ଏବେ ନ ମାନିଲେ ଦଣ୍ଡ : ମାସ୍କ ନ ଲଗାଇଲେ ଜରିମାନା; ପ୍ରଥମ ତିନି ଥର ୨୦୦ ଲେଖାଏଁ, ଚତୁର୍ଥ ଥରଠାରୁ ଥରକୁ ୫୦୦ ଟଙ୍କା

୯ ପ୍ରସ୍ତାବକୁ କ୍ୟାବିନେଟ ମୋହର

କଠୋର ହେଲା ମହାମାରୀ ଆଇନ: ୨ବର୍ଷ ଜେଲ୍ ଓ ୧୦ହଜାର ଜରିମାନା
ଆକସ୍ମିକ ପାଣ୍ଠି ୨୦୦୦ କୋଟିକୁ ବଢ଼ିଲା
୧ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ କିଣାଯିବ

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବା ଦିଗରେ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଇ ଆଜିଠାରୁ ସମଗ୍ର ରାଜ୍ୟରେ ମାସ୍କ ପିନ୍ଧିବା କଡ଼ାକଡ଼ି କରିଛନ୍ତି। କେବଳ ସେତିକି ନୁହେଁ,ଏଥିପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା କରିବାକୁ ବି ପଛାଇ ନାହାନ୍ତି। ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି, ଯେଉଁମାନେ ସର୍ବସାଧାରଣକୁ ଆସୁଥିବେ, ଅଥଚ ମାସ୍କ ପିନ୍ଧି ନ ଥିବେ, ସେମାନେ ଏଣିକି ଜରିମାନା ଦେବେ। ପ୍ରଥମ ତିନି ଥର ୨୦୦ ଟଙ୍କା ଲେଖାଏଁ ଆଦାୟ ହେବ। କିନ୍ତୁ ଚତୁର୍ଥ ଥରଠାରୁ ପ୍ରତି ଥର ପାଇଁ ପ୍ରତି ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏ ଆଦାୟ କରାଯିବ।

ଆଜି ଏଭଳି ମୋଟ ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ଗତ ଦୁଇଦିନ ତଳେ ଏକ ନିର୍ଦ୍ଦେଶାନାମା ବଳରେ ଘରୁ ବାହାରକୁ ଯିବାବେଳେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାର ଉଲ୍ଲଘଂନ କରୁଥିବାର ପ୍ରମାଣ ମିଳିବ ତାଙ୍କଠାରୁ ଏଭଳି ଜରିମାନା ଆଦାୟ ହେବ। ସେହିଭଳି ମହାମାରୀ ଆଇନ-୧୮୯୭ରେ ସଂଶୋଧନ କରାଯାଇ ମହାମାରୀ(ସଂଶୋଧନ) ଅଧ୍ୟାଦେଶ-୨୦୨୦କୁ କାର୍ଯ୍ୟକ୍ଷମ କରାଯାଇଛି। କ୍ୟାବିନେଟ ଏହି ଅଧ୍ୟାଦେଶକୁ ଆଜି ଅନୁମୋଦନ ଦେଇଛନ୍ତି।

ଏହି ଅଧ୍ୟାଦେଶ ଆଧାରରେ ସରକାର କଠୋର ପଦକ୍ଷେପ ନେବାକୁ ଯାଇ କହିଛନ୍ତି, ପୂର୍ବରୁ ମହାମାରୀ ଆଇନ-୧୮୯୭ରେ ଏତେ କଠୋର ଦଣ୍ଡର ପ୍ରାବଧାନ ନଥିଲା। କିନ୍ତୁ ଏବେ ଅଧ୍ୟାଦେଶ ମାଧ୍ୟମରେ ମହାମାରୀ ଆଇନ ଓ ନିୟମାବଳୀର ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ସର୍ବାଧିକ ୨ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜରିମାନା ବା ଉଭୟରେ ଦଣ୍ଡିତ କରାଯିବ। ତେବେ ପ୍ରତି ଅପରାଧ ଧର୍ତ୍ତବ୍ୟ ବୋଲି ଧରାଯିବ ଓ ଏହି ଆଇନରେ ପ୍ରତ୍ୟେକ ଅପରାଧ ଜାମିନଯୋଗ୍ୟ ହେବ। ଯଦି କେହି ଏହି ଅପରାଧ ପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ଚାହୁଁ ନଥିବେ ତାଙ୍କୁ କମ୍ପାଉଣ୍ଡେବଲ୍ ଭାବେ ଅଧିକ ଜୋରିମାନା ଦେବାକୁ ପଡ଼ିବ। କିଏ ଜରିମାନା ଆଦାୟ କରିବେ, କିଭଳି ଧାର୍ଯ୍ୟ ହେବ, ସେ ସଂକ୍ରାନ୍ତରେ ସରକାର ଖୁବ୍ ଶୀଘ୍ର ସାନି ନିର୍ଦେଶନାମା ଜାରି କରିବେ।

ମୁଖ୍ୟସଚିବ କହିଥିଲେ, ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ ରାଜ୍ୟବାସୀ ସରକାରଙ୍କୁ ଯେଭଳି ଦୃଢ଼ ସମର୍ଥନ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ଆଜି କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟମନ୍ତ୍ରୀ ଏକ ପ୍ରସ୍ତାବ ଆଣିଥିଲେ। ଏହା ପାରିତ ହୋଇଥିଲା। ସେହିଭଳି ରାଜ୍ୟରେ କରୋନା ପ୍ରସ୍ତୁତି କ୍ଷେତ୍ରରେ ବିଶଦ ତଥ୍ୟ ମନ୍ତ୍ରିମଣ୍ଡଳ ସାମ୍ନାରେ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ପାଖରେ ଆସନ୍ତା ୪ମାସ ପାଇଁ ମାସ୍କଠାରୁ ଆରମ୍ଭ କରି ପିପିଇ ପର୍ଯ୍ୟନ୍ତ ସବୁକିଛି ମହଜୁଦ ରହିଛି। ଚାରି ଆଠ ମାସ ପର୍ଯ୍ୟନ୍ତ ଆବଶ୍ୟକ ଔଷଧର ଅଭାବ ରହିବ ନାହିଁ। ରାଜ୍ୟ ସରକାର କିଛି ସାମଗ୍ରୀ ଭାରତ ଭିତରୁ ଓ ଆଉକିଛି ସାମଗ୍ରୀ ଭାରତ ବାହାରୁ ମଗାଇ ଆଣୁଛନ୍ତି। ସେହିଭଳି ପିପିଇ ବି ମହଜୁଦ ରହିଛି।

ରାଜ୍ୟ ସରକାର ୬ହଜାର ଶଯ୍ୟାର କୋଭିଡ୍‌ ହସ୍ପିଟାଲ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯେଉଁଥିରେ ଏବେ ଯାଏ ୭ଟି ସ୍ବତନ୍ତ୍ର ମେଡିକାଲରେ ୧୫୦୦ ପର୍ଯ୍ୟନ୍ତ ଶଯ୍ୟା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି। ୧ ଲକ୍ଷ ଆଣ୍ଟିବଡି ରାପିଡ୍‌ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଉଛି। ଏ ସଂକ୍ରାନ୍ତ କିଟ୍ ଦେଶ ବାହାରୁ କିଣାଯିବ ଓ ଏହାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ କୋଭିଡ୍-୧୯ ପରୀକ୍ଷା େହାଇପାରିବ। ସେହିଭଳି ଇତିମଧ୍ୟରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ କମିଟି ତିନି ଥର ବସି ବିଭିନ୍ନ କିଣାବିକା ସଂକ୍ରାନ୍ତ ନିଷ୍ପତ୍ତି ନେଇଥିଲେ। ଆଜି କ୍ୟାବିନେଟ ଏସବୁ ଉପରେ ମୋହର ଲଗାଇଛନ୍ତି।

ମୁଖ୍ୟସଚିବ କହିଥିଲେ ଯେ ଆୟୁଷ ଡାକ୍ତର, ମେଡିକାଲ ପଢୁଥିବା ଚତୁର୍ଥ ଓ ପଞ୍ଚମ ବର୍ଷ, ବେସରକାରୀ ଡାକ୍ତରଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ ତାଲିମ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରଙ୍କୁ କ୍ଷମତା ଦେଇଛନ୍ତି ଯେ ସେମାନେ ଚାହିଁଲେ ଘରୋଇ ହସ୍ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଆଣିପାରିବେ। ଏହାବ୍ୟତୀତ େଲାକମାନଙ୍କର ଖାଦ୍ୟ ସୁରକ୍ଷା ଓ ଜୀବିକା ସହାୟତା, ଓଡ଼ିଶାରେ ଅଟକି ରହିଥିବା ପ୍ରାୟ ୬୫ ହଜାରରୁ ଅଧିକ ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା, ନିର୍ମାଣ ଶ୍ରମିକ ଆଦିଙ୍କ ସଂପର୍କରେ ନିଆଯାଇଥିବା ପଦକ୍ଷେପ ଜଣାଇ ଦିଆଯାଇଥିଲା।

କ୍ୟାବିନେଟରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟସଚିବ କହିଥିଲେ ଯେ କୋଭିଡ୍-୧୯ର ପ୍ରତିରୋଧ, ପରିଚାଳନା ଆଦି ପାଇଁ ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି ବା ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡକୁ ୪୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି କରାଯାଇଛି। ବର୍ତମାନ ଓଡ଼ିଶା ବିଧାନସଭା ଚାଲୁନଥିବା ପରିପ୍ରେକ୍ଷୀରେ ଏ ବାବଦରେ ଅଧ୍ୟାଦେଶ ଜାରି କରାଯିବ।

ରାଜ୍ୟ ସରକାର ଲକ୍ ଡାଉନ୍ ଅବଧି ଏପ୍ରିଲ ୩୦ ତାରିଖକୁ ବୃଦ୍ଧି କରିବା ସଂକ୍ରାନ୍ତରେ କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ଆଧାରରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। କେବଳ ସେତିକି ନୁହେଁ, ଏ ସଂକ୍ରାନ୍ତରେ କ୍ୟାବିନେଟ୍ ସଚିବଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ଯେ ଜାତୀୟସ୍ତରରେ ଲକ୍‌ଡାଉନ୍‌ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଲାଗି ଓଡ଼ିଶା ଚାହେଁ। ଏହାବ୍ୟତୀତ ବିମାନ ଓ ରେଳ ଚଳାଚଳ ସେ ଯାଏ ବନ୍ଦ କରିବା ଲାଗି ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ବିଧାନସଭାର ଅଧିବେଶନକୁ ପ୍ରୋରଗ କରାଯିବା ପ୍ରସ୍ତାବ ଉପରେ ବି କ୍ୟାବିନେଟ ମୋହର ଲାଗିଥିଲା।

ସମ୍ବନ୍ଧିତ ଖବର