ମାସ୍କ ନ ପିନ୍ଧିଲେ ଦଣ୍ଡ: ଦୁଇଗୁଣା ହେଲା ଜରିମାନା, ଏଣିକି ୨ ହଜାର ଟଙ୍କା

ଏଥର ବିନା ଲକ୍‌ଡାଉନ୍‌ରେ କରୋନା ମୁକାବିଲା
ମା’ମାନେ ଘରେ ଜଗନ୍ତୁ, ସରକାର ବାହାର ଜଗିବେ
ଆରମ୍ଭ ହେଲା ୧୪ଦିନିଆ ମାସ୍କ ପିନ୍ଧା ଅଭିଯାନ
ଟିକା ନେଇଥିଲେ ମଧ୍ୟ ମାସ୍କ ପିନ୍ଧିବାକୁ ହେବ

ଭୁବନେଶ୍ବର : ‘‘ଆମେ ଯଦି କୋଭିଡ୍ ନିୟମ ମାନିବା, ମାସ୍କ ଠିକ୍ ଭାବେ ପିନ୍ଧିବା ତେବେ ବିନା ଲକ୍‌ଡାଉନରେ କରୋନା ସଂକ୍ରମଣକୁ ରୋକିପାରିବା।’’ ଏମିତି ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଜାରି କରିଛନ୍ତି। କହିଛନ୍ତି ଯେ ଆଜିଠାରୁ ଚଉଦ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଆରମ୍ଭ ହେବ। ସମସ୍ତେ ସଂକଳ୍ପ ନେଇ ମାସ୍କ ପିନ୍ଧିବେ; ବେକରେ ଝୁଲାଇକରି ନୁହେଁ। ପୂରା ନାକ ଓ ମୁହଁକୁ ବନ୍ଦ କରି ପିନ୍ଧିବାକୁ ହେବ। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ଏମିତି ହେଲେ ଯାଇ କରୋନାକୁ ଜିତିପାରିବା।

ପୂର୍ବଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ମା’ ମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି। କହିଛନ୍ତି ଯେ ସରକାର ବାହାରେ ଜଗିଛନ୍ତି, ମା’ମାନେ ଘରେ ଜଗନ୍ତୁ। ବିଶେଷକରି ପରିବାରର ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍ ଭାବରେ ମାସ୍କ ପିନ୍ଧିବେ ସେଥିପାଇଁ ମା’ ମାନେ ଧ୍ୟାନ ଦେବାକୁ ହେବ। ମା’ ମାନେ ସତର୍କ ହେଲେ କରୋନା କେବେ ବି ଘରକୁ ଆସିପାରିବ ନାହିଁ। କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକ୍‌ଡାଉନ୍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ? ଏମିତି ପ୍ରଶ୍ନ ପଚାରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମାସ୍କ ଠିକ୍ ଭାବେ ନ ପିନ୍ଧି ବାହାରକୁ ଆସୁଥିବା ଲୋକଙ୍କଠାରୁ ଜରିମାନା ନିଶ୍ଚୟ ଆଦାୟ କରାଯିବ। ଏଥିଲାଗି ପୁଲିସ ଓ ପ୍ରଶାସନକୁ ସେ ନିର୍ଦେଶ ଦେଇଛନ୍ତି। ମାସ୍କ ନ ପିନ୍ଧିଲେ ଏବେ ଦୁଇଗୁଣା ଜରିମାନା ଆଦାୟ କରାଯିବ। ମାସ୍କ ହିଁ ବର୍ତ୍ତମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ। ଏତେ ସବୁ ହେଲେ ଯାଇ ବିନା ଲକ୍‌ଡାଉନ୍‌ରେ ଆମେ କରୋନାକୁ ରୋକିପାରିବା। ଲକ୍‌ଡାଉନ୍‌ର ନକାରାତ୍ମକ ପ୍ରଭାବକୁ ପ୍ରତିହତ କରିପାରିବା।

ଯଦି ଓଡ଼ିଶାବାସୀ ଚାହୁଁଛନ୍ତି ଯେ ରୋଜଗାର ବନ୍ଦ ନ ହେଉ, ଜୀବିକା ଠିକ୍ ଭାବେ ଚାଲୁ, ତେବେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ।

ରାଜ୍ୟରେ ଏବେ କରୋନାର ଦ୍ବିତୀୟ ଲହର ଚାଲିଛି। କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆରମ୍ଭ ହୋଇଯାଇଛି। ଆଗକୁ କରୋନାର କେତେ ଲହର ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହାନ୍ତି। ଏଣୁ ଆମେ ଆମ ଜୀବନଶୈଳୀରେ ଯଦି ଗୋଟିଏ ଛୋଟିଆ ପରିବର୍ତ୍ତନ ଆଣିପାରିବା, ମାସ୍କ୍‌କୁ ସାଥୀ କରିପାରିବା, ତେବେ ବିନା ଲକ୍‌ଡାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା। ଓଡ଼ିଶାବାସୀଙ୍କ ସହଯୋଗ ଏ ଯୁଦ୍ଧରେ ଆମକୁ ବିଜୟୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକବର୍ଷ ଧରି ସାରା ବିଶ୍ବ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି। ମାନବ ଇତିହାସରେ ଏଭଳି ସଙ୍କଟ ନିକଟ ଅତୀତରେ କେବେ ବି ଆସିନଥିଲା। କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନ ସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ସେବା ଯୋଗୁଁ ଅନେକ ଜୀବନ ରକ୍ଷା ହୋଇପାରିଥିଲା। ଓଡ଼ିଶାର ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା। ସେବେ ସରକାର କଠୋର ପଦକ୍ଷେପ ନେଇ ବାରମ୍ବାର ଲକ୍‌ଡାଉନ୍ ଏବଂ ସଟ୍‌ ଡାଉନ୍ କରିଥିଲେ। ଏହାଦ୍ବାରା ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ବାଣିଜ୍ୟ ବ୍ୟବସାୟରେ ବଡ଼ କ୍ଷତି ହୋଇଥିଲା। ଗରିବ ଲୋକଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଥିଲା। ସାମାଜିକ ଜୀବନ ବି ପ୍ରଭାବିତ ହୋଇଥିଲା। ଏବେ ଦ୍ବିତୀୟ ସଂକ୍ରମଣ ଆରମ୍ଭରୁ ଅନେକ ରାଜ୍ୟରେ ଲକ୍‌ଡାଉନ୍, ସଟ୍‌ଡାଉନ୍, ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। ଏହା ବହୁତ ଶୀଘ୍ର ବ୍ୟାପୁଛି। ହେଲେ ଯଦି କୋଭିଡ୍ ନିୟମ ମାନିବା, େତବେ କରୋନାର ଏ ଦ୍ରୁତ ସଂକ୍ରମଣକୁ ରୋକିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାର ମାସ୍କ ବ୍ୟବହାର ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଗଣିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପୂର୍ବ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ନୂତନ ନିୟମ ଆଜିଠାରୁ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଥିଲେ, ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା ଦେବାକୁ ହେବ। ଏହାର କିଛି ସମୟ ପରେ ରାଜ୍ୟ ସରକାର ଜରିମାନାକୁ ବୃଦ୍ଧି କରିଛନ୍ତି। ଗତବର୍ଷ ରାଜ୍ୟ ସରକାର ଓଡ଼ିଶା କୋଭିଡ୍‌-୧୯(ଚତୁର୍ଥ) ନିୟମାବଳୀ ୨୦୨୦ ଲାଗୁ କରିଥିଲେ। ଏଥିରେ ମାସ୍କ ପିନ୍ଧିବାରେ ଉଲ୍ଲଂଘନ କଲେ ପ୍ରଥମ ଓ ଦ୍ବିତୀୟଥର ପାଇଁ ୧ ହାଜର ଓ ପରବର୍ତୀ ସମୟ ପାଇଁ ୫ ହଜାର ଟଙ୍କା ଜରିମାନା ରହିଥିଲା। ମାତ୍ର ଓଡ଼ିଶା କୋଭିଡ୍‌-୧୯(ପଞ୍ଚମ) ନିୟମାବଳୀ ୨୦୨୦ ଅନୁସାରେ ପ୍ରଥମ ଓ ଦ୍ବିତୀୟଥର ଉଲ୍ଲଂଘନ ପାଇଁ ୨ହଜାର ଓ ପରବର୍ତ୍ତୀ ସମୟ ପାଇଁ ୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର