ଯୁକ୍ତ ‌ଦୁଇ ରାୟଗଡ଼ା ଜିଲ୍ଲା ଟପର୍‌ ଛାତ୍ରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କଲେ ଗୁହାରି

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ପର ଘରେ କଟୁଛି ବାପା, ମାଆଙ୍କ ଦିନ

ରାୟଗଡ଼ା: ମୁଣ୍ଡ ଗୁଞ୍ଜିବାକୁ ଚାଳ ଖଣ୍ଡିଏ ନାହିଁ। ପର ଘରେ ବିତୁଛି ଜୀବନ। ବୃତ୍ତିରେ ବାପା ଚାଷୀ। ମାଆ ପରିବା ବିକାଳୀ। ଦାରିଦ୍ର୍ୟ ସହ ଲଢ଼େଇ କରି ଉଚ୍ଚ ଶିକ୍ଷା ପାଇଁ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ବାପା, ମାଆ ଯେଉଁ କିଛି ସ୍ବଳ୍ପ ଅର୍ଥ ଦେଉଛନ୍ତି ତାର ମୂଲ ଶୁଝିବାକୁ ପଣ କରିଛି ପୁଅ। ଅଭାବ ଅନଟନ ଭିତରେ ବଡ଼ ମଣିଷ ହେବାର ସ୍ବପ୍ନ ନେଇ ଜାରି ରଖିଛନ୍ତି ସଂଘର୍ଷ। ଫଳସ୍ବରୂପ ଯୁକ୍ତ ଦୁଇ କଳା ପରୀକ୍ଷାରେ ରାୟଗଡ଼ା ଜିଲ୍ଲା ଟପର୍ ହୋଇଛନ୍ତି ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ର ଗାନ୍ଧୀ କରକରିଆ।

କୋଲନରା ବ୍ଲକ୍ ଗାଡ଼ିଶେଷଖାଲ ପଞ୍ଚାୟତ ମଣ୍ଡଳପିତେଷୁ ଗ୍ରାମର ଗାନ୍ଧୀ କରକରିଆ। ଗାନ୍ଧୀଙ୍କ ବାପା ରାମସ୍ବାମୀ ବୃତ୍ତିରେ ଜଣେ ଚାଷୀ। ମାଆ ସରସ୍ବତୀ ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ପିଲାଟି ଦିନରୁ ଗାନ୍ଧୀ ଭଲ ପାଠ ପଢ଼ୁଥିବାରୁ ପୁଅର ସ୍ବପ୍ନ ପୂରଣ ପାଇଁ ଲାଗି ପଡିଛନ୍ତି ବାପା, ମାଆ। ଦାରିଦ୍ର୍ୟ ସହ ପ୍ରତିଦିନ ଲଢ଼ୁଥିବା ଏହି ପରିବାର ପାଇଁ ଏବେ ଏକ ମାତ୍ର ସାହା ଭରସା ପୁଅ ଗାନ୍ଧୀ। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରିଭଲକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ ଗାନ୍ଧୀ। ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଜେକେପୁର ସରସ୍ବତୀ ଶିଶୁ ମନ୍ଦିର ପଢ଼ିଥିଲେ।

ମାଟ୍ରିକ୍ ପରୀକ୍ଷାରେ ୪୦୫ ମାର୍କ ରଖି ପାସ୍ କରିବା ପରେ ଯୁକ୍ତ ଦୁଇ ପାଇଁ ରାୟଗଡ଼ା କଲେଜରେ ନାମ ଲେଖାଇଥିଲେ। ସାଙ୍ଗଙ୍କ ସହ ଭଡ଼ା ଘରେ ରହି ପଢ଼ୁଥିବା ଗାନ୍ଧୀ ଯୁକ୍ତ ଦୁଇ ପରୀକ୍ଷାରେ ୫୩୬ ମାର୍କ ରଖି ଜିଲ୍ଲା ଟପର୍ ହୋଇଛନ୍ତି। ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା ଗାନ୍ଧୀ ଭବିଷ୍ୟତରେ ଜଣେ ପ୍ରଫେସର ହେବାର ଲକ୍ଷ୍ୟ ରଖିଛନ୍ତି। ଯୁକ୍ତ ତିନି ପଢ଼ିବାକୁ ରାୟଗଡ଼ା କଲେଜରେ ନାମ ଲେଖାଇଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଆଶା ରଖିଛନ୍ତି। କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିବାରୁ କୌଣସି ସହୃହୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଭୁବନେଶ୍ବର କିମ୍ବା ଅନ୍ୟ ରାଜ୍ୟକୁ ପଢ଼ିବାକୁ ଯିବେ ବୋଲି ଗାନ୍ଧୀ କହିଛନ୍ତି। ନିଜସ୍ବ ଘର ନଥିବାରୁ  ଦୀର୍ଘ ୧୨ ବର୍ଷ ହେଲା ସଂପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜି ଆସୁଛନ୍ତି ଗାନ୍ଧୀଙ୍କ ପରିବାର। ପରିବାରର ବାର୍ଷିକ ଆୟ ୪୦ ହଜାରରୁ କମ୍ ଥିବାରୁ ଘର ଖଣ୍ଡିଏ ମଧ୍ୟ କରିପାରୁନାହାନ୍ତି। ବାପା ଚାଷ କରୁଥିବା ୧ ଏକର ଜମି ପରିବାରର ଦୈନିକ ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହେଉଛି। ଅର୍ଥ ସଞ୍ଚୟ କରି ଘର ଖଣ୍ଡିଏ ନିର୍ମାଣ କରିବାରେ ଏହି ଗରିବ ପରିବାର ସକ୍ଷମ ନଥିବାରୁ ପ୍ରଶାସନ ସହାୟତାର ହାତ ବଢ଼ାଇବାକୁ ନେହୁରା ହୋଇଛନ୍ତି ଗାନ୍ଧୀ।

ସମ୍ବନ୍ଧିତ ଖବର