ସରିବାକୁ ବସିଲାଣି ଆର୍ଥିକ ବର୍ଷ, ଏଯାଏଁ କେନ୍ଦ୍ରରୁ ମିଳିନି ୪୩୩୪ କୋଟି

ଚିଠି ଲେଖି ଅର୍ଥ ସଚିବ କଲେ ତନାଘନା

ଭୁବନେଶ୍ବର : ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଟଙ୍କା ପ୍ରଦାନ କରିଥାନ୍ତି। ଏକାଧିକ ଯୋଜନା କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟକାରୀ କରିଥାନ୍ତି। କେଉଁ ଯୋଜନାରେ କେନ୍ଦ୍ରର ଅଂଶ ୧୦୦ ପ୍ରତିଶତ ରହିଛି ତ ଆଉ କେଉଁ ଯୋଜନାରେ କେନ୍ଦ୍ରକୁ ୨୫ ପ୍ରତିଶତ ରାଶି ଦେବାକୁ ପଡ଼ିଥାଏ। କିନ୍ତୁ ଆର୍ଥିକ ବର୍ଷ ୨୦୨୦-୨୧ ଶେଷହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ରାଜ୍ୟର ବିଭାଗଗୁଡ଼ିକୁ ମିଳିନାହିଁ। ଆର୍ଥିକ ବର୍ଷ ଶେଷହେବାକୁ ଯାଉଥିବାରୁ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ହେଲାଣି। ଅର୍ଥ ବିଭାଗର ହିସାବ ଅନୁଯାୟୀ, ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟଙ୍କୁ ପାଖାପାଖି ୪୩୩୪ କୋଟି ଟଙ୍କା ପ୍ରଦାନ କରି ନାହାନ୍ତି। ପ୍ରାୟ ୧୬ଟି ବିଭାଗର ଏକାଧିକ ଯୋଜନାରେ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କୁ ଟଙ୍କା ପାଇବାକୁ ବାକି ରହିଛି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏହି ମର୍ମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ସଚିବ, ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅର୍ଥ କେନ୍ଦ୍ରଠାରୁ କିଭଳି ଶୀଘ୍ର ଆସିବ ସେଥିପାଇଁ ଉଦ୍ୟମ କରିବା ଲାଗି କୁହାଯାଇଛି। ରାଜ୍ୟର ବିଭାଗ ଗୁଡ଼ିକ କେନ୍ଦ୍ରର ସଂପୃକ୍ତ ମନ୍ତ୍ରାଳୟ ସହ ଯୋଗାଯୋଗ ରଖି ଏବଂ ଆବଶ୍ୟକ କାଗଜପତ୍ର ଯଥା ବିନିଯୋଗ ପ୍ରମାଣପତ୍ର, କାର୍ଯ୍ୟ ସଂପାଦନ ପ୍ରମାଣପତ୍ର ଏବଂ ବ୍ୟୟ ବିବରଣୀ ଆଦି ଦାଖଲ କରି ଅବଶିଷ୍ଟ ଅର୍ଥ ପାଇବା ଲାଗି ପ୍ରଚେ‌ଷ୍ଟା କରିବା ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିସନରଙ୍କ ସହ ସମନ୍ବୟ ରଖିବା ପାଇଁ ମଧ୍ୟ ଏଥିରେ କୁହାଯାଇଛି। ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ୩ଟି ଚିଠି ଏସବୁ ବିଭାଗକୁ ଦିଆଯାଇଥିଲା। ପ୍ରଥମ ଚିଠି ଗତବର୍ଷ ନଭେମ୍ବର ୧୧ ତାରିଖରେ, ଦ୍ବିତୀୟ ଚିଠି ଚଳିତବର୍ଷ ଜାନୁଆରି ୧୮ ତାରିଖରେ ଏବଂ ତୃତୀୟ ଚିଠି ଗତମାସ ୯ ତାରିଖରେ ଦିଆଯାଇଥିଲା। ଏହାପରେ ଅର୍ଥ ସଚିବ ଚତୁର୍ଥ ଚିଠି ଲେଖି ତନାଘନା କରିଛନ୍ତି।

ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବାରୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅବଶିଷ୍ଟ ଅର୍ଥ ଶୀଘ୍ର ମିଳିବା ଉପରେ ବିଭାଗ ଗୁଡ଼ିକ ଅଗ୍ରାଧିକାର ଦେବା ଆବଶ୍ୟକ। କେବଳ ସେତିକି ନୁହେଁ ଅର୍ଥ ସଚିବ କେଉଁ ବିଭାଗ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକଠାରୁ କେତେ ଅର୍ଥ ପାଇଛି ଏବଂ କେତେ ପାଇବାକୁ ବାକି ରହିଛି ତାହାର ହିସାବ ଦେଇଛନ୍ତି। ଏପରିକି କିଛି ବିଭାଗକୁ ମିଳିଥିବା ଅଧିକ ଅର୍ଥ ସଂପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଚଳିତମାସ ୮ ତାରିଖ ସୁଦ୍ଧା ଥିବା ସ୍ଥିତି ଆଧାରରେ ଏହି ଚିଠି ଅର୍ଥ ବିଭାଗ ପକ୍ଷରୁ ପଠାଯାଇଛି। ଏହି କାର୍ଯ୍ୟକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବା ଲାଗି କୁହାଯାଇଛି।

ଅର୍ଥ ବିଭାଗର ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବାଧିକ ୯୨୪.୭୧ କୋଟି ଟଙ୍କା ଏପର୍ଯ୍ୟନ୍ତ ପାଇନାହିଁ। ଚଳିତ ଆର୍ଥିକ ବର୍ଷରେ ଏହି ବିଭାଗ କେନ୍ଦ୍ରଠାରୁ ୧୫୦୦ କୋଟି ଟଙ୍କା ପାଇବାକୁ ଆଶା ରଖିଥିବାବେଳେ ଏପର୍ଯ୍ୟନ୍ତ ମିଳିଛି ୫୭୫.୨୯ କୋଟି ଟଙ୍କା। ଦ୍ବିତୀୟ ସ୍ଥାନରେ ରହିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। କେନ୍ଦ୍ରଠାରୁ ଏହି ବିଭାଗ ଚଳିତ ଆର୍ଥିକ ବର୍ଷରେ ୫୮୭୦.୦୨ କୋଟି ଟଙ୍କା ପାଇବାକୁ ଆଶା ରଖିଥିବା‌ବେଳେ ମିଳିଛି ୪୯୭୫.୦୩ କୋଟି ଟଙ୍କା। ଏପର୍ଯ୍ୟନ୍ତ ୮୯୪.୯୯ କୋଟି ଟଙ୍କା ପାଇବାକୁ ବାକି ରହିଛି। ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗ ୧୪୧୭.୬୦ କୋଟି ଟଙ୍କା ପାଇବାକୁ ଥିବାବେଳେ ଏଥିରୁ ଏପର୍ଯ୍ୟନ୍ତ ମିଳିଛି ୭୬୭.୮୮ କୋଟି ଟଙ୍କା ଏବଂ ବାକି ଅଛି ୬୪୯.୭୧ କୋଟି ଟଙ୍କା। ଏହାଛଡ଼ା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୫୬୮.୦୬ କୋଟି ଟଙ୍କା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ୮୭.୨୯ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ୬୨.୩୫ କୋଟି, ଉଚ୍ଚ ଶିକ୍ଷା ବିଭାଗ ୧୨୯.୯୬ କୋଟି, ଗୃହ ବିଭାଗ ୭୦.୪୩ କୋଟି, ଆଇନ ବିଭାଗ ୫.୮୭ କୋଟି, ଯୋଜନା ଓ ସଂଯୋଜନ ବିଭାଗ ୦.୦୨ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫୯୮.୦୬ କୋଟି, ସାମାଜିକ ନ୍ୟାୟ ବିଭାଗ ୧୨୬.୨୪ କୋଟି, ଏସଟି ଓ ଏସସି ବିଭାଗ ୫୬୬.୬୯ କୋଟି, ଜଳ ସଂପଦ ବିଭାଗ ୩୭୪.୫୩ କୋଟି, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ୯.୧୩ କୋଟି ଟଙ୍କା କେନ୍ଦ୍ରଠାରୁ ପାଇବାକୁ ବାକି ଅଛି ବୋଲି ଚିଠିରୁ ସୂଚନା ମିଳିଛି।

ଅର୍ଥ ସଚିବ ଯେଉଁସବୁ ବିଭାଗକୁ ଚିଠି ଲେଖିଛନ୍ତି ସେଗୁଡ଼ିକ ମଧ୍ୟରେ ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ,, ଗୃହ, କୃଷି ଓ କୃଷକ ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ, ଜଳ ସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଏସଟି ଓ ଏସସି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣ ଶିକ୍ଷା , ଉଚ୍ଚ ଶିକ୍ଷା , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା , ସାମାଜିକ ସୁରକ୍ଷା ଓ ଇପିଡି , ମତ୍ସ୍ୟ ଓ ପଶୁ ସମ୍ପଦ , ଯୋଜନା ଓ ସଂଯୋଜନ , ଇଲେକ୍ଟ୍ରୋନିକ୍ସ ଓ ଆଇଟି , ଆଇନ ଓ ପୂର୍ତ୍ତ ବିଭାଗ ରହିଛି।

ସମ୍ବନ୍ଧିତ ଖବର