ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ବିଜ୍ଞାପିତ ପରିଷଦ ପ୍ରଶାସନିକ ଅଧିକାରୀ ବେଦ ଭୂଷଣ। ତାଙ୍କ ନେତୃତ୍ୱରେ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ଏହି କ୍ରମରେ ଉକ୍ତ ଟିମ୍ ଧର୍ମଗଡ଼ ସହରର ବହୁ ଦୋକାନରେ ବୁଧବାର ସନ୍ଧ୍ୟାରେ ଚଢ଼ଉ କରିଛି। ଏହି ଚଢ଼ଉରେ ୬୮୫ କେଜି ପଲିଥିନ ଜବତ କରାଯିବା ସହ ମୋଟ ୭୭ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

Advertisment

ଉକ୍ତ ଟିମ୍‌ରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା, ସହଯୋଗୀ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକଙ୍କ ସମେତ ଧର୍ମଗଡ଼ ଏନ୍‌ଏସି କର୍ମଚାରୀ ସାମିଲ ହୋଇଥିଲେ। ତେବେ ଧର୍ମଗଡ଼ ସହରକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ଉପଜିଲ୍ଲାପାଳ ବେଦ ଭୂଷଣ ସମସ୍ତ ଦୋକାନୀ ଓ ଉଠା ଦୋକାନୀଙ୍କୁ ନିବେଦନ କରିଛନ୍ତି। ତେବେ ଆସନ୍ତା ରବିବାର ପରେ ଯେଉଁ ଦୋକାନୀ ପଲିଥିନ ବ୍ୟବହାର କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଗତକାଲିର ଚଢ଼ଉ ପରେ ଦୋକାନୀମାନେ ପଲିଥିନ୍‌ର ବ୍ୟବହାର ବନ୍ଦ କରିଥିବା ବେଳେ ଗ୍ରାହକଙ୍କୁ ଘରୁ ବ୍ୟାଗ୍‌ ଆଣି ଆସିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି।