ମାଲିର ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ବାପା ମା’ଙ୍କ ନିବେଦନ

ବୟସ ସହ ତାଳ ଦେଇ ପିଠିରେ ବଢୁଛି ମାଂସ ପିଣ୍ଡୁଳା

ଶାଳଚୁଆ: ବୟସ ବଢ଼ିବା ସହିତ ବଢ଼ିଚାଲିଛି ଯନ୍ତ୍ରଣା। ୪ ବର୍ଷର ଝିଅଟି ନା ସ୍ବାଭାବିକ ଜୀବନ ବଞ୍ଚିପାରୁଛି ନା ହସଖେଳ ବୟସରେ କାହାସହ ମିଶି ପାରୁଛି। ବିଛଣାରୁ ଉଠିବାକୁ ବି ମା’ର ସାହାରା ଲୋଡ଼ୁଛି। କପ୍ତିପଦା ବ୍ଲକ୍‌ ନୋଟ ପଞ୍ଚାୟତ ହପବୁର ଗ୍ରାମର ମୋହନ ହେମ୍ବ୍ରମଙ୍କ ୪ ବର୍ଷର ଝିଅ ମାଲିଙ୍କ ପାଇଁ ଜୀବନ ପାଲଟିଛି ଯନ୍ତ୍ରଣା।

ମୋହନଙ୍କ ୫ ସନ୍ତାନ ମଧ୍ୟରୁ ମାଲି ସବାସାନ। ଜନ୍ମର ଦେଢ ବର୍ଷ ଯାଏ ଅନ୍ୟ ଶିଶୁଙ୍କ ପରି ତାର ଜୀବନ ସ୍ୱାଭାବିକ ଥିଲା। ହେଲେ ଦେଢ ବର୍ଷ ପରେ ପିଠିରେ ଏକ ମାଂସ ପିଣ୍ଡୁଳା ବଢ଼ୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଝିଅକୁ ଚିକିତ୍ସା ପାଇଁ ଉଦଳା, ବାରିପଦା ଓ ଶେଷରେ ବାଲେଶ୍ୱର ଡାକ୍ତରଖାନା ନେଇଥିଲେ। ବାଲେଶ୍ୱରରେ ଡାକ୍ତର ପରୀକ୍ଷାନିରୀକ୍ଷା ପରେ ଅଧିକ ଚିକିତ୍ସା ପାଇଁ କଟକ ଡାକ୍ତରଖାନା ନେବାକୁ କହିଥିଲେ।

ହେଲେ ଦିନ ମଜୁରିଆ ଭାବେ କାମ କରୁଥିବା ମୋହନ ଅର୍ଥ ଅଭାବରୁ ଝିଅକୁ କଟକ ନେବାକୁ ସମର୍ଥ ହୋଇନଥିଲେ। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଥିବା ପରିବାର ଝିଅର ଚିକିତ୍ସା ପାଇଁ ଅର୍ଥ ଆଣିବ ବା କେଉଁଠୁ। ତେଣୁ ବାଧ୍ୟହୋଇ ଝିଅକୁ ଘରେ ରଖିଛନ୍ତି ଅସହାୟ ବାପା ମା। ଏପଟେ ଦିନକୁ ଦିନ ପିଠିର ମାଂସ ପିଣ୍ଡୁଳା ବଡ଼ ହେଉଥିବାରୁ କୁନି ଝିଅଟି ଭାରି କଷ୍ଟ ପାଉଛି। ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ବାପା ମୋହନ। ସରକାରୀ କିମ୍ବା ବେସରକାରୀ ସ୍ତରରେ ଚିକିତ୍ସା ସହାୟତା ଯୋଗାଇ ଦିଆଗଲେ କୁନି ଝିଅଟି ଅନ୍ୟ ପିଲାମାନଙ୍କ ଭଳି ସ୍ୱାଭାବିକ ଭାବେ ଜୀବନ ବିତାଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର