ମାନବବାଦୀ ସଂଗଠନର ଆର୍ଥିକ କାରବାରର ତଦନ୍ତ ହେବ

ଖୋର୍ଦ୍ଧା ଏସ୍‌ପି ଅଫିସ ଘେରିଲେ ସପକ୍ଷବାଦୀ, ଖଲାସ ପାଇଁ ଦାବିପତ୍ର ଦେଲେ

ଖୋର୍ଦ୍ଧା : ମାନସ ଦାସ ଓ ମାନବବାଦୀ ସଂଗଠନର ଆର୍ଥିକ କାରବାରର ତଦନ୍ତ ହେବ। ଆଜି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏତେବଡ଼ ସଂଗଠନ ଓ ସଂଗଠନର କାର୍ଯ୍ୟ ପାଇଁ ଅର୍ଥର ଆବଶ୍ୟକତା ହୋଇଥାଏ। ତଦନ୍ତ ପରେ ଆବଶ୍ୟକ ପଡ଼ିଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଅପରପକ୍ଷେ ଗିରଫ ମାନସ ଦାସ ଓ ତାଙ୍କ ପୁଅକୁ ନିର୍ଦ୍ଦୋଷ ଦର୍ଶାଇ ଆଜି ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକ ଜିଲ୍ଲାର ଶତାଧିକ ସମର୍ଥକ ବସ୍‌, ମୋଟରସାଇକଲ୍‌, ଜିପ୍ ଆଦିରେ ଆସି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇ ମାନସ ଦାସଙ୍କୁ ଛାଡ଼ିବାକୁ ଦାବି କରିବା ସହ ତାଙ୍କର ଜୟଜୟକାର କରିଥିଲେ।

୧୯୯୯ ମସିହାରୁ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ଗଠନ ହୋଇଥିଲା। ସଅର, ଆଦିବାସୀ ଓ ପଛୁଆବର୍ଗଙ୍କ ମଧ୍ୟରେ ମାନବବାଦର ପ୍ରଚାର କରିବାକୁ ମାନବବାଦୀ ସଂଗଠନ ନାମକ ଏକ ଛାମୁଆ ସଂଗଠନ ଗଠନ କରାଯାଇଥିଲା। କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ଓଡ଼ିଶାର ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରେ ମଧ୍ୟ ସଂଗଠନ କାମ କରୁଛି ବୋଲି ଅଗଷ୍ଟ ୩୧ ତାରିଖରେ ଖୋର୍ଦ୍ଧା କୋର୍ଟକୁ ଆସିବା ବେଳେ ମାନସ ଦାସ କହିଥିଲେ। ତାଙ୍କ ସଂଗଠନରେ ଲକ୍ଷାଧିକ ସଦସ୍ୟ ଅଛନ୍ତି ବୋଲି ମଧ୍ୟ ସେ ଦାବି କରିଥିଲେ। ସଂଗଠନର ସମସ୍ତ ସଦସ୍ୟଙ୍କଠାରୁ ସଭ୍ୟ ଚାନ୍ଦା ୩୦ ଟଙ୍କା ଓ ପ୍ରତିବର୍ଷ ମେ ୨୪ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ୫୦୦ଟଙ୍କା ଲେଖାଏଁ ଚାନ୍ଦା ଆଦାୟ ହୋଇଥାଏ। ସଂଗଠନ ପକ୍ଷରୁ ନିମୟିତ ଭାବେ ବିଭିନ୍ନ ଜିଲ୍ଲାରେ ସଭ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହୁଏ। ସେମାନଙ୍କ ଖାଦ୍ୟପେୟ ସହ ସୁରକ୍ଷାକର୍ମୀଙ୍କ ସ୍ବତନ୍ତ୍ର ପୋଷାକ ପାଇଁ ମଧ୍ୟ ଖର୍ଚ୍ଚ କରାଯାଏ। ଗତକାଲି ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନର ଗିରଫଦାରୀ ପରେ ତରାବୋଇ, ବେଗୁନିଆ, ବାଙ୍କି, ପୁରୀ, ପିପିଲି, କଣାସ, ବୋଲଗଡ଼ ଆଦିରୁ ଶତାଧିକ ସମର୍ଥକ ବସ୍‌, ବଲେରୋ, ଓମିନି, ଟାଟା ଏସି, ଅଟୋରେ ଆସି ଖୋର୍ଦ୍ଧା ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ। ଆଜି ସକାଳେ ମଧ୍ୟ ଶତାଧିକ ସମର୍ଥକଙ୍କ ଭିଡ଼ ଜମିଥିଲା। ଲୋକମାନେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମସ୍ତ ସମର୍ଥକଙ୍କୁ କିଏ ଆଣୁଛି, ଉଭୟ ମାନସ ଓ ମନୋରଂଜନଙ୍କ ଗିରଫ ପରେ ସଂଗଠନର ଲୋକଙ୍କୁ କିଏ ସଂଗଠିତ କରୁଛି, ସେମାନଙ୍କୁ ପାଇଁ ଅର୍ଥ କିଏ ଖର୍ଚ୍ଚ କରୁଛି ଆଦି ଘଟଣା ପୁଲିସର ସନ୍ଦେହଘେରକୁ ଆସିଛି। ଏହି ସମସ୍ତ ପ୍ରସଙ୍ଗ ଉପରେ ପୁଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର