ଦାଦନ ଦୁଃଖ, କିଡ୍‌ନି ରୋଗାକ୍ରାନ୍ତ ଯୁବକଙ୍କ ଚିକିତ୍ସାରେ ଅର୍ଥ ବାଧକ

ଦାଦନ ଦୁଃଖ, କିଡ୍‌ନି ରୋଗାକ୍ରାନ୍ତ ଯୁବକଙ୍କ ଚିକିତ୍ସାରେ ଅର୍ଥ ବାଧକ

ଯାଜପୁରସଦର: ଯାଜପୁର ବ୍ଲକ୍‌ ପଣସା ପଞ୍ଚାୟତ ତଥା ପଣସା ଗ୍ରାମର ପଞ୍ଚାନନ ସେଠୀଙ୍କ ପୁଅ ଗୁରୁଚରଣ(୩୦) କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଅବସ୍ଥାରେ ଘରେ ପଡ଼ି ରହିଛନ୍ତି। ଏକମାତ୍ର ରୋଜଗାରିଆ ବ୍ୟକ୍ତି ରୋଗଗ୍ରସ୍ତ ହୋଇପଡ଼ିବାରୁ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି। ପରିବାର କିପରି ଚଳିବ ଓ ରୋଗଗ୍ରସ୍ତ ପୁଅର ଚିକିତ୍ସା ହେବ ସେ କଥା ଚିନ୍ତା କରି ବାପାମା’ ଓ ତାଙ୍କ ପତ୍ନୀ ଭାଙ୍ଗି ପଡ଼ିଛନ୍ତି। ସୂଚନା ଅନୁଯାୟୀ, ପଣସା ଗ୍ରାମର ଗୁରୁଚରଣ କିଛିବର୍ଷ ତଳେ ମାତ୍ର ୨୫ ବର୍ଷ ବୟସରେ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ।

ସୂତାକଳରେ ୫ ବର୍ଷ କାମ କରିବା ପରେ ସେଠାରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ପରୀକ୍ଷା କରି ଦୁଇଟି ଯାକ କିଡ୍‌ନି ଖରାପ ହୋଇଯାଇଛି ବୋଲି ଡାକ୍ତର କହିଥିଲେ। ଏହା ଶୁଣିବା ପରେ ସେ ଭାଙ୍ଗି ପଡ଼ିଥିଲେ। କାମ ଛାଡ଼ି ଘରକୁ ଫେରି ଆସିଥିଲେ। ଏବେ ସ‌େ ଘରେ ବସି ରହିଥିବା ବ‌େଳେ ତୁରନ୍ତ କିଡ୍‌ନି ପ୍ରତ୍ୟାରୋପଣ ନକଲେ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼ିବ ବୋଲି ଡାକ୍ତର କହୁଛନ୍ତି। ଏହା ଶୁଣିବା ପରେ ତାଙ୍କ ବାପାମା’ ଓ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି। ପରିବାର କିପରି ଚଳିବ କୁନିକୁନି ଦୁଇ ଝିଅଙ୍କ ଭବିଷ୍ୟତ କ’ଣ ହେବ ସେହିଚିନ୍ତାରେ ଗୁରୁଚରଣ ଅଧିକ ଭାଙ୍ଗି ପଡ଼ୁଛନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗ କଲେ ସେ ଭଲ ହୋଇ ପାରନ୍ତେ ବୋଲି ପରିବାର ଲୋକେ ଗୁହାରି କରୁଛନ୍ତି।

ତାଙ୍କ ପତ୍ନୀ ଗୋଟିଏ କିଡ୍‌ନି ଦେବାକୁ କହୁଥିବା ବେଳେ ପ୍ରତ୍ୟାରୋପଣ ପାଇଁ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ଆବଶ୍ୟକ ହେବ। ଏତେ ଟଙ୍କା ସେ କେଉଁଠୁ ଆଣିବେ ପୁଅକୁ କିପରି ବଞ୍ଚାଇ ରଖିବେ ସେହି ଚିନ୍ତାରେ ପଞ୍ଚାନନ ଅସହାୟ ହୋଇପଡ଼ିଛନ୍ତି। ତାଙ୍କ ମାଆ କାନ୍ଦିକାନ୍ଦି ପୁଅକୁ ବଞ୍ଚାଇ ଦେବା ପାଇଁ ବିଭିନ୍ନ ଲୋକଙ୍କ ନିକଟରେ ନେହୁରା ହେଉଛନ୍ତି। ଗୁରୁଚରଣଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି। କେହି ସହୃଦୟ ବ୍ୟକ୍ତି ସହାୟତା ଦେବାକୁ ଚାହୁଁଥିଲେ, ଗୁରୁଚରଣ ସେଠୀ, ଆକ୍ସିସ୍ ବ୍ୟାଙ୍କ, ଆକାଉଣ୍ଟ ନମ୍ବର-୯୨୧୦୧୦୦୦୧୬୫୪୬୯୪, ଆଇଏଫଏସସି କୋଡ-ୟୁଟିଆଇବି୦୦୦୧୧୨୨ରେ ସହାୟତା ଅର୍ଥ ପଠାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe