ନାବାଳକ ବାଇକ୍‌ ଚାଳକଙ୍କୁ ୨୯ ହଜାର ଜରିମାନା

ସମ୍ବଲପୁର : ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ବାଇକ୍ ଚଳାଇବା ମହଂଗା ପଡ଼ିଛି। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ଖୁଲିଆ ଗ୍ରାମର ଏହି ସ୍କୁଲ ଛାତ୍ରଙ୍କୁ ୨୯ ହଜାର ଟଙ୍କା ଜରିମାନା କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସଂପୃକ୍ତ ୧୩ ବର୍ଷର ସ୍କୁଲ ଛାତ୍ର ଜଣକ ଏକ ବାଇକ୍‌ରେ ଅନ୍ୟ ଦୁଇ ଜଣଙ୍କୁ ବସାଇ ପରମାଣପୁର ଆଡ଼କୁ ଯିବା ବେଳେ ପରିବହନ ବିଭାଗର ମୋବାଇଲ ଟିମ୍ ହାବୁଡ଼ରେ ପଡ଼ି ଯାଇଥି‌ଲେ। ସେ ହେଲ୍‌ମେଟ୍ ପିନ୍ଧିନଥିଲେ କି ବାଇକ୍‌ର ଇନ୍‌ସ୍ୟୁରାନ୍ସ ମଧ୍ୟ ନଥିଲା। ନାବାଳକମାନଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ ତାଙ୍କୁ ୨୫ ହଜାର ଟଙ୍କା, ଗୋଟିଏ ବାଇକ୍‌ରେ ଦୁଇରୁ ଅଧିକ ଜଣ ବ୍ୟକ୍ତି ଯାଉଥିବାରୁ ହଜାରେ ଟଙ୍କା, ହେଲ୍‌ମେଟ୍ ପିନ୍ଧିନଥିବାରୁ ହଜାରେ ଟଙ୍କା ଏବଂ ଗାଡ଼ି ବୀମାଭୁକ୍ତ ହୋଇନଥିବାରୁ ୨ ହଜାର ଟଙ୍କା ଜରିମାନା କରାଯାଇଛି। ସମ୍ବଲପୁର‌ରେ ଏଭଳି ଘଟଣା ନୂଆ ନୁହେଁ। ଆଗରୁ ବି ଅନେକ ଥର ଏଭଳି ବାଇକ୍ ଚଳାଇବା ବେଳେ ନାବାଳକମାନେ ଧରାପଡ଼ି ଜରିମାନା ଗଣିଛନ୍ତି।

ସମ୍ବନ୍ଧିତ ଖବର