ବାଲେଶ୍ବର: ବାଲେଶ୍ବରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ‘ମନୋଜାୟନ’ ପକ୍ଷରୁ ଫକୀରମୋହନ ବିଶ୍ବବିଦ୍ୟାଳୟରେ ସାରସ୍ବତ ସାଧକ ମନୋଜ ଦାସଙ୍କ ସ୍ମୃତିରକ୍ଷା ନିମନ୍ତେ ମନୋଜ କଥା ପୁରସ୍କାର ପ୍ରତିଷ୍ଠା ହୋଇଛି। ବିଶ୍ବବିଦ୍ୟାଳୟ ନିୟମା‌ନୁଯାୟୀ ଏଥି ନିମନ୍ତେ ୩ ଲକ୍ଷ ଟଙ୍କାର ସ୍ଥାୟୀ ଜମା ବିଶ୍ବବିଦ୍ୟାଳୟ ଏଣ୍ଡଡାଉମେଣ୍ଟ୍‌ ପାଣ୍ଠିରେ ପଇଠ କରାଯିବା ସହ ଆଜି ଏ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍‌ ‘ମନୋଜାୟନ’ର ସଭାପତି ପ୍ରଫେସର ରବିନାରାୟଣ ଦାଶ, ସମ୍ପାଦକ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଓ ଯୁଗ୍ମ ସମ୍ପାଦକ ଡକ୍ଟର ମାନସ ରଂଜନ ସାମଲ ପ୍ରମୁଖ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି।

Advertisment

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଖୁବଶୀଘ୍ର ଏ ସମ୍ବନ୍ଧରେ ବିଧିବିଧାନ ପ୍ରସ୍ତୁତ କରି ପୁରସ୍କାର ପ୍ରଦାନ ପାଇଁ ପଦକ୍ଷେପ ନେବେ। ଯଶସ୍ବୀ ଲେଖକ ମନୋଜ ଦାସ କୈଶର ବୟସରୁ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ସେଥିଲାଗି ଯୁବ ପ୍ରତିଭାଙ୍କୁ ଉତ୍ସାହିତ ତଥା ଅନୁପ୍ରାଣିତ କରିବା ଲକ୍ଷ୍ୟରେ ସ୍ଥାପିତ ଏହି ପୁରସ୍କାର-ପ୍ରତିଯୋଗିତାରେ ବିଷୟ ନିର୍ବିଶେଷ‌ରେ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଓଡ଼ିଆ ଭାଷାରେ ଲିଖିତ ମୌଳିକ କ୍ଷୁଦ୍ରଗଳ୍ପ ରଚନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିସହିତ ବିଶ୍ବବିଦ୍ୟାଳୟର ଶେଷବର୍ଷ ଓଡ଼ିଆ ସ୍ନାତକରେ ସର୍ବୋଚ୍ଚ ନମ୍ବର ରଖିଥିବା‌ ଛାତ୍ର କିମ୍ବା ଛାତ୍ରୀଙ୍କୁ ମନୋଜ ଦାସ ସ୍ମୃତି ପୁରସ୍କାର ପ୍ରଦାନ ପାଇଁ ୨ ଲକ୍ଷ ଟଙ୍କାର ଅନ୍ୟ ଏକ ସ୍ଥାୟୀ ଜମା ପ୍ରଦାନର ବ୍ୟବସ୍ଥା କରାଯାଇଛି। ବାଲେଶ୍ବରର ଅନେକ ମନୋଜପ୍ରେମୀ ପାଠକଙ୍କ ପୃଷ୍ଠପୋଷକତା ତଥା ସମ୍ମିଳିତ ସଦିଚ୍ଛା ଫଳରେ ଏହି ପୁରସ୍କାରମାନ ପ୍ରତିଷ୍ଠା କରିବା ସମ୍ଭବପର ହୋଇଛି। ଏଥିପାଇଁ ମନୋଜାୟନ ତରଫରୁ ସମସ୍ତ ବଦାନ୍ୟ ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଫକୀରମୋହନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମନୋଜ ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଜିଣିବା ପାଇଁ ନିଜନିଜର ସୃଜନ ମୌଳିକତା ପ୍ରଦର୍ଶନପୂର୍ବକ ବିଶ୍ବବିଦ୍ୟାଳୟକୁ ଗୌରବାନ୍ବିତ କରିବେ ବୋଲି ମନୋଜାୟନ ପକ୍ଷରୁ ଆଶା କରାଯାଇଛି।