କର୍କଟ ରୋଗରେ ରାଜେନ୍ଦ୍ର କାଣ୍ଡି, ଅର୍ଥ ଅଭାବରୁ ଅଟକିଛି ଚିକିତ୍ସା

ପୂର୍ବରୁ ବାପା ଓ ଭାଇ ମୃତ୍ୟୁବରଣ କରିଛନ୍ତି
ପୁଅ ଚିନ୍ତାରେ ବୁଢ଼ୀ ମା’ର ଲୁହ ଶୁଖୁନି

ଜଗତସିଂହପୁର ଟାଉନ୍ : ପର ଘଷର ମୂଲ ଲାଗି ମେହେନତ କରି ପରିବାର ଚଳାଉଥିବା ୨୬ ବର୍ଷ ପୁଅକୁ କର୍କଟ ରୋଗ । ଏକଥା ଜାଣିବା ପରେ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ବିଧବା ମା ହେମ ଲତା କାଣ୍ଡି । ପୂର୍ବରୁ ସ୍ୱାମୀ ଓ ଅନ୍ୟ ଜଣେ ପୁଅକୁ ହରାଇଥିବା ବେଳେ ଏବେ ବେଡ଼ି ଉପରେ କରୋଡା ବୋଝ ଲଦି ହୋଇ ଯାଇଛି । ସାନ ପୁଅକୁ କିପରି ଭଲ କରିବେ ତାକୁ ନେଇ କିଛି ବୁଦ୍ଧି ବାଟ ଦେଖା ଯାଉନାହଁ । ଅର୍ଥ ଅଭାବରୁ ଚିକିତ୍ସା ଅଟକିଛି।

ଜଗତସିଂହପୁର ପୌରାଚଂଳ ୧୬ ନମ୍ବର ୱାର୍ଡ ପାଣିଶାଳିଆରେ ହେମ ଦେଇ ପୁଅ ସହ ରହୁଛନ୍ତି । ୬ ବର୍ଷ ତଳେ ଗଛ କାଟୁଥିବା ବେଳେ ତଳେ ପଡ଼ି ସ୍ୱାମୀ ମୃତ୍ୟୁବରଣ କରିଥିଲେ। ଛାତିକୁ ପଥର କରି ପିଲାମାନଙ୍କୁ ମଣିଷ କରିବାକୁ ଲାଗି ପଡ଼ିଥିଲେ ହେମ । କିନ୍ତୁ ଦଇବ ଦାଉ ସାଧିଲା । ସ୍ୱାମୀଙ୍କ ପରେ ଗତ ୨ ବର୍ଷ ତଳେ ମଝିଆଁ ପୁଅ କିଡ୍ନୀ ରୋଗରେ ପଡ଼ିଲା। ହେଲେ ଅଭାବ ଅନଟନ ଯୋଗୁଁ ଚିକିତ୍ସା ହୋଇନପାରି ଶେଷରେ ଆଖି ବୁଝିଲେ ମଝିଆଁ ପୁଅ । ବଡ଼ ପୁଅ ଓ ସାନ ପୁଅ ବେଶି ପାଠ ପଢ଼ି ନଥିଲେ । ପରିବାର ପ୍ରତି ପୋଷଣ ପାଇଁ ମୂଲ ଲାଗିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ସାନ ପୁଅ ରାଜେନ୍ଦ୍ର କାଣ୍ଡିଙ୍କୁ କର୍କଟ ହୋଇଥିବା ନେଇ ଦୁଇ ମାସ ତଳେ ଜଣାପଡ଼ିଲା । ଏହାପରେ ସ୍ଥିତି ଆହୁରି ବିଗିଡ଼ି ଗଲା । ଲକ୍ ଡାଉନ୍ ଯୋଗୁଁ କାମ ଧନ୍ଦା ବନ୍ଦ ହୋଇ ଯାଇଛି । ବଡ଼ ଭାଇର ରୋଜଗାର ଶୂନ । ସାନ ପୁଅ ରାଜେନ୍ଦ୍ର କର୍କଟ ରୋଗରେ ଘରେ ପଡ଼ିଛନ୍ତି । ଏବେ ରୋଗର ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ । ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ହେମ । ସରକାର ଓ କେହି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ପୁଅ ବଚିଂଯିବ ବୋଲି ଆଶା ବାନ୍ଧିଛନ୍ତି ହେମ।

ସମ୍ବନ୍ଧିତ ଖବର