ଅନ୍ୟ ଜାତିରେ ବାହା ହେବାରୁ ୨୫.୬୦ ଲକ୍ଷ ଟଙ୍କା ଜରିମାନା

ଆନନ୍ଦପୁର : ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଜଣେ ଯୁବକଙ୍କୁ ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କୁ ନିଆଁପାଣି ବାସନ୍ଦ କରାଯାଇଛି। ଏଭଳି ଘଟଣା ଘଟିଛି ଘସିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଗ୍ରାମର ମହେଶ୍ବର ବାସ୍କେ ନିକଟସ୍ଥ ନାଗାଡ଼ାହି ଗ୍ରାମର ଜଣେ ଯୁବତୀଙ୍କୁ ୬ ମାସ ତଳେ ବିବାହ କରିଥିଲେ। ଯୁବତୀ ଜଣଙ୍କ ଭିନ୍ନ ଜାତିର ହୋଇଥିବାରୁ ଉଭୟ ବିବାହ ପରେ ବାହାରେ ରହୁଥିଲେ। ଏବେ ସେମାନେ ଘରକୁ ଫେରିଛନ୍ତି। ଗ୍ରାମବାସୀ ସଭା କରି ତାଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରିବା ସହ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରିଛନ୍ତି। ଯାହା ଭରଣା କରିବା ମହେଶ୍ବରଙ୍କ ପକ୍ଷରେ ସମ୍ଭବ ‌ନୁହେଁ। ତେଣୁ ଏବେ ମହେଶ୍ବର ସ୍ତ୍ରୀ ଏବଂ ମା’ଙ୍କୁ ନେଇ ଗାଁ ଛାଡ଼ି ଗୌଡ଼ସିଂହାସ୍ଥିତ ମାମୁଘରେ ଆଶ୍ରୟ ନେଇଛନ୍ତି।

ଏନେଇ ଥାନା ଅଧିକାରୀ ମନୋରଂଜନ ବିଶିଙ୍କୁ ପଚାରିବାରୁ, ଥାନାରେ କୌଣସି ଅଭିଯୋଗ ହୋଇନି। ଯୁବତୀଙ୍କ ଭାଇ ଏ ସମ୍ପର୍କରେ ଆନନ୍ଦପୁର କୋର୍ଟରେ ମାମଲା ଦାଏର କରିଛନ୍ତି। କୋର୍ଟଙ୍କ ନିର୍ଦେଶକ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର