ଦଶପଲ୍ଲା: ନାଁ ହେଉଛି ମହାନଦୀ, ହେଲେ ଏହା ବର୍ଷର ୮ ମାସରୁ ଊର୍ଦ୍ଧ୍ବ ଶୁଖିଲା ପଡ଼ୁଛି। ମହାନଦୀରେ ଘାସ ଉଠିବା ସହ ଗାଈଗୋରୁଙ୍କ ପାଇଁ ଏହା ଚରାଭୂଇଁ ପାଲଟୁଛି। ନଦୀକୂଳିଆ ଗାଁକୁ ପାଣି ଯୋଗାଇବାକୁ ଅସମର୍ଥ ହେଉଥିବା ବେଳେ ଶହେ କିମି ଅତିକ୍ରମ କରି ହଜାର ହଜାର ଲୋକଙ୍କୁ ପାଣି ଯୋଗାଇବାକୁ ଉଦ୍ୟମ ହୋଇଛି। ଏଥିପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି।
ଦଶପଲ୍ଲା-ଭଞ୍ଜନଗର ରାସ୍ତାର ପଙ୍କୁଆଠାରେ ଚାଲିଛି ପାଇପ୍ ନିର୍ମାଣ କାର୍ଯ୍ୟ। ଯାହାର ଗୋଲେଇ ପ୍ରାୟ ୧ ମିଟର ବା ୪ ଫୁଟରୁ ଅଧିକ ହେବ। ଗଣିଆସ୍ଥିତ ମହାନଦୀରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଡିଭିଜନର ପ୍ରାୟ ୧୧ଟି ବ୍ଲକ୍କୁ ପାଣି ଯୋଗାଇବା ପାଇଁ ଏଭଳି ଯୋଜନା ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, ଦଶପଲ୍ଲା ବ୍ଲକ୍ ସମେତ ନୟାଗଡ଼ ଜିଲ୍ଲାର ଗଣିଆ, ନୂଆଗାଁ, ଖଣ୍ତପଡ଼ା, ଭାପୁର ଆଦି ବ୍ଲକ୍କୁ ଏହି ନଦୀରୁ ବଣପାହାଡ଼ ଅତିକ୍ରମ କରି ପାଣି ଯୋଗାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହି ଯୋଜନା ବାସ୍ତବ ରୂପ ନେବ ନାଁ ଏହା ସ୍ବପ୍ନ ହୋଇ ରହିବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ଦେଖିବାକୁ ଗଲେ ଗ୍ରୀଷ୍ମଦିନେ ଆସିଲେ ସହର ବଜାରଠାରୁ ଗାଁ ଗହଳି ସବୁଠି ପାନୀୟଜଳ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଏପଟେ ମହାନଦୀ ଶୁଖିଲା ପଡ଼ୁଥିବା ହେତୁ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିଥିବା ନେଇ ଦୋଷଢାଳି ରାଜ୍ୟ ସରକାର ତୁମ୍ବିତୋଫାନ କରୁଛନ୍ତି। ଅନ୍ୟପାର୍ଶ୍ବରେ ମହାନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୪ ସୁଦ୍ଧା ପ୍ରତି ଘରକୁ ଜଳଯୋଗାଣ ପାଇଁ ସରକାର ଘୋଷଣା କରିଛନ୍ତି। ମାତ୍ର ଜଳ ମହଜୁଦ୍ କରିବା ବା ମହାନଦୀରେ ବ୍ୟାରେଜ ନିର୍ମାଣ କରିବା ପରିବର୍ତ୍ତେ ମହାନଦୀରୁ ବିଭିନ୍ନ ସ୍ଥାନକୁ ଜଳ ଯୋଗାଣ ପାଇଁ ଯେଉଁ ଲମ୍ବା ଖସଡ଼ା ପ୍ରସ୍ତୁତ ଚାଲିଛି। ଏହା ବାସ୍ତବରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏସବୁ ମଧ୍ୟରେ ମହାନଦୀରୁ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀନସ୍ଥ ଭଞ୍ଜନଗର ଡିଭିଜନର ୧୧ଟି ବ୍ଲକ୍କୁ ପାଣି ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।
ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଆସିକା, ପୋଲସରା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ବୁଗୁଡ଼ା ଏବଂ ପୁରୁଷୋତ୍ତମପୁର ବ୍ଲକ୍କୁ ଏହି ପାଣି ଯୋଗାଣ କରାଯିବ। ଏଥିପାଇଁ ପ୍ରାୟ ୧୬ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏବେ ଦଶପଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇଛି। ମହାନଦୀରୁ ପାଣି ଆସିବା ପରେ ଦଶପଲ୍ଲାଠାରେ ଏକ ପମ୍ପିଂସେଟ୍ ନିର୍ମାଣ ହେବ। ଏହା ପରେ ଗାୟାଗଣ୍ତାଠାରେ ଜଳ ବିଶୋଧନାଗାର ବା ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବାପାଇଁ ଯୋଜନା ରହିଥିବା ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ମହାନଦୀର ବାସ୍ତବ ରୂପ ଉପରେ ନଜର ପକାଇଲେ ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣ ନେଇ ଯେଉଁଭଳି ଲମ୍ବା ଖସଡ଼ା ପ୍ରସ୍ତୁତ ହୋଇଛି ଏହା ବାସ୍ତବରେ ସଫଳ ହେବ ନା ଲୋକଙ୍କ ପାଇଁ ଏହା ନିର୍ବାଚନୀ ପ୍ରସଙ୍ଗ ହେବ ତାହା ଏବେ ଚର୍ଚ୍ଚା ହେଉଛି।