ଅର୍ଥ ବିଭାଗରେ ପଦୋନ୍ନତି ପ୍ରହସନ : ଡିପିସି ବୈଠକକୁ ମାସେ, ପ୍ରକାଶ ପାଉନି ପଦୋନ୍ନତି ତାଲିକା

କଟକ : ରାଜ୍ୟ ସରକାର ଆରମ୍ଭ କରିଥିବା ୫ଟି ଓ ପଦୋନ୍ନତି ଅଦାଲତ ବ୍ୟବସ୍ଥା ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି। ପ୍ରାୟ ମାସେ ତଳେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ବସିଥିବା ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକରୁ ଏହା ସ୍ପଷ୍ଟ ହେଉଛି। ଏହାମଧ୍ୟରେ ମାସେରୁ ଅଧିକ ସମୟ ବିତି ଗଲାଣି। ଏହି ସମୟ ମଧ୍ୟରେ ୫ଜଣ ଆଶାୟୀ କର୍ମଚାରୀ ଅବସର ନେଇସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଡିପିସି ତାଲିକା ପ୍ରକାଶ ପାରିପାରୁନାହିଁ।

ସୂଚନାଯୋଗ୍ୟ, ଜାନୁଆରି ୨୪ ତାରିଖରେ ଓଡ଼ିଶା ଅର୍ଥସେବା ଅଧିକାରୀଙ୍କ ଓଡ଼ିଶା ଟାକ୍ସେସନ୍‌ ଆଣ୍ତ ଆକାଉଣ୍ଟ୍‌ସ ସର୍ଭିସ କ୍ୟାଡରକୁ ପଦୋନ୍ନତି ପାଇଁ ଏହି ଡିପିସି ବସିଥିଲା। ହେଲେ ଏପର୍ଯ୍ୟନ୍ତ ତାଲିକା ପ୍ରକାଶ ପାଇପାରୁନଥିବାରୁ ୨୩୦ଜଣ କର୍ମଚାରୀ ଠିକ୍‌ ସମୟରେ ପଦୋନ୍ନତି ପାଇପାରୁନାହାନ୍ତି। ଏହି ସମୟ ମଧ୍ୟରେ ଅନ୍ୟ ବିଭାଗଗୁଡ଼ିକରେ ଡିପିସି ବସି ତାଲିକା ପ୍ରକାଶ ପାଇସାରିଲାଣି। ଏବ˚ ପଦୋନ୍ନତି ପାଇଥିବା ଅଧିକାରୀମାନେ ସେମାନଙ୍କ ପଦବିରେ ଯୋଗ ଦେଇସାରିଲେଣି। ଅଥଚ ଅର୍ଥ ବିଭାଗ ବହୁ ପୂର୍ବରୁ ଡିପିସି ବୈଠକ ଶେଷ କରିଥିଲେ ହେଁ ପଦୋନ୍ନତି ତାଲିକା ପ୍ରକାଶ କରିବାରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି।

ନିକଟ ଅତୀତରେ ସେକ୍ସନ ଅଫିସର‌୍‌ରୁ ଡେକ୍ସ ଅଫିସରକୁ ପଦୋନ୍ନତି ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପଦବି ଭିତ୍ତିକ ପଦୋନ୍ନତି ରାୟକୁ ଉଲ୍ଲଙ୍ଘନ କରାଯାଇଥିଲା। ତେଣୁ ଏହାକୁ ବିରୋଧ କରାଯିବାରୁ ଆଇନ୍‌ ବିଭାଗର ପରାମର୍ଶ ଲୋଡ଼ା ଯାଇଥିଲା। ଆଇନ୍‌ ବିଭାଗ ମଧ୍ୟ ଏହା ସପକ୍ଷରେ ମତ ଦେବା ପରେ ସେକ୍ସନ ଅଫିସରଙ୍କୁ ନ୍ୟାୟୋଚିତ ପଦୋନ୍ନତି ମିଳିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟଙ୍କୁ କେତେକ କ୍ଷେତ୍ରରେ ଭୁଲ ତର୍ଜମା କରାଯାଇ ଉଲ୍ଲଙ୍ଘନ କରାଯାଉଛି। ଯାହାଫଳରେ ସାଧାରଣ ବର୍ଗର କେତେକ ଆଶାୟୀ କର୍ମଚାରୀ ପଦୋନ୍ନତିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଆର‌୍‌.କେ. ସଭରଵାଲ ଓ ଅନ୍ୟମାନେ ବନାମ ପଞ୍ଜାବ ସରକାର ମାମଲାର ବିଚାରକରି ସର୍ବୋଚ୍ଚ ନ୍ୟାୟାଳୟ ପଦୋନ୍ନତିରେ ପଦବି ଭିତ୍ତିକ ପ୍ରକ୍ରିୟା ଅନୁସରଣ କରାଯିବାକୁ ରାୟ ଦେଇଥିଲେ। ନିକଟରେ ବି.କେ. ପବିତ୍ର ବନାମ ଭାରତ ସରକାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସମାନ ଧରଣର ରାୟ ପ୍ରଦାନ କରିଥିଲେ। ତେଣୁ ରାଜ୍ୟ ସରକାର ଏହାକୁ ନଜରରେ ରଖି ଅର୍ଥ ବିଭାଗର ପଦୋନ୍ନତି ତାଲିକା ତୁରନ୍ତ ପ୍ରକାଶ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର