ଅର୍ଥ ବିଭାଗର ବିଚିତ୍ର ନୀତି : ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସବୁ ହଁ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ନାଁ

ଭୁବନେଶ୍ବର : ଗତ ୭ ତାରିଖରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଦୁଇଟି ନିର୍ଦ୍ଦେଶନାମା ଜାରି କରିଥିଲେ। ୫ ପୃଷ୍ଠା ସମ୍ବଳିତ ଖର୍ଚ୍ଚକାଟ ନିର୍ଦ୍ଦେଶନାମା ସବୁ ବିଭାଗକୁ ଜାରି କରି ସରକାରଙ୍କ ଆର୍ଥିକ ସ୍ଥିତି ଅସମ୍ଭାଳ ହେଲାଣି ବୋଲି ସମସ୍ତଙ୍କୁ ଜଣାଇଥିଲେ। ହେଲେ ସେହିଦିନ ଆଉ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯାଇଛି। କରୋନା ମହାମାରୀ ସମୟରେ ଚୁକ୍ତି ସରିଯାଇଥିବା କର୍ମଚାରୀଙ୍କ ଛଟେଇ କରିବାକୁ ଅର୍ଥ ବିଭାଗ ନିର୍ଦେଶ ଦେଇଛନ୍ତି। ଚିଠି ନମ୍ବର ୨୦୦୮୮ ଅନୁଯାୟୀ ପ୍ରଶାସନିକ ଅଫିସର ସୁପରିଚାଳନା ପାଇଁ ଅର୍ଥ ସଚିବ ଜଣାଇଛନ୍ତି ଯେ କରୋନା ପାଇଁ ତାଲାବନ୍ଦ କଟକଣା ବଳବତ୍ତର ଥିବା ପର୍ଯ୍ୟନ୍ତ ଆଉ କୌଣସି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତ ଚୁକ୍ତି ନବୀକରଣ କରାଯିବନାହିଁ। ଏହାସହିତ ଯେଉଁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସିଧାସଳଖ ସରକାରୀ ବିଭାଗ ଦ୍ବାରା ନିଯୁକ୍ତି ପାଇଥିବେ ସେମାନଙ୍କ ପାଇଁ ପୂର୍ବରୁ ଥିବା ସ୍ବୟଂକ୍ରିୟ ନବୀକରଣ ବ୍ୟବସ୍ଥା ଆଉ ଲାଗୁ ହେବ ନାହିଁ। ଅର୍ଥାତ୍‌ କରୋନା ମହାମାରୀ ସମୟରେ ଯେଉଁ କର୍ମଚାରୀଙ୍କ ଚୁକ୍ତି ସରିଗଲା ସେମାନେ ଏବେ ରୋଜଗାର ହରାଇବେ। ଯେଉଁ କର୍ମଚାରୀମାନେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ପାଇଥିବେ, ସେମାନଙ୍କୁ ନିର୍ଦ୍ଧାରିତ ସର୍ତ୍ତ ମୁତାବକ ପାରିଶ୍ରମିକ ପ୍ରଦାନ କରାଯିବ। ଯଦି ଲକ୍‌ଡାଉନ୍‌ ଅବଧି ସମୟ ଭିତରେ ଏହି କର୍ମଚାରୀମାନଙ୍କ ଚୁକ୍ତି ସରିଯାଇଥିବ ତାହେଲେ ଚୁକ୍ତି ସରିବା ଦିନ ପର୍ଯ୍ୟନ୍ତ ସେମାନଙ୍କୁ ପାରିଶ୍ରମିକ ଦିଆଯିବ।

ଅନ୍ୟପଟେ, ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସରକାର ହାତ ଖୋଲିଦେଇଛନ୍ତି। ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୂଳ ଦରମାର ଅଧା ଭାଗ ପେନସନ୍‌ ଆକାରରେ ମିଳିବା ସହ ସମାନ ପରିମାଣର ଅର୍ଥ ପାରିଶ୍ରମିକ ଆକାରରେ ପାଇବେ। ଅର୍ଥାତ୍‌ ଜଣେ କର୍ମଚାରୀ ଚାକିରିରେ ଥିବା ବେଳେ ଯଦି ମୂଳ ଦରମା ବାବଦରେ ୮୦ ହଜାର ଟଙ୍କା ପାଉଥିଲେ, ତାହେଲେ ସରକାର ପୁନଃନିଯୁକ୍ତି ବ୍ୟବସ୍ଥା ଅନୁଯାୟୀ ପେନ୍‌ସନ୍‌ ଓ ପାରିଶ୍ରମିକ ମିଶି ସମ୍ପୃକ୍ତ କର୍ମଚାରୀ ମାସିକ ସେତିକି ଅର୍ଥ ପାଇବେ। ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଯେଉଁ ଅବସରପ୍ରାପ୍ତ କର୍ମଚାରୀ ପେନ୍‌ସନ୍‌ ପାଇବା ସହିତ ପୁନଃନିଯୁକ୍ତି ପାଇଛନ୍ତି କିନ୍ତୁ ଲକ୍‌ଡାଉନ୍‌ ଅବଧି ଭିତରେ କୌଣସି ଦିନ ଅଫିସ ନାହାନ୍ତି କି କାମ କରିନାହାନ୍ତି ତାହେଲେ ସେତିକି ଦିନ ତାଙ୍କ ପାରିଶ୍ରମିକ ଅର୍ଥରୁ କାଟି ଦିଆଯିବ। ଏହି ନିର୍ଦ୍ଦେଶନାମାକୁ ସମସ୍ତ ସରକାରୀ ଅଫିସରେ କଡ଼ାକଡ଼ି ଅନୁପାଳନ କରିବାକୁ ଅର୍ଥ ବିଭାଗ ପ୍ରମୁଖ ସଚିବ ଜଣାଇଛନ୍ତି।

ରାଜ୍ୟରେ ଆର୍ଥିକ କଟକଣା ଜାରି କରାଯିବା ସତ୍ତ୍ବେ ବିଭିନ୍ନ ବିଭାଗରେ ସରକାରୀ ନିର୍ଦେଶକୁ ନମାନି ଏକାଧିକ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ମିଳିଥିବା ବେଳେ ଅର୍ଥ ବିଭାଗର ଏହି ନିର୍ଦେଶନାମା ଯୁବବର୍ଗଙ୍କୁ ନିରାଶ କରିଛି।

ସମ୍ବନ୍ଧିତ ଖବର