ନିଜର ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ, ଅନ୍ୟକୁ ଶିକ୍ଷା ଦେଇ ଆତ୍ମତୃପ୍ତି ଅନୁଭବ କରୁଛନ୍ତି ମାଲକାନଗିରିର ଯମୁନା

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳ ବେଶ ପରିଚିତ। ଏଠାରେ କେବଳ ନକ୍ସଲଙ୍କର ଆତଯାତ ହିଁ ରହିଥାଏ।  ନକ୍ସଲଙ୍କ ନିୟମ କାନୁନରେ ଲୋକେ ଏଠାରେ ବନ୍ଧା। ଏହି ଅଂଚଳର ଲୋକେ ନୀରକ୍ଷର ହୋଇଥିବାରୁ ନକ୍ସଲ ଏହାର ବେଶ ଫାଇଦା ଉଠାଉଛନ୍ତି। କିନ୍ତୁ ଏବେ ସ୍ଥିତି ବଦଳିବାରେ ଲାଗିଛି। ସ୍ବାଭିମାନ ଅଂଚଳର ନକ୍ସଲ ପ୍ରବଣ ପଣସପୁଟ ପଞ୍ଚାୟତ ବେଜିଂ ଗ୍ରାମର ଝିଅ ଯମୁନା ଖିଲ। ବୟସ ୧୭ ବର୍ଷ। ପିଲାଟି ଦିନରୁ ପାଠ ପଢିବାର ପ୍ରବଳ ଆଗ୍ରହ ତାଙ୍କୁ ଆଜି କଲେଜ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛି।

ବାଲିମେଳା ବିଜ୍ଞାନ ଓ ବୈଷୟୀକ ମହାବିଦ୍ୟାଳୟରେ ଯୁକ୍ତ ୨ ପାସ କରିବା ପରେ ଏବେ ସେ ଘରେ ବସି ରହିଛନ୍ତି। ଅର୍ଥ ଅଭାବରୁ ସେ ଆଗକୁ ପାଠ ପଢିପାରୁନାହାନ୍ତି। କିନ୍ତୁ ନିଜ ଅଂଚଳରେ ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି ଯମୁନା। ଏହି ଅଂଚଳରେ ଶିକ୍ଷା କହିଲେ କଣ ଲୋକେ ବୁଝନ୍ତି ନାହିଁ। ପିଲାମାନେ ଗାଈ ଚରାଇବାରେ ବ୍ୟସ୍ତ ଥିବା ବେଳେ ଝିଅମାନେ ମାଆଙ୍କୁ ଘରୋଇ କାମରେ ସହଯୋଗ କରୁଥିବା ଦେଖିବାକୁ ମିଳେ। ଯମୁନା କିନ୍ତୁ ଏବେ ସବୁ ପିଲାଙ୍କୁ ଏକଜୁଟକରି ପ୍ରତିଦିନ ଦୁଇ ବେଳା ପାଠ ପଢାଉଛନ୍ତି। ପିଲାମାନଙ୍କୁ ଘରୁ ଡାକିଆଣି ଗାଁର ଏକ କୁଡିଆ ଘରେ ବସାଇ ସଂପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି। ଏଠାରେ ବିଶେଷକରି ପିଲାମାନେ ଗଂଜେଇ ଚାଷରେ ଲିପ୍ତ ରହୁଥିବା ଦେଖିବାକୁ ମିଳେ। ଶହ ଶହ ଏକର ଗଂଜେଇ ଚାଷ ହେଉଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ ପରିବାରର ଲୋକେ ପିଲାମାନଙ୍କୁ ଲଗାଇଥାନ୍ତି।

ତେବେ ଏସବୁରୁ ପିଲାଙ୍କୁ ମୁକ୍ତକରି ଯମୁନା ପାଠ ପଢାଇବା ପାଇଁ ଅଭିଭାବକମାନଙ୍କୁ ବୁଝାଇଥିଲେ। ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବାକୁ କହିଥିଲେ।କରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ପିଲାମାନେ ପାଠ ନପଢି ବେକାର ହେଉଥିବା ଦେଖିବାକୁ ମିଳିଛି। ପୁଣି ଏହି ଅଞ୍ଚଳରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକମାନଙ୍କର ମାସ ମାସ ଧରି ଦେଖାମିଳେ ନାହିଁ। ପିଲାଙ୍କୁ ପାଠ ପଢାଇବା ସହ ସେ ମଧ୍ୟ ଆଗକୁ ପାଠ ପଢିବାକୁ ଚାହୁଁଥିବା କହିଥିଲେ। କରୋନା ମହାମାରୀ ଯୋଗୁଁ କେହି ପଦାକୁ ବାହାରି ପାରୁନଥିବାରୁ ସେ ମଧ୍ୟ ଘରୁ ପଦାକୁ ବାହାରି ପାରିଲେ ନାହିଁ। ଘରେ ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ରୋଜଗାରର ପନ୍ଥା ସେଭଳି ନାହିଁ।

ଯମୁନା ଯୁକ୍ତ ତିନିରେ ନିଜ ନାମ ଲେଖାଇ ପୁଣି ପାଠ ପଢିବାକୁ ଚାହାନ୍ତି।ସେ ଉଚ୍ଚଶିକ୍ଷିତ ହେଲେ ସ୍ବାଭିମାନ ଅଂଚଳର ପିଲାମାନଙ୍କୁ ମଧ୍ୟ ଶିକ୍ଷିତ କରାଇବାର ଇଛା ପ୍ରକଟ କରନ୍ତି। ପାଠପଢାରେ ବାଧା ସୃଷ୍ଟି କରୁଥିବା ଗୋଷ୍ଠିଙ୍କୁ ଭୟ ନ କରି ଯମୁନା କିନ୍ତୁ ପିଲାଙ୍କୁ ଶିକ୍ଷା ଦେବା ଆରମ୍ଭ କରିଛନ୍ତି।ପାଠ ପଢିଲେ ହିଁ ସେମାନେ ମଣିଷ ହୋଇପାରିବେ ବୋଲି ଯମୁନା କହନ୍ତି। ଆମ ଅଂଚଳର ବହୁ ଝିଅ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ପାଠ ପଢୁଛନ୍ତି। ସକାଳେ ଏବଂ ସଂଧ୍ୟାରେ ପିଲାଙ୍କୁ ଏକତ୍ର କରି ଶିକ୍ଷାଦାନ କରୁଛନ୍ତି ଯମୁନା। ଏମାନେ ଉଚ୍ଚ ଶିକ୍ଷିତ ହେଲେ ସ୍ବାଭିମାନ ଅଂଚଳର ମଧ୍ୟ ବିକାଶ ହେବ ବୋଲି କହନ୍ତି। ପ୍ରଶାସନର ସହଯୋଗ ହେଲେ ସେ ଆଗକୁ ପଢିପାରନ୍ତେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର