ଲୋକାୟୁକ୍ତଙ୍କ ତାଗିଦ୍‌ ପରେ ତଦନ୍ତ: ୩ ବର୍ଷ ହେଲା ଆଦାୟ ହୋଇନି ୨.୬୦କୋଟି

ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥରର କଳାକାରବାର ନେଇ ଜରିମାନା ହେଉଛି। ହେଲେ, ବ୍ୟବସାୟୀଙ୍କଠାରୁ ଜରିମାନା ଅର୍ଥ ଆଦାୟ କରିବା ଭୁଲିଯାଉଛି ପ୍ରଶାସନ। ଆରୁହା ପାହାଡ଼ରୁ ପଥର ଚୋରାଚାଲାଣ କରିଥିବା ପ୍ରଭାକର ଜେନାଙ୍କଠାରୁ ୨କୋଟି ୬୦ଲକ୍ଷ ଟଙ୍କା ଜରିମାନା ୩ବର୍ଷ ହେଲା ଆଦାୟ ହୋଇନି। ଲୋକାୟୁକ୍ତ ଗତ ୨୭ତାରିଖରେ ଶୁଣାଣିକରି ଏହି ମାମଲାରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ କଡ଼ା ତାଗିଦ୍‌ କରିଥିଲେ। ଯାହାଫଳରେ ୩ବର୍ଷ ପରେ ପୁଣି ତହସିଲଦାର ଶ୍ରୀ ଦାସ ଓ ତାଙ୍କ ଟିମ୍ ଆରୁହା ପାହାଡ଼ରେ ଆଜି ପହଞ୍ଚି ପ୍ରଭାକର ଜେନାଙ୍କ ଖାଦାନର ତଦନ୍ତ କରିଛନ୍ତି।

ଆରୁହା ପାହାଡ଼ର ନାନପୁର ପାର୍ଶ୍ବରେ ଖାତା ନମ୍ବର ୭୭୯ ଓ ପ୍ଲଟ୍ ୨୮୧୦ କୁ ପ୍ରଭାକର ଜେନା ବେଆଇନ ଭାବେ ନିଜ କବ୍‌ଜାକୁ ନେଇ ବାଡ଼ବନ୍ଦି କରିଥିଲେ। ବେଆଇନ ଖାଦାନ ଖନନ ସହ ନିଜର କ୍ରସର ବସାଇ କଳାପଥର ପଥର କାରବାର କରୁଥିଲେ। ଏହି ଚୋରା କାରବାର ସମ୍ପର୍କରେ ଆରୁହାର ମନୋରଞ୍ଜନ ଜେନା ୨୦୧୯ ଫେବ୍ରୁଆରି ୨୫ ତାରିଖରେ ଧର୍ମଶାଳାର ତତ୍କାଳୀନ ତହସିଲଦାର ସରୋଜ ପଣ୍ଡା ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ତହସିଲଦାର ଶ୍ରୀ ପଣ୍ଡା ଆର୍‌ଆଇଙ୍କ ରିପୋର୍ଟକୁ ଭିତ୍ତିକରି ଧର୍ମଶାଳା ଥାନାରେ ୨୦୧୯ ଫେବ୍ରୁଆରି ୨୮ତାରିଖରେ ଏତଲା କରିଥିଲେ। ଏତଲାର ୪ମାସ ପରେ ଜୁଲାଇ ୩ ତାରିଖରେ ଧର୍ମଶାଳା ପୁଲିସ ଅଭିଯୁକ୍ତ ପ୍ରଭାକର ଜେନାଙ୍କୁ ଗିରଫ କରିବା ସହିତ ତାଙ୍କ ବେଆଇନ କ୍ରସରକୁ ସିଲ୍ କରିଥିଲା। ଏହି ଘଟଣାରେ ପୁଲିସ ଓ ତହସିଲ ମିଳିତ ତଦନ୍ତ କରି ୨ଲକ୍ଷ ଘନମିଟର(ସିଏମ) କଳାପଥର ଚୋରାଚାଲାଣ ହୋଇଥିବାର ଆକଳନ କରିଥିଲେ। ଜରିମାନା ବାବଦକୁ ୨କୋଟି ୬୦ଲକ୍ଷ ଟଙ୍କା ଶ୍ରୀ ଜେନାଙ୍କ ଉପରେ ଧାର୍ଯ୍ୟ କରାଯାଇଥିଲା। ଆଜିପର୍ଯ୍ୟନ୍ତ ଏହି ଜରିମାନା ଆଦାୟ ହୋଇନାହିଁ। ପ୍ରଶାସନର ଏଭଳି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଅଭିଯୋଗକାରୀ ମନୋରଞ୍ଜନ ଜେନା ଲୋକାୟୁକ୍ତରେ ଆବେଦନ କରିଥିଲେ। ଗତ ୨୭ତାରିଖରେ ଏହାର ଶୁଣାଣି ହୋଇଥିଲା। ଜରିମାନା ଆଦାୟରେ ତହସିଲର ଏପରି ଦାୟିତ୍ବହୀନତା ପାଇଁ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ ‌ଶୁଣାଣି ‌ବେଳେ ଉପସ୍ଥିତ ଥିବା ତହସିଲଦାର ଶ୍ରୀ ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨୫ତାରିଖରେ ‌ଏହି ମାମଲାର ପରବର୍ତ୍ତୀ ଶୁଣାଣି ଲୋକାୟୁକ୍ତରେ ଅଛି। ଫଳରେ ଆଜି ତହସିଲଦାର ଶ୍ରୀ ଦାସଙ୍କ ସହିତ ତଦନ୍ତକାରୀ ଦଳ ଆରୁହା ପାହାଡ଼ରେ ପହଞ୍ଚି ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର