୮୮୩ ନିର୍ମାଣ ଶ୍ରମିକଙ୍କୁ ୨.୯୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ସୋହେଲା: ସ୍ଥାନୀୟ ଅଗ୍ରସେନ ଭବନଠାରେ ଆଜି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୮୮୩ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ  ୨ କୋଟି ୯୭ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ସହାୟତା ରାଶି ପ୍ରଦାନ କରିଥିଲେ। ନିର୍ମାଣ ଶ୍ରମିକ ଏବଂ ତାଙ୍କ ପରିବାର ଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ଆଲୋକପାତ କରିଥିଲେ। ଏଥିସହ ନିର୍ମାଣ ଶ୍ରମିକମାନେ ସେମାନଙ୍କ କାର୍ଡ ରିନୁଆଲ, ରିନୁଆଲ ବାର୍ଷିକ ଦେୟ, ମୃତ୍ୟୁକାଳୀନ, ଅନ୍ତ୍ୟେଷ୍ଟିକ୍ରିୟା, ବିବାହ ତଥା ପ୍ରସୂତିକାଳୀନ ସହାୟତା ଓ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାବୃତି ସହାୟତା ଆବେଦନ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ଆଉ ହଇରାଣ ଓ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ। ଘରେ ବସି ନିଜ ମୋବାଇଲ କିମ୍ବା ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ସରକାରଙ୍କ ତରଫରୁ ଖୋଲାଯାଇଥିବା ପୋର୍ଟାଲରେ ହିତାଧିକାରୀ ଏହି ସବୁ କାର୍ଯ୍ୟ କରିପାରିବେ ବୋଲି କହିଥିଲେ।

ରାଜ୍ୟର ଶ୍ରମିକ ମାନଙ୍କ ଉନ୍ନତି ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଇଁ  କୃତଜ୍ଞତା ଜ୍ଞାପନ କରିଥିଲେ। ଭଟଲି ନିର୍ବାଚନ ମଣ୍ଡଳୀ ଅମ୍ବାଭୋନା, ଭଟଲି ଓ ସୋହେଲା ବ୍ଲକର ଷଷ୍ଠରୁ ବିଇଡି ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୫୧୫ ଜଣ  ଛାତ୍ରଛାତ୍ରୀଙ୍କୁ ୨୫ ଲକ୍ଷ ୪୧ ହଜାର ୨୦୦ ଟଙ୍କାର ଛାତ୍ରବୃତି, ସେହିପରି ଶ୍ରମିକମାନଙ୍କ ଝିଅ ବିବାହ ସହାୟତା ବାବଦକୁ ୧୮୪ଜଣ ହିତାଧିକାରୀଙ୍କୁ ୮୯ଲକ୍ଷ ଟଙ୍କାର ସହାୟତା, ମୃତ୍ୟୁବରଣ କରିଥିବା ୯୨ଜଣ ଶ୍ରମିକଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧କୋଟି ୭୮ହଜାର ଟଙ୍କା ଏବଂ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୪ଲକ୍ଷ ୬୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଶ୍ରମ ବିଭାଗ ତରଫରୁ ଶ୍ରମିକ ପରିବାର ଷଷ୍ଠ ଓ ସପ୍ତମ ଶ୍ରେଣୀର ପଢୁଥିବା ଝିଅମାନଙ୍କୁ ବାର୍ଷିକ ୨ହଜାର ଟଙ୍କା, ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ୨ହଜାର ଏବଂ ଛାତ୍ରୀମାନଙ୍କୁ ୨୪ ଶହ, ନବମ ଶ୍ରେଣୀର ଛାତ୍ରଙ୍କୁ ୩୬ ଶହ ଏବଂ ଛାତ୍ରୀଙ୍କୁ ୪ହଜାର ଟଙ୍କା, ଦଶମ ଶ୍ରେଣୀ ଛାତ୍ରଙ୍କୁ ୪ହଜାର ଏବଂ ଛାତ୍ରୀଙ୍କୁ ୪୮ଶହ ଟଙ୍କା, ଯୁକ୍ତ୨ ଛାତ୍ରଙ୍କୁ ୫ ହଜାର ଓ ଛାତ୍ରୀଙ୍କୁ ୬ହଜାର ଟଙ୍କା, ଯୁକ୍ତ ୩ ଅଧ୍ୟୟନ କରୁଥିବା ଛାତ୍ରଙ୍କୁ ୭ହଜାର ଓ ଛାତ୍ରୀ ମାନଙ୍କୁ ୮ହଜାର ୪ଶହ ଟଙ୍କା ଏବଂ ବିଇଡି କରୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ହଜାର ଟଙ୍କାର ରାଜ୍ୟ ଶ୍ରମ ବିଭାଗ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ପୂର୍ବରୁ ଶ୍ରମବିଭାଗ ତରଫରୁ ଶ୍ରମିକ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବର୍ତମାନ ଉକ୍ତ ସହାୟତା ରାଶି ୨ ଲକ୍ଷକୁ ବୃଦ୍ଧି କରାଯାଇଛି। ଏଥିସହିତ ଅନ୍ତେଷ୍ଟିକ୍ରିୟା ପାଇଁ ୫ ହଜାର ଟଙ୍କା ସହିତ ଶ୍ରମିକମାନଙ୍କ ଝିଅ ବିବାହ ପାଇଁ ପୂର୍ବରୁ ୨୫ହଜାର ଟଙ୍କାର ସହାୟତା ମିଳୁଥିବା ବେଳେ ବର୍ତମାନ ଏହା ୫୦ ହଜାର ଟଙ୍କାକୁ ବୃଦ୍ଧି  କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ମାନଭଂଜନ ପଧାନ, ସହକାରୀ ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି ଏବଂ ୱେଲଫେୟାର କୋଡିନେଟର ସୌମ୍ୟରଂଜନ ସାହୁ ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, ଗୋବିନ୍ଦ ପଧାନ, ରଘୁ ପଟେଲ ଓ ଜ୍ଞାନେନ୍ଦ୍ର ସାହୁ ମଂଚାସୀନ ଥିଲେ। ସୋହେଲା ବ୍ଲକ୍‌ ଡବ୍ଲୁଇଓ ଅତୀଶ ଭୋଇ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର