ସମ୍ବଲପୁରରେ ଅଟୋକୁ ୩୦ ହଜାର ୫ଶହ ଟଙ୍କା, ଡିଜେ ଗାଡ଼ିକୁ ୨୦ ହଜାର ଟଙ୍କାର ଜରିମାନା

ତୃତୀୟ ଦିନରେ ବି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ନିସ୍ତାର ନାହିଁ

ସମ୍ବଲପୁର: ତୃତୀୟ ଦିନରେ ବି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରୁଛି ପୁଲିସ। ସମ୍ବଲପୁରରେ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି ଚାଲିଛି । ଆଜି ସମ୍ବଲପୁରରେ ଗୋଟିଏ ଅଟୋକୁ ୩୦ ହଜାର ୫ଶହ ଟଙ୍କାର ଜରିମାନା ହୋଇଛି । ଯାତ୍ରୀବାହୀ ଅଟୋରେ ମାଲ ପରିବହନ କରୁଥିବାରୁ ମୋଟ ଅଙ୍କର ଜରିମାନା କଷିଛି ଟ୍ରାଫିକ ପୁଲିସ । ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର ଟଙ୍କାର ଫାଇନ୍, ସାଧାରଣ ନିୟମ ଉଲ୍ଲଂଘନ ପାଇଁ ୫ଶହ ଟଙ୍କା ଜରିମାନା ହୋଇଛି। ସେହିପରି ଗାଡ଼ିଚାଳକଙ୍କର ବୈଧ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫ ହଜାର, ଓଭର ଲୋଡିଂ ପାଇଁ ୨୦ ହଜାର ଟଙ୍କାର ଚାଲାଣ କଟିଥିବାର ସୂଚନା ମିଳିଛି ।
ଠିକ୍ ସେହିପରି ସମ୍ବଲପୁରରେ ଆଜି ଡଜେ ଗାଡ଼ିକୁ ୨୦ ହଜାର ଓ ଭ୍ୟାନକୁ ୨୦ ହଜାର ୫୦୦ ଟଙ୍କାର ଜରିମାନା କରାଯାଇଥିବାର ଆରଟିଓଙ୍କଠାରୁ ଜଣାଯାଇଛି।
ସମ୍ବଲପୁରରେ ଜଣେ ନାବାଳକ ସ୍କୁଟି ଚଳାଉଥିବା ବେଳେ ୪୩ ହଜାର ଟଙ୍କାର ଚାଲଣ କଟାଯାଇଛି । ଠିକ୍ ସେହିପରି ସମ୍ବଲପୁରରେ ଟ୍ରାଫିକ ଯାଞ୍ଚ ବେଳେ ପୁଲିସ ହାବୁଡ଼ରେ ପଡିଛନ୍ତି କନଷ୍ଟେବଳ।ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡ଼ା ଫାଣ୍ଡିର କନଷ୍ଟେବଳ ଦିଲୀପ ନାଗଙ୍କୁ ଧରିଛି ପୁଲିସ । ମଦ ପିଇ ଗାଡ଼ି ଚଳାଉଥିବା ଯୋଗୁଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି ।
ଅନ୍ୟ ଏକ ଘଟଣାକ୍ରମେ ଭୁବନେଶ୍ବର ମହାନଗର ନିଗମର ଏକ ଗାଡ଼ିକୁ ୩୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଛି।
ଗତ ଦୁଇ ଦିନ ହେଲା ରାଜ୍ୟରେ ଜୋରଦାର ଚାଲିଛି ଟ୍ରାଫିକ ଧରପଗଡ଼ । ସାରା ରାଜ୍ୟରେ ମାର୍ଚ୍ଚ ୧ତାରିଖରୁ ଆରମ୍ଭ କରି ଏଯାଏଁ ମୋଟ ୧କୋଟି ୬୪ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାଯାଇଛି । ୩ହଜାର ୧୭୫ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି।। ନୂଆ ମୋଟରଯାନ ଆଇନ ଅନୁସାରେ ନିୟମ ଉଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଫାଇନ କାଟିଛି ପୁଲିସ ।

ସୂଚନାଯୋଗ୍ୟ ଗତକାଲି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କରିଥିଲା ପରିବହନ ବିଭାଗ । ଉଭୟ ଗାଡ଼ିକୁ ମୋଟ ୫୧ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏକ ସ୍କୁଲ ଭ୍ୟାନକୁ ମଧ୍ୟ ସିଜ କରିଥିଲା ପୁଲିସ । କାଗଜ ପତ୍ର ନ ଥାଇ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏହି ଭ୍ୟାନଠାରୁ ୩୭ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଥିଲା । ଟାଟା ଏସିଠାରୁ କଟାଯାଇଥିଲା ୨୨ ହଜାର ୫୦୦ ଟଙ୍କାର ଜରିମାନା । ବରଗଡ଼ରେ ଜଣେ ମଦୁଆ ଡ୍ରାଭଭରଙ୍କୁ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି ।

ସମ୍ବନ୍ଧିତ ଖବର