ମାଲକାନଗିରି: ଦୀର୍ଘ ଦିନ ପରେ ପୂରଣ ହେଲା ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ସ୍ଵପ୍ନ।ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ସେତୁ ଯୋଜନା ମାଧ୍ୟମରେ ମତ୍ସ୍ୟ ଜୀବିକାଙ୍କୁ ଦେଖେଇଛନ୍ତି ବଞ୍ଚିବାର ରାହା। ଚିତ୍ରକୋଣ୍ଡା ଜଳ ଭାଣ୍ଡରର ଅପରପାର୍ଶ୍ୱରେ ରହୁଥିବା ଯଡାମ୍ବ, ଗାଜଲମାମୁଡି, ବଡପଦର, ପଣସପୁଟ ଭଳି ପଞ୍ଚାୟତ ବାସୀଙ୍କୁ ଆଜି ୫୦ ଗୋଟି ମତ୍ସ୍ୟ ଚାଷୀଙ୍କୁ ମାଛ ଧରା ଡଙ୍ଗା, ୫୦ଟି ଜାଲ ଓ ୧୦୦ଟି ଲାଇଫ୍ ଜ୍ୟାକେଟ ବଣ୍ଟନ କରାଯାଇଛି। ପୂର୍ବରୁ ହାତ ତିଆରି ଦେଶୀ ଡଂଗାରେ ଲୋକେ ମାଛ ମାରି ଜୀବନ ଜୀବିକା ନିର୍ବାହ କରୁଥିଲେ।ତେବେ ଏଥିରେ ବିପଦ ରହିଥିଲା। ସରକାରଙ୍କ ନିକଟରେ ସ୍ବାଭିମାନ ଅଂଚଳର ବାସୀ ଦାବି କରିଆସୁଥିଲେ। ସରକାର ମତ୍ସ୍ୟ ବିଭାଗ ତରଫରୁ ଏହି ଡଂଗା,ଜାଲ ଓ ଲାଇଫ ଜ୍ୟାକେଟ ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ଚେୟାରମ୍ୟାନ ସମାରୀ ଟାଙ୍ଗୁଲ ନିଜ ପଞ୍ଚାୟତ ବାସିନ୍ଦାଙ୍କୁ ଏହି ଡଙ୍ଗା ବଣ୍ଟନ କରି ନିଜକୁ ଗର୍ବିତ ମନେ କରିବା ସହ ଅଞ୍ଚଳ ବାସିନ୍ଦା ମଧ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି।ପୂର୍ବରୁ ଏହି ଅଞ୍ଚଳରେ ଯାତାୟତ ପାଇଁ କୌଣସି ସୁବିଧା ନ ଥିବା କାରଣରୁ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାରେ ବାଧା ସୃଷ୍ଟି ହୋଇଥିଲା।ରୋଜଗାରର କୌଣସି ସାଧନ ନଥିବାରୁ ବହୁ କଷ୍ଟରେ ପରିବାର ଚଳାଉଥିଲେ। ମତ୍ସ୍ୟ ଚାଷୀ ଡ୍ୟାମ୍ ରୁ ମାଛ ସଂଗ୍ରହ କରି କମ୍ ଦାମରେ ବିକ୍ରି କରୁଥିଲେ।ରୋଜଗାର ସଠିକ ରୂପେ ହୋଇ ପାରୁନଥିଲା।ଲୋକେ ବାଧ୍ୟ ହୋଇ ଗଂଜେଇ ଚାଷକୁ ଆପଣେଇଥିଲେ।ଏବେ ସ୍ବାଭିମାନ ଅଂଚଳରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବେଆଇନ ଗଂଜେଇ ଚାଷରୁ ଦୁରେଇବା ସହ ଜୀବନ ଜୀବିକା ପାଇଁ ବିଭିନ୍ନ ରୋଜଗାରର ବାଟ ଦେଖାଉଛନ୍ତି।ସେଥିମଧ୍ୟରେ ଜଳଭଣ୍ଡାରରୁ ମାଛ ସଂଗ୍ରହ କରି ନିଜର ଗୁଜରାଣ ମେଣ୍ଟାଇବା।ବର୍ତ୍ତମାନ୍ ରାଜ୍ୟ ସରକାରଙ୍କ ଫୋକସରେ ସ୍ୱାଭିମାନ ଅଞ୍ଚଳ ଥିବା ବେଳେ, ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ଵ ଦେବା ସହ ଅଂଚଳର ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ଯ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛି।