ସୋନପୁର: ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୭ଟାରେ ସୋନପୁର ବ୍ଲକ୍ ଛକସ୍ଥିତ ଟ୍ରାଫିକ ପୋଷ୍ଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀ ବଲାଡ଼ି ନିବାସୀ ତଥା ସୋନପୁର କ୍ଲଷ୍ଟର କଲୋନିରେ ରହୁଥିବା ରାଜକୁମାର ମହାକୁଡ଼ ଓ ତାଙ୍କ ପୁଅ ଓମପ୍ରିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବଲାଡ଼ି ଶ୍ମଶାନଘାଟରେ ଉଭୟଙ୍କ ଶେଷକୃତ୍ୟ କରାଯାଇଥିଲା। ଶ୍ମଶାନରେ ଉଭୟ ବାପ-ପୁଅଙ୍କ ଚିତା ଏକା ସାଙ୍ଗରେ ଜଳିଥିଲା। ଏହି ଘଟଣା ପରେ ବଲାଡ଼ି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାରଠାରୁ କହା ଘରେ ଠିକ୍ ଭାବରେ ରୋଷେଇ ହେଉନଥିବା ମଧ୍ୟ ଜଣାପଡ଼ିଛି।
/sambad/media/post_attachments/wp-content/uploads/2024/01/65d20747-aeae-4827-b848-68abe7e00b6b.jpeg)
ସୋନପୁର ବ୍ଲକ ଛକ ଟ୍ରାଫିକ ପୋଷ୍ଟରେ ମଙ୍ଗଳବାର ରାତି ପ୍ରାୟ ୭.୩୦ ମି.ରେ ଏକ ହାଇୱା (ଓଡି ୩୧ ଏଲ୍ ୩୧୮୦) ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ଥିବା ରାଜକୁମାର ମହାକୁଡ଼ (୫୦) ଏବଂ ତାଙ୍କ ପୁଅ ଓମ୍ପ୍ରିତ (୧୬)ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଫେରାର୍ ହେଉଥିବା ହାଇୱା ଜଳିଯାଇଥିଲା। ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ସୋନପୁର ବ୍ଲକ ବଲାଡ଼ି ନିବାସୀ ରାଜକୁମାର ସପରିବାର ସୋନପୁର କ୍ଲଷ୍ଟର କଲୋନି ରହନ୍ତି। ମଙ୍ଗଳବାର ରାତି ପ୍ରାୟ ୭.୩୦ମି.ରେ ରାଜକୁମାର ଏବଂ ତାଙ୍କ ପୁଅ ଓମ୍ପ୍ରିତ ଏକ ସ୍କୁଟିରେ ସୋନପୁର ଆମ୍ବେଦକର ଛକପଟୁ ସୋନପୁର କ୍ଲଷ୍ଟର କଲୋନିକୁ ଫେରୁଥିଲେ। ସୋନପୁର ମହାନଦୀ ପଟରୁ ପଟାଭାଡ଼ି ପଟକୁ ଯାଉଥିବା ହାଇୱା ବ୍ଲକ୍ ଛକସ୍ଥିତ ଟ୍ରାଫିକ ପୋଷ୍ଟର ମଝିରେ ଉକ୍ତ ସ୍କୁଟି ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ହାଇୱାଟି ସ୍କୁଟିକୁ ଘୋଷାଡ଼ି ନେଇ ଫେରାର୍ ମାରୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିଆଁ ଲାଗି ଜଳିଯାଇଥିଲା। ହାଇୱାର ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ଦୁର୍ଘଟଣା ସମୟରେ ଟ୍ରାଫିକ ପୋଷ୍ଟ ନିକଟରେ ପୁଲିସ କର୍ମଚାରୀ ଉପସ୍ଥିତ ଥାଇ ମଧ୍ୟ ହାଇୱା ଫେରାର୍ ହେବା ଏବଂ ବିଳମ୍ବରେ ପୁଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ଉତ୍ତ୍ୟକ୍ତ ଲୋକେ ଗୋଟିଏ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପରେ ଘଟଣାସ୍ଥଳରେ ଏସ୍ପି ଅମରେଶ ପଣ୍ଡା, ସୋନପୁର ଉପଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପହଞ୍ଚି ବୁଝାଶୁଝା କରିଥିଲେ। ଉତ୍ତ୍ୟକ୍ତ ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଟ୍ରାଫିକ ବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ। ତଦନ୍ତ ପରେ ଦରକାର ପଡିଲେ ଡ୍ରାଇଭର ବିରୋଧରେ ହତ୍ୟା ମାମଲା ରୁଜ କରାଯିବ ଏବଂ କାର୍ଯ୍ୟରେ ଅବହେଳା କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/112634b0-6ba5-40ac-a376-c875261cd9cd.jpeg)