ସୂଚନା ନ ଦେବାରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜନ ସୂଚନା ଅଧିକାରୀଙ୍କୁ ୨୫ ହଜାର ଜରିମାନା

ଭଦ୍ରକ: ସୂଚନା କର୍ମୀଙ୍କୁ ସୂଚନା ନ ଦେବାରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜନ ସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା କମିଶନର ୨୫ ହଜାର ଟଙ୍କା ଜରିମାନା କରିଛନ୍ତି।
ଓଷ୍ଟାର ଜିଲ୍ଲା ସଂଯୋଜକ ତଥା ଭଦ୍ରକର ସୂଚନା କର୍ମୀ ବିପ୍ଲବ ହୋତା ଗତ ୭/୮/୨୦୧୮ ମସିହାରେ ରାଜ୍ୟ ଗଣଶିକ୍ଷା ବିଭାଗର ସୂଚନା ଅଧିକାରୀଙ୍କୁ ଭଦ୍ରକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ୭ଟି ବ୍ଲକର ଶିକ୍ଷା ଅଧିକାରୀଙ୍କ ସଂପର୍କରେ ସୂଚନା ମାଗିଥିଲେ। ମାତ୍ର ଗଣଶିକ୍ଷା ବିଭାଗ ସୂଚନା ଦେବା ପରିବର୍ତ୍ତେ ବିଳମ୍ବରେ ସୂଚନା ଆବେଦନପତ୍ରଟିକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜନସୂଚନା ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଥିଲେ। କିନ୍ତୁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆନଯିବାରୁ ସୂଚନା କର୍ମୀ ଶ୍ରୀ ‌ହୋତା ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଦ୍ବିତୀୟ ଅପିଲ କରିଥିଲେ।

ଏହି ଅପିଲର ଶୁଣାଣି କରି କମିଶନର ବିକ୍ରମ ସେନାପତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜନ ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା‌ ଜରିମାନା କରିଛନ୍ତି। ଜରିମାନା ଦେୟ ଏକ ମାସ ଭିତରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ନ ଦେଲେ ବିଭାଗ ପକ୍ଷରୁ ଦରମାରୁ ଦୁଇ କିସ୍ତିରେ ଏହି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିସହିତ ୧୫ ଦିନ ମଧ୍ୟରେ ସୂଚନା କର୍ମୀ ଶ୍ରୀ ହୋତାଙ୍କୁ ସୂଚନା ଦେବାକୁ କମିଶନର ତାଙ୍କ ଚିଠି ନମ୍ବର ୩୯୬୭୧/୫.୯.୨୨ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର