ଆଉ ଏକ ନକଲି ଘିଅ କାରଖାନା ଠାବ: କୋଟିଏରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ, ମାଲିକ ଗିରଫ

କଟକ: କଟକ ସହରରେ ପୁଣି ଥରେ ଠାବ ହୋଇଛି ନକଲି ଘିଅ କାରଖାନା। ବାଦାମବାଡ଼ି ଥାନା ପୁଲିସ୍‌ ଓ ସିଏମ୍‌ସି ପକ୍ଷରୁ ହୋଇଥିବା ମିଳିତ ଚଢ଼ଉରେ ପିଠାପୁର ମୁନ୍‌ଲାଇଟ୍‌ ଲେନ୍‌ରୁ ନକଲି ଘିଅ କାରଖାନା ଠାବ ହୋଇଛି। କାରଖାନା ଭିତରୁ ମା’ ଦୁର୍ଗା ଓ ଶ୍ରୀଗଣେଶ ଭଳି ନାମୀ ବ୍ରାଣ୍ଡର ବିପୁଳ ପରିମାଣର ଅପମିଶ୍ରିତ ଘିଅକୁ ପୁଲିସ୍‌ ଜବତ କରିଛି। ମହାବୀର ପ୍ରଡକ୍ଟସ୍‌ ନାମରେ ଖୋଲା ଯାଇଥିବା ଏହି କାରଖାନାର ମାଲିକ ବିଭୂତି ଭୂଷଣ ଲେଙ୍କାଙ୍କୁ ପୁଲିସ୍‌ ଗିରଫ କରିଛି। ଜବତ ଅପମିଶ୍ରିତ ଘିଅ ଓ କଞ୍ଚାମାଲ୍‌ର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ପିଠାପୁର ଅଞ୍ଚଳରେ ଚାଲିଥିବା ଏହି ନକଲି ଘିଅ କାରଖାନା ସ˚ପର୍କରେ ସୂଚନା ପାଇ ଏସିପି ଏସ୍‌.ଏନ. ମୁଦୁଲି, ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ବିପୁଳ ପରିମାଣର ନକଲି ଦୁର୍ଗା ଘିଅ ଓ ଶ୍ରୀ ଗଣେଶ ଘିଅ ସହିତ ଡାଲଡା, ବନସ୍ପତି, ପାମୋଲିନରେ ରଙ୍ଗ ଓ ରାସାୟନିକ ପଦାର୍ଥ ମିଶାଯାଇ ଫ୍ଲେଭର ଦିଆଯାଇ ଏ ସବୁ ପ୍ରସ୍ତୁତ କରାଯାଉଥିଲା ବୋଲି ସୂଚନା ମିଳିଛି। ୮ଟି କୋଠରିରେ ଜମା ହୋଇ ରହିଥିବା ପ୍ରସ୍ତୁତ ଘିଅ ଓ ସାମଗ୍ରୀର ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ଏଠାରେ ଏହି ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ଚଢ଼ଉରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ସ୍ବାସ୍ଥ୍ୟ ପରିଦର୍ଶକ ଭଗବାନ ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ। ୨ମାସ ମଧ୍ୟରେ କମିସନରେଟ୍‌ ପୁଲିସ ପକ୍ଷରୁ ୨୧ଟି ସ୍ଥାନରେ ଚଢ଼ଉ କରାଯାଇ ୭କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯିବା ସହ ୨୫ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଗଲାଣି। ଏହାକୁ ମିଶାଇ ଏଯାଏ ସହରରୁ ୧୯ଟି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କାରଖାନାକୁ ପୁଲିସ୍‌ ସିଲ୍ କରି ସାରିଲାଣି। ଦୁଇ ଦିନ ତଳେ ଜଗତପୁର ଥାନା ପୁଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ନକଲି ସୋୟା ବଡି କମ୍ପାନି ଠାବ କରିଥିଲା। ସେଠାରୁ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। କଟକ ସହର ଓ ସହର ଉପକଣ୍ଠ ଅଞ୍ଚଳରେ ନକଲି ଘିଅ, ତେଲ, ସିମେଣ୍ଟ, ରଙ୍ଗଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନା ଠାବ କରାଗଲାଣି।

ସମ୍ବନ୍ଧିତ ଖବର