ଅର୍ଥ ଖର୍ଚ୍ଚ ପାଇଁ ମଞ୍ଜୁରି ନେବାକୁ ସାନି ତାରିଖ ଧାର୍ଯ୍ୟ କଲା ଅର୍ଥ ବିଭାଗ

ଶେଷ ତ୍ରୟମାସିକରେ ମନଇଚ୍ଛା ଖର୍ଚ୍ଚ ନ କରିବାକୁ ତାଗିଦ୍‌ କଲେ ଅର୍ଥ ସଚିବ
ଜାନୁଆରି ୩୧ ପରିବର୍ତ୍ତେ ୨୪ ଫେବ୍ରୁଆରି ଧାର୍ଯ୍ୟ
ମାର୍ଚ୍ଚ ୧୬ ପରିବର୍ତ୍ତେ ୧୨ ତାରିଖ ସୁ୍ଦ୍ଧା ଟ୍ରେଜେରିକୁ ବିଲ ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ୨୦୨୦-୨୧ ଆର୍ଥିକ ବର୍ଷ ସରିବାକୁ ବସିଲାଣି। ଶେଷ ତ୍ରୟମାସିକରେ ସବୁ ବିଭାଗ ବଜେଟ୍‌ ଅର୍ଥ ଖର୍ଚ୍ଚ କରିବାକୁ ଲାଗିପଡ଼ନ୍ତି। ଅର୍ଥ ଖର୍ଚ୍ଚ କରିବା ଧର୍ମରେ ଅନାବଶ୍ୟକ ଭାବେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏପରି ନ କରିବାକୁ ଅର୍ଥ ବିଭାଗ ମନା କରିଛି। ଖୋଦ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ସଂକ୍ରାନ୍ତରେ ଆଜି ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ କମିସନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଏହାସହିତ ବିଭିନ୍ନ ଯୋଜନା ବାବଦରେ ବିଭାଗଗୁଡ଼ିକ ଅର୍ଥ ଖର୍ଚ୍ଚ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଜାନୁଆରି ୩୧ ତାରିଖକୁ ସଂପ୍ରାସାରଣ କରି ଫେବ୍ରୁଆରି ୨୪ ତାରିଖ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଛନ୍ତି। ସେହିପରି ଟ୍ରେଜେରିରେ ବିଲ୍‌ ଦାଖଲ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମାର୍ଚ୍ଚ ୧୬ ତାରିଖରେ ପରିବର୍ତ୍ତନ କରି ମାର୍ଚ୍ଚ ୧୨ ତାରିଖ ଶେଷ ତାରିଖ ଭାବେ ସ୍ଥିର କରାଯାଇଛି।

ଶ୍ରୀ ମୀନା ଚିଠିରେ ଦର୍ଶାଇଛନ୍ତି, କୌଣସି ବି ପରିସ୍ଥିତିରେ ଟ୍ରେଜେରିରୁ କଢ଼ା ଯାଇଥିବା ଅର୍ଥ ସିଭିଲ୍‌ ଡିପୋଜିଟ୍‌ ଆକାଉଣ୍ଟରେ ସ୍ଥାନାନ୍ତର କରାଯିବ ନାହିଁ। ଏହି ନିର୍ଦ୍ଦେଶ ଅବମାନନା କଲେ ସମ୍ପୃକ୍ତ ବିତ୍ତ ଅଧିକାରୀ, କଣ୍ଟ୍ରୋଲିଂ ଅଧିକାରୀ ଓ ଟ୍ରେଜେରି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇଏଫ୍‌ଏମ୍‌ଏସ୍‌ ବ୍ୟବସ୍ଥାରେ ସମସ୍ତ ଟ୍ରେଜେରିଗୁଡ଼ିକୁ ସଂଯୋଗ କରାଯାଇଛି। ଏହି ବ୍ୟବସ୍ଥାରେ କୌଣସି ପିଛିଲା ଦେଣନେଣ କାରବାର ହୋଇପାରିବ ନାହିଁ। ଚଳିତ ଆର୍ଥିକ ବର୍ଷର ସମସ୍ତ କାରବାର ଆଇଏଫ୍‌ଏମ୍‌ଏସ୍‌ ବ୍ୟବସ୍ଥାର ମାର୍ଚ୍ଚ ମାସ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ସେଥିପାଇଁ ସମସ୍ତ ବିଭାଗ ଯେପରି ସେମାନଙ୍କର ପାଣ୍ଠି ବାବଦ ଅର୍ଥ କାଢ଼ିବା ପ୍ରକ୍ରିୟା ଯଥେଷ୍ଟ ପୂର୍ବରୁ ସାରିବେ ସେ ନେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି। ଜଙ୍ଗଲ ଓ ଇଞ୍ଜିନିୟରିଂ ବିଭାଗରେ ଟଙ୍କା ଉଠାଣ ପାଇଁ ଥିବା ପ୍ରଦତ୍ତ ଚେକ୍‌ଗୁଡ଼ିକ କ୍ଲିୟରାନ୍‌ସ୍‌ ବେଳେ ଯଦି ଇଣ୍ଟରନେଟ୍‌ ବ୍ୟବସ୍ଥା ଫେଲ୍‌ ମାରେ ତାହାଲେ ସେ କ୍ଷେତ୍ରରେ ସମ୍ପୃକ୍ତ ବିଭାଗର ଟଙ୍କା ଉଠାଣ ଅଧିକାରୀ ନିକଟସ୍ଥ ଟ୍ରେଜେରିକୁ ଯାଇ ଚେକ୍‌ ପ୍ରଦାନ କରିବେ। କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁ଼ଡ଼ିକରେ କେନ୍ଦ୍ରୀୟ ପାଣ୍ଠି ମିଳିବାରେ ବିଳମ୍ବ ହେଉଥିବାରୁ ବଳକା ଅର୍ଥ ଫେରସ୍ତ ବିଳମ୍ବ ହୋଇପାରେ। ତେବେ ସମସ୍ତ ସରକାରୀ ବିଭାଗ ଅର୍ଥ ମଞ୍ଜୁରି, ବିନିଯୋଗ ଓ ଫେରସ୍ତ ନେଇ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ଯେପରି ଅକ୍ଷରେ ଅକ୍ଷରେ ପାଳନ କରନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ମୀନା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର