର ଅତିରିକ୍ତ ଜିଲ୍ଲା ପାଳ ସୁର୍ଯ୍ୟ ନାରାୟଣ ଦାସ କହିଛନ୍ତି, ସରକାରୀ ସ୍ତରରେ ଓ ରେଡ଼କ୍ରସ ତରଫରୁ ଯାହା ସବୁ ସୁବିଧା ସୁଯୋଗ ଅଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସାହାଯ୍ୟ କରାଯିବ। ଯଦି କେହି ସହୃଦୟ ବ୍ୟକ୍ତି ସାରଥିଙ୍କୁ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତାହେଲେ ଏହି  ବ୍ୟାଙ୍କ ଆକାଉଣ୍ଟ (Ac-32611040567, IFSC_SBIN0009659 ଭାରତୀୟ ଷ୍ଟେଟ ବ୍ୟାଙ୍କ, ଧର୍ମଶାଳା ଶାଖା, ସୁବର୍ଣ୍ଣପୁର) ମାଧ୍ୟମରେ ଟଙ୍କା ପଠାଇ ପାରିବେ ।

ସମ୍ବନ୍ଧିତ ଖବର