୮ ପ୍ରତିଭାଙ୍କୁ ଲଳିତ କଳା ଏକା‌ଡେମି ପୁରସ୍କାର

ପୁରସ୍କୃତ ହେଲେ ଅନଲାଇନ୍ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ

ଭୁବନେଶ୍ୱର : ରାଜ୍ୟ ଲଳିତ କଳା ଏକାଡେମି ପକ୍ଷରୁ ୩୯ତମ ରାଜ୍ୟ ଲଳିତ କଳା ଏକାଡେମି ପୁରସ୍କାର ଓ ରାଜ୍ୟସ୍ତରୀୟ ଫଟୋଗ୍ରାଫି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୃଜନଶୀଳ ଚିତ୍ରରେ ଅନୁପ କୁମାର ଚାନ୍ଦ, ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ଜ୍ୟୋତି ପ୍ରକାଶ ସେଠୀ, ଭାସ୍କର୍ଯ୍ୟରେ ବିଶ୍ବରଂଜନ କର ଓ ସୁଧିରଂଜନ ମହାରଥା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ବାଇଁ ଓ ବିକାଶ ଚନ୍ଦ୍ର ସେନାପତି ଏବଂ ପାରମ୍ପରିକ କଳାରେ ପ୍ରମୋଦ କୁମାର ମହାରଣା ପ୍ରମୁଖ ଶିଳ୍ପୀଙ୍କୁ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଉପଢୌକନ, ମାନପତ୍ର ସହ ୨ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା।

ସେହିପରି ରାଜ୍ୟସ୍ତରୀୟ ଅନ୍‌ଲାଇନ୍ ଫଟୋଗ୍ରାଫି ପ୍ରତିଯୋଗିତାରେ ସଞ୍ଜିତ ପଟ୍ଟନାୟକ, ନିରଞ୍ଜନ ପଣ୍ଡା, ଉଦୟନ ସାରଥୀ ବେହେରା ଓ ମନୀଷ ରଞ୍ଜନ ସାହୁଙ୍କୁ ଉପଢୌକନ, ମାନପତ୍ର ସହ ୫୦ହଜାର ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ଅପରପକ୍ଷେ ତପନ କୁମାର ମିଶ୍ର, ସମିମ୍ କ୍ବାରେସି, ଶ୍ରୀକ୍ରିଷ୍ଣା ଦାସ, ଶିଶିର କର, ସୁନନ୍ଦା ସାହୁ, ଜିତେନ୍ଦ୍ର ପତି, ଜ୍ଞାନ ରଂଜନ ମହାନ୍ତି, ସ୍ଵରୁପ ଫୁଲନଟନ ପ୍ରମୁଖ ୮ଜଣଙ୍କୁ ଫଟୋଗ୍ରାଫିରେ ବିଶେଷ ପାରଦର୍ଶିତା ପାଇଁ ସମ୍ମାନଜନକ ପୁରସ୍କାର ସ୍ବରୂପ ଉପଢୌକନ, ମାନପତ୍ର ସହ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁରସ୍କାର ବଣ୍ଟନ କରିଥିଲେ।

ଏହି ଅବସରରେ ବିଭାଗର ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମିର ଓଏସ୍‌ଡି ମନସ୍ବନୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମିର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର