କଟକ : କାକଟପୁରର ମା ମଙ୍ଗଳା ମନ୍ଦିର ଓ କେନ୍ଦ୍ରାପଡ଼ାର ଶ୍ରୀବଳଦେବଜିଉ ମନ୍ଦିରର ସେବକ/ପୂଜକମାନଙ୍କୁ ଆର୍ଥିକ ସହାୟତା ଓ ମନ୍ଦିର ଖୋଲିବା ପ୍ରସଂଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମନ୍ଦିର ଖୋଲିବା ପ୍ରସଂଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ଶୁଣାଣି ସମୟରେ ଦେବୋତ୍ତର କମିସନରଙ୍କ ପକ୍ଷରୁ ଆଜି ସତ୍ୟପାଠ ଦାଖଲ କରାଯିବ ବୋଲି ଦର୍ଶାଯାଇଥିଲା। ଅନ୍ୟ କେତେକ ମନ୍ଦିରର ସେବକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳା ମନ୍ଦିର ଓ ବଳଦେବଜିଉ ମନ୍ଦିର ସେବକଙ୍କୁ କିନ୍ତୁ ଏଥିରୁ ବଞ୍ଚିତ କରାଯାଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ନଭେମ୍ବର ୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ଦେବୋତ୍ତର କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧, ଜାନୁଆରି ୨୧ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ମାମଲାରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ସେବକଙ୍କୁ ଅାର୍ଥିକ ସହାୟତା ପ୍ରଦାନ ନିମନ୍ତେ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ। ଆଇନ ଅନୁସାରେ ସରକାର ମନ୍ଦିରର ସେବକଙ୍କୁ କୌଣସି ଆର୍ଥିକ ସହାୟତା ଦେଇପାରିବେ ନାହିଁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବକଙ୍କୁ ସରକାର କୌଣସି ଆର୍ଥିକ ସହାୟତା ପ୍ରଦାନ କରି ନାହାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୀମା ଯୋଜାନରେ ସେବକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଥିଲା। ଏହାପରେ ଆବେଦନକାରୀଙ୍କ ପକ୍ଷରୁ ଦାଖଲ ପ୍ରତିଜବାବରେ ଉଲ୍ଲେଖ କରାଯାଇଥିଲା ଯେ ସରକାର ଓ ସରକାରୀ କଳ ବିଭିନ୍ନ ମନ୍ଦିରର ସେବକଙ୍କୁ ଆର୍ଥିକ ସହାୟତା ପ୍ରସଂଗରେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି। ମା ବିରଜା ମନ୍ଦିରର ଅଙ୍ଗଲାଗି ସେବକଙ୍କୁ ୩ ଲକ୍ଷ ୮୦ ହାଜର ଟଙ୍କା ଆର୍ଥିକ ସହାୟତା ଓ କଣ୍ଟିଲୋ ଶ୍ରୀ ନୀଳମାଧବ ଜିଉ ବିଜେ ସେବକଙ୍କୁ ଅନୁଷ୍ଠାନର ବ୍ୟାଙ୍କ ଖାତାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ସଂପର୍କିତ ପ୍ରସ୍ତାବକୁ ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟ ଅନୁମତି ଦେଇଥିଲେ ବୋଲି ଅତିରିକ୍ତ ସତ୍ୟପାଠରେ ଆବେଦନକାରୀ ଦର୍ଶାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କାକଟପୁରର ମା ମଙ୍ଗଳା ମନ୍ଦିରର ପ୍ରକାଶ କୁମାର ପଣ୍ଡା ଓ ଅନ୍ୟମାନେ ଆର୍ଥିକ ସହାୟତା ପ୍ରଦାନ ପ୍ରସଂଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେହିଭଳି ଭାବେ କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିରର ସେବକ ସୁରେଶ ଚନ୍ଦ୍ର ପତ୍ରୀ ଓ ଅନ୍ୟ ସେବକଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟରେ ଏ ନେଇ ମାମଲା ରୁଜୁ କରାଯାଇଥିଲା। ଦୁଇ ମାମଲାର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Orissa-High-Court-1.jpg)