ଭୁବନେଶ୍ବର : ଓଡ଼ିଶା ଟିକସ ଓ ଆକାଉଣ୍ଟସ୍ ସେବା ଅଧିକାରୀମାନଙ୍କୁ ପଦୋନ୍ନତି ଦେବାରେ ଅର୍ଥ ବିଭାଗ ଆଇନ ବିଭାଗର ନିର୍ଦ୍ଦେଶକୁ ମାନୁନି। ପଦୋନ୍ନତିରୁ ବଞ୍ଚିତ ସାଧାରଣ ବର୍ଗର ଅଧିକାରୀମାନେ ଏବେ ନ୍ୟୟାଳୟର ଆଶ୍ରୟ ନେଇଛନ୍ତି। ପୁନର୍ବାର ପଦୋନ୍ନତି କମିଟି ନ ଡକାଇ ଅର୍ଥ ବିଭାଗ କେବଳ ସମୟ ଗଡ଼ାଇଚାଲିଛି ବୋଲି ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଓଡ଼ିଶା ଅର୍ଥସେବା କ୍ୟାଡର ରୁଲ୍ ୨୦୧୧ ଅନୁଯାୟୀ ଅର୍ଥସେବା ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରେ ଖାଲିଥିବା ପଦବୀର ୫୦% ପଦୋନ୍ନତି ମାଧ୍ୟମରେ ଓଡ଼ିଶା ଟିକସ ଓ ଆକାଉଣ୍ଟସ୍ ସେବା ଅଧିକାରୀମାନଙ୍କ ମଧ୍ୟରୁ ପୂରଣ ହେବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାକୁ ଭିତ୍ତିକରି ଅର୍ଥ ବିଭାଗ ଦ୍ବାରା ୨୦୧୯ ଫେବ୍ରୁଆରି ୨୭ ତାରିଖରେ ଏକ ପଦୋନ୍ନତି କମିଟି ବୈଠକ ଡକାଯାଇଥିଲା। ୨୦୧୯ ଜାନୁଆରି ପହିଲା ସୁଦ୍ଧା ୧୯୮ଟି ଅର୍ଥ ସେବା କନିଷ୍ଠ ପ୍ରଥମ ଶ୍ରେଣୀ ପଦବୀ ପୂରଣ ନେଇ ୧୮୨ ଜଣ ଯୋଗ୍ୟ ଅଧିକାରୀଙ୍କ ନାମ କମିଟିର ବିଚାର ପାଇଁ ପଠାଯାଇଥିଲା। କିନ୍ତୁ ପଦୋନ୍ନତି କମିଟି ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶ ଓ ଆଇନ ବିଭାଗର ମତକୁ ଅଣଦେଖାକରି ମାତ୍ର ୧୪୭ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ସମାନ ବ୍ୟାଚରେ କିଛି ଏସସି-ଏସଟି ବର୍ଗର ଅଧିକାରୀଙ୍କୁ ପଦୋନ୍ନତି ମିଳିଲା ଅଥଚ, ସାଧାରଣ ବର୍ଗର ଅଧିକାରୀଙ୍କୁ ପଦୋନ୍ନତି ଦିଆଗଲାନି। ଫଳରେ ଏବେ ବହୁ ସାଧାରଣ ବର୍ଗର ଅଧିକାରୀ ପଦୋନ୍ନତିରୁ ବଞ୍ଚିତ ହୋଇ ତଳ ପଦବୀରେ କାର୍ଯ୍ୟ କରୁଛନ୍ତି।
ପଦବୀ ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଆଧାରରେ ପଦୋନ୍ନତି ନେଇ ସୁପ୍ରିମକୋର୍ଟ ବିଭିନ୍ନ ମାମଲାରେ ଦେଇଥିବା ରାୟ ସମ୍ପର୍କରେ ଆଇନ ବିଭାଗ ସ୍ପଷ୍ଟ କରିସାରିଛନ୍ତି। ଆର.କେ ସବରଵାଲ୍ ବନାମ୍ ପଞ୍ଜାବ ସରକାର, ଏମ୍. ନାଗରାଜନ୍ ବନାମ୍ କେନ୍ଦ୍ର ସରକାର, ବି.କେ. ପବିତ୍ର ବନାମ୍ କେନ୍ଦ୍ର ସରକାର ମାମଲାରେ ପଦୋନ୍ନତି କ୍ଷେତ୍ରରେ ପଦବୀ ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନୀତି ଆଧାରରେ ସାଧାରଣ ବର୍ଗ, ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ଆଧାରରେ ପଦୋନ୍ନତି ପାଇପାରିବେ। କୌଣସି ଗୋଟିଏ ବର୍ଗର ପଦବୀ ଅନ୍ୟ ବର୍ଗର ଅଧିକାରୀ ନେଇପାରିବେନାହିଁ। ନିକଟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ମଧ୍ୟ ଏ ନେଇ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ମଧ୍ୟ ଏହି ପଦୋନ୍ନତି କମିଟିର ନିଷ୍ପତ୍ତିକୁ ନାପସନ୍ଦ କରି ଅଗ୍ରାହ୍ୟ କରି ଦେଇଛନ୍ତି। ପଦୋନ୍ନତିରୁ ବଞ୍ଚିତ ଅଧିକାରୀମାନେ ଏବେ ସରକାରଙ୍କ ଅର୍ଥ ବିଭାଗରୁ ନିରାଶ ହେବା ପରେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/court.jpg)