ଭୁବନେଶ୍ବର/କେନ୍ଦୁଝର/କୋଇଡ଼ା: ଗାଡ଼ି ସୌଖୀନ ଥିଲେ ବିଜେଡି ନେତା ସୌମ୍ୟଶଙ୍କର (ରାଜା) ଚକ୍ର। ପରିବହନ ବ୍ୟବସାୟ ସହ ଜଡ଼ିତ ଥିବାରୁ ତାଙ୍କ ପାଖରେ ରହିଛି ମାଳମାଳ ଟ୍ରକ୍‌। ଏହାଛଡ଼ା ତାଙ୍କ ପାଖରେ ମର୍ସିଡିଜ୍‌, ରୁବିକନ୍‌, ରେଞ୍ଜ ରୋଭର୍‌, ଡିଫେଣ୍ଡର୍‌ ଏକ୍ସ, ଫର୍ଚୁନର୍‌ ଭଳି ଦାମୀ ଗାଡ଼ି ସାଙ୍ଗକୁ ହାର୍ଲେ ଡାଭିଡସନ୍‌ ପରି ବିଦେଶୀ ବାଇକ୍‌ ରହିଛି। ରୋଚକ କଥା ହେଉଛି, ତାଙ୍କ ମାଲିକାନା ସ୍ବତ୍ବରେ ଥିବା ପ୍ରାୟ ଗାଡ଼ିର ନମ୍ବର ୦୦୨୧। ଏଥିରୁ ଅନେକ ଗାଡ଼ିକୁ ଇଓଡବ୍ଲ୍ୟୁ ଜବତ କରିଥିବା ବେଳେ ଆହୁରି ୧୦ରୁ ଊର୍ଦ୍ଧ୍ବ ବିଳାସପୂର୍ଣ୍ଣ ଗାଡ଼ିକୁ ଇଓଡବ୍ଲ୍ୟୁ ଖୋଜୁଛି।

Advertisment

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି ପରି ଆଜି ମଧ୍ୟ ବିଜେଡି ନେତା ରାଜା ଚକ୍ରଙ୍କ ବିଭିନ୍ନ ଠିକଣାରେ ଇଓଡବ୍ଲ୍ୟୁ ଚଢ଼ଉ ଜାରି ରଖିଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ୧୦ଟି ଟ୍ରକ୍‌ (ହାଇୱା) ଜବତ କରାଯାଇଥିବା ବେଳେ କେନ୍ଦୁଝରରୁ ଗୋଟିଏ ସ୍କର୍ପିଓ ଏବଂ ଗୋଟିଏ ଗ୍ରାଣ୍ଡ ଭିଟାରା କାର ଜବତ କରିଛି ଇଓଡବ୍ଲ୍ୟୁ। ଜବତ ୧୦ଟି ଟ୍ରକ୍‌ ମେସର୍ସ ଶଙ୍କର ମିନେରାଲ୍‌ସ ଓ ଦିବ୍ୟାଂଶୀ ଆସୋସିଏଟ୍‌ସ ନାମରେ ରହିଥିବାବେଳେ ଏହି ସଂସ୍ଥାର ମାଲିକ ଖୋଦ୍ ସୌମ୍ୟଶଙ୍କର ଚକ୍ର ଓ ଜ୍ୟୋତିରଞ୍ଜନ ମିଶ୍ର ବୋଲି ଜଣାପଡ଼ିଛି। ଇଓଡବ୍ଲ୍ୟୁ ଟିମ୍ କୋଇଡ଼ାର ବିଭିନ୍ନ ଖଣି ଓ ପରିବହନ ସଂସ୍ଥାକୁ ଯାଇ ପଚରାଉଚରା କରିବା ସହ ଖୋଳତାଡ଼ ଜାରି ରଖିଛନ୍ତି।  

ସବୁ ଗାଡ଼ି ନମ୍ବର ୦୦୨୧, ଆହୁରି ୧୦ ବିଳାସପୂର୍ଣ୍ଣ ଗାଡ଼ିକୁ ଖୋଜୁଛି ଇଓଡବ୍ଲ୍ୟୁ
କୋଇଡ଼ାରୁ ୧୦ ଟ୍ରକ୍‌, କେନ୍ଦୁଝରରୁ ସ୍କର୍ପିଓ, ଗ୍ରାଣ୍ଡ ଭିଟାରା ଜବତ
ସହଯୋଗୀଙ୍କୁ ୬ ଘଣ୍ଟା ଜେରା, ଆଜି ଡ୍ରାଇଭରଙ୍କ ପାଳି

ଅନ୍ୟପକ୍ଷରେ ରାଜାଙ୍କ ଅନ୍ୟତମ ସହଯୋଗୀ ସମୀର କୁମାର ଜେନା ଆଜି ଇଓଡବ୍ଲ୍ୟୁରେ ହାଜର ହୋଇଥିଲେ। ରାଜାଙ୍କ ଆର୍ଥିକ କାରବାରଠାରୁ ଆରମ୍ଭ କରି ତାଙ୍କ ସହ ଜଡ଼ିତ ଥିବା ବଡ଼ବଡ଼ିଆଙ୍କ ସମ୍ପର୍କରେ ଇଓଡବ୍ଲ୍ୟୁ ସମୀରଙ୍କୁ ଗୁଡ଼େଇ ତୁଡ଼େଇ ୬ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଆସନ୍ତାକାଲି ଏହି ଘଟଣାରେ ରାଜାଙ୍କ ଡ୍ରାଇଭର ଦେବାଶିଷ ସାମଲ ଇଓଡବ୍ଲ୍ୟୁରେ ହାଜର ହେବେ ବୋଲି ଜଣାପଡ଼ିଛି। ଆଜି କୋଇଡ଼ା, କେନ୍ଦୁଝର, ଗୋପାଳପୁର, ଝାରସୁଗୁଡ଼ା ସମେତ ୬ଟି ସ୍ଥାନରେ ଓଇଡବ୍ଲ୍ୟୁ ଚଢ଼ଉ କରିଛି। ଗତକାଲି ୧୭ଟି ଟ୍ରକ୍‌, ଫର୍ଚୁନର୍‌, ହା‌ର୍ଲେ ଡାଭିଡ୍‌ସନ୍‌ ବାଇକ୍‌ ଜବତ ହୋଇଥିଲା।

ଆଜି ୧୦ଟି ଟ୍ରକ୍‌ ସମେତ ସ୍କର୍ପିଓ ଓ ଗ୍ରାଣ୍ଡ ଭିଟାରା ଜବତ ହେବା ପରେ ଜବତ ଗାଡ଼ିର ତାଲିକା ଲମ୍ବିବାରେ ଲାଗିଛି। ରାଜାଙ୍କର ଆହୁରି ୧୦ଟି ବିଳାସପୂର୍ଣ୍ଣ ଗାଡ଼ିର ତାଲିକା ଇଓଡବ୍ଲ୍ୟୁ ହାତରେ ଲାଗିଛି। ସେ ବ୍ୟବହାର କରୁଥିବା ଜିପ୍‌ ରୁବିକନ୍‌ (ଓଡି-୦୯-ଟି-୦୦୨୧), ରେଞ୍ଜ ରୋଭର୍‌ (ଓଡି-୦୨-ବିୱାଇ-୦୦୨୧), ଡିଫେଣ୍ଡର୍‌ ଏକ୍ସ (ଓଡି-୦୨-ସିୟୁ-୦୦୨୧), ଫର୍ଚୁନର୍‌ ଲିଜେଣ୍ଡର (ଓଡି-୦୯-ୱାଇ-୦୦୨୧), ମର୍ସିଡିଜ୍‌ (ଓଡି-୦୯-ଆର୍‌-୨୧୨୧), ମର୍ସିଡିଜ୍‌ ୪୦୦-ଡି (ଓଡି-୦୨-ସିଏନ୍‌-୦୦୨୧), ମିନି କୁପର୍‌ (ଓଡି-୦୯-ଏଡି-୦୦୨୧) ଗାଡ଼ିକୁ ଇଓଡବ୍ଲ୍ୟୁର ସ୍ବତନ୍ତ୍ର ଟିମ୍‌ ଖୋଜୁଥିବା ସୂଚନା ମିଳିଛି। ସେହିପରି ଗୋପାଳପୁରସ୍ଥିତ ଫାର୍ମ ହାଉସ୍‌ରେ ଇଓଡବ୍ଲ୍ୟୁ ଚଢ଼ଉ କରି ଅନେକ ବିଳାସପୂର୍ଣ୍ଣ ସାମଗ୍ରୀ ଠାବ କରିଛି। ଫାର୍ମ ହାଉସ୍‌ରେ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଘର ସାଙ୍ଗକୁ ବିଭିନ୍ନ ପ୍ରକାର ମୂର୍ତ୍ତି, ଗାଲିଚା, ଗଛ ଏବଂ ପୋଖରୀ ରହିଛି। ଫାର୍ମ ହାଉସ୍‌କୁ ଦେଖି ଚକିତ ହୋଇଛନ୍ତି ଇଓଡବ୍ଳ୍ୟୁ ଅଧିକାରୀ।