ବାରିପଦା: ଅର୍ଥ ବିଭାଗ ମୁଖ୍ୟ ଶାସନ ସଚିବ ବିଶାଳ ଦେବ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ଆଜି ଗସ୍ତର ପ୍ରଥମ ଦିନରେ ଜିଲ୍ଲା ପରିଷଦ ସଦ୍ଭାବନା ଗୃହଠାରେ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ, ମଙ୍ଗଳ, ଶିଶୁ ବିକାଶ, ଆବାସ ଯୋଜନା, ଓରମାସ୍, ଜୀବିକା ମିସନ ଆଦି ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟକ୍ରମର ସେ ସମୀକ୍ଷା କରିଥିଲେ।
ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରାକାର, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସଙ୍କ ସମେତ ସବୁ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗର ଅଧୀକ୍ଷଣ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ଶେଷ ପରେ ଶ୍ରୀ ଦେବ ବାରିପଦା ସହର ୨୫ ନମ୍ବର ୱାର୍ଡ ପାଲବଣୀସ୍ଥିତ ମା’ ଦୁର୍ଗା ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଦ୍ବାରା ପରିଚାଳିତ ଆଚାର ୟୁନିଟ୍ ପରିଦର୍ଶନ କରିଥିଲେ। ଆଚାର ପ୍ରସ୍ତୁତି, ବ୍ୟବସାୟ ସମ୍ପର୍କରେ ପଚାରି ବୁଝିଥିଲେ।
ଗୋଷ୍ଠୀର ସଭାନେତ୍ରୀ ମୋନାଲିସା ଗାନ୍ଧି ବିକ୍ରିବଟା ସମସ୍ୟା ବାବଦରେ କହିଥିଲେ। ସ୍ଥାନୀୟ କାଉନସିଲର ଦେବାଶିଷ ପାତ୍ର ଆଚାର ୟୁନିଟ୍ ବୃଦ୍ଧି କରିବା ଓ ଏଥି ନିମନ୍ତେ ଋଣ ବ୍ୟବସ୍ଥା କରାଇବା ନେଇ ଶ୍ରୀ ଦେବଙ୍କୁ ନିବେଦନ କହିଥିଲେ। ଆସନ୍ତାକାଲି ସେ ବଡ଼ସାହି, ଖୁଣ୍ଟା, ଗୋପବନ୍ଧୁନଗର ଓ ଉଦଳା ବ୍ଲକ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।