ପ୍ରଭୁକୃପାକୁ ଅନାଇ ବସିଛନ୍ତି ପ୍ରଭୁପ୍ରକାଶ: କିଡ୍‌ନି ପ୍ରତିରୋପଣ ପାଇଁ ଅର୍ଥ ବାଧକ

ବଲାଙ୍ଗୀର: ଘରେ ୩୫ ବର୍ଷର ପୁଅ ଶଯ୍ୟାଶାୟୀ। ବୃଦ୍ଧ ମା’,ବାପା ପୁଅର ଅବସ୍ଥା ଦେଖି ଅବାକ୍‌। ସ୍ବାମୀର ଚିକିତ୍ସା ପାଇଁ ସ୍ତ୍ରୀର ଅନବରତ ସଂଘର୍ଷ। ଏସବୁର ସାକ୍ଷୀ କୁନି ଝିଅର ନିରବତା। ସହାୟତା ଆଶାରେ ସମସ୍ତଙ୍କ ଆଖିରୁ ଝରୁଛି ଲୁହ। ଏକ ଚଳଚ୍ଚିତ୍ରର ଦୃଶ୍ୟ ଭଳି ମନେହେଉଥିବା ଏଭଳି ସତ କାହାଣୀ ଘଟିଛି ବଲାଙ୍ଗୀର ସହରର ଇନ୍ଦିରାନଗରରେ।

ଏହି ଯୁବକ ଜଣକ ହେଉଛନ୍ତି ପ୍ରଭୁପ୍ରକାଶ ନାୟକ (୩୫ବର୍ଷ)। ଦୀର୍ଘ ୯ ବର୍ଷ ହେଲା କିଡ୍‌ନି ରୋଗରେ ସଂଘର୍ଷ କରୁଛନ୍ତି ପ୍ରଭୁପ୍ରକାଶ। ତାଙ୍କ ପରିବାର କହିଲେ ବାପା ପ୍ରମୋଦ ନାୟକ, ମା’ ସ୍ବର୍ଣ୍ଣଲତା, ସ୍ତ୍ରୀ ଚନ୍ଦ୍ରମା ଏବଂ ୮ ବର୍ଷର ଝିଅ ପିନାକୀ। ପ୍ରମୋଦ ତନଖି ଫାଟକରେ ଚାକିରିକରି ଅବସର ନେଇସାରିଲେଣି। ଏବେ ପେନ୍‌ସନ୍‌ ପାଉଛନ୍ତି ମାସିକ ମାତ୍ର ୩ ହଜାର ଟଙ୍କା। ପ୍ରଭୁ ଡ୍ରାଇଭର୍‌ ଭାବେ କାମ କରୁଥିଲେ ହେଁ ଯାହା ଉପାର୍ଜନ ହେଉଥିଲା, ହସଖୁସିରେ ସଂସାର ଚାଲୁଥିଲା। ହେଲେ, ୨୦୧୬ ମସିହାରେ ଅଚାନକ ଅସୁସ୍ଥ ହୋଇପଡ଼ିଲେ ପ୍ରଭୁ। ଡାକ୍ତରଙ୍କୁ ଦେଖାଇବାରୁ ତାଙ୍କୁ ଯକ୍ଷ୍ମା ହୋଇଥିବ ବୋଲି ସନ୍ଦେହ କଲେ। ସେହି ହିସାବରେ ଉପଚାର ଆରମ୍ଭ ହେଲା। କିନ୍ତୁ ପ୍ରଭୁଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ହେଲା ନାହିଁ। ସେ କିଡ୍‌ନି‌ ରୋଗରେ ଆକ୍ରାନ୍ତଥିବା ପରେ ଜଣାପଡ଼ିଲା।

୨୦୧୬ ମସିହାରୁ ହିଁ ସପ୍ତାହକୁ ତିନିଥର ତାଙ୍କ ଡାଇଲିସିସ୍‌ ଚାଲିଛି। ବିଜୁ ସ୍ବାସ୍ଥ୍ୟକାର୍ଡରୁ ଏହି ଖର୍ଚ୍ଚ କଟୁଛି। କିନ୍ତୁ ଗତ ତିନିମାସ ହେଲା ପ୍ରଭୁଙ୍କ ଅଣ୍ଟା ତଳକୁ ଅଚଳ ହୋଇପଡ଼ିଛି। ହ୍ବିଲ୍‌ ଚେୟାରରେ ତାଙ୍କ ଦିନ କଟୁଛି। ଡାକ୍ତରଙ୍କ ପରାମର୍ଶ ପରେ ମା’ ସ୍ବର୍ଣ୍ଣଲତା ଗୋଟିଏ କିଡ୍‌ନି ଦେବାକୁ ରାଜି ଅଛନ୍ତି। କିନ୍ତୁ, ଏହି ପ୍ରତିରୋପଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ। ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ବଲାଙ୍ଗୀର ଅକ୍ସିଜେନ ବ୍ୟାଙ୍କ ଓ ୧୯୮୨ ମାଟ୍ରିକ ବ୍ୟାଚ୍‌ର ପରି କିଛି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନର ସହାୟତାରୁ ଲକ୍ଷେ ଟଙ୍କା ଯୋଗାଡ଼ କରି ପ୍ରଭୁଙ୍କୁ ବିଶାଖାପାଟଣା ନିଆଯାଇଛି। କିନ୍ତୁ ହାତରେ ଏବେ ମାତ୍ର ୩୦ ହଜାର ଟଙ୍କା। ସଫଳ ଅସ୍ତ୍ରୋପଚାର ପାଇଁ ସ୍ତ୍ରୀ ଚନ୍ଦ୍ରମା, ମୋବାଇଲ ନମ୍ବର- ୭୦୦୮୫୨୩୦୧୫, ବ୍ୟାଙ୍କ ଆକାଉଣ୍ଟ (ଏସ୍‌ବିଆଇଏନ୍‌ ୦୦୦୦୪୬/ ୩୬୨୯୫୭୫୯୨୩୬)ରେ ସହାୟତା କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର