ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (କୋଟ୍‌ପା)ରେ ସର୍ବସାଧାରଣ ସ୍ଥାନରେ ଧୂମପାନ, ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଓ ୧୮ବର୍ଷରୁ କମ୍ ବୟସର ପିଲା ଧୂମପାନ କରୁଥିଲେ ଏଥିପାଇଁ ୨ଶହ ଟଙ୍କା ଜରିମାନା ରହିଛି। ମାତ୍ର ରାଜ୍ୟ ସରକାର ଏହାକୁ ଆହୁରି କଠୋର ଭାବେ ଅନୁପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଧୂମପାନ ଆଗକୁ ମହଙ୍ଗା ପଡ଼ିପାରେ। କୋଟ୍‌ପା ଆଇନ ଉଲ୍ଲଘଂନ ପାଇଁ ଥିବା ଜରିମାନା ରାଶି ବଢ଼ାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏହି ରାଶିର ପରିମାଣ ୫ଶହରୁ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଏଥିପାଇଁ ଆଇନ, ପୁଲିସ ବିଭାଗର ସହାୟତାରେ ଏକ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। କେଉଁ ଢଙ୍ଗରେ ଏହି ଜରିମାନା ବୃଦ୍ଧିକୁ କାର୍ଯ୍ୟକାରୀ କରାଯିବ ଏହି କମିଟି ସେ ସଂକ୍ରାନ୍ତ ପ୍ରସ୍ତାବ ଦେବ।

Advertisment

କୋଟ୍‌ପା ଏକ କେନ୍ଦ୍ରୀୟ ଆଇନ। ଏଥିରେ ରାଜ୍ୟ ସରକାର କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ। ମାତ୍ର କୋଟ୍‌ପାକୁ ଆଧାର କରି ରାଜ୍ୟ ସରକାର ନିଜସ୍ବ ଏକ ସଂଶୋଧିତ ଆଇନ ଆଣି‌ବା ଲାଗି ପ୍ରସ୍ତୁତ ହେଉଛନ୍ତି। ଦେଶର କେଉଁ କେଉଁ ରାଜ୍ୟ ସରକାର ଏଭଳି ସଂଶୋଧିତ ଆଇନ ପ୍ରଣୟନ କରିଛନ୍ତି ତାହା ଉପରେ ବିଶ୍ଳେଷଣ ଆରମ୍ଭ ହୋଇଛି। କଟକରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଜନସ୍ବାସ୍ଥ୍ୟ ଆଇନ ସଂପର୍କିତ ପାଠ୍ୟକ୍ରମ ରହିଛି। ତେଣୁ ଏହି ପାଠ୍ୟକ୍ରମର ବିଶେଷଜ୍ଞମାନଙ୍କୁ କମିଟିରେ ସାମିଲ କରିବା ଲାଗି ନିକଟରେ ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ ଗଠିତ ୱାର୍କିଂ ଗ୍ରୁପ୍‌ର ବୈଠକରେ ଆଲୋଚନା କରାଯାଇଛି।

publive-image

ତମାଖୁ ସେବନକୁ ନେଇ ହୋଇଥିବା ୩ଟି ବିଭିନ୍ନ ସର୍ଭେରେ ରାଜ୍ୟର ସ୍ଥିତି ଚିନ୍ତାଜନକ ରହିଛି। ୨୦୦୯-୧୦ରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ସର୍ଭେ(ଜିଏଟିଏସ୍‌)ରେ ରାଜ୍ୟରେ ୪୬.୨ ପ୍ରତିଶତ ଏହି ବର୍ଗର ଲୋକ ତମାଖୁ ବ୍ୟବହାର କରୁଥିବା ବେଳେ ୨୦୧୬-୧୭ରେ ଏହା ସାମାନ୍ୟ ହ୍ରାସ ପାଇ ୪୫.୬ ପ୍ରତିଶତରେ ପହଞ୍ଚିଥିଲା। ପ୍ରଥମ ଜିଏଟିଏସ୍‌ ସର୍ଭେରେ ଧୂମପାନ ୧୦.୩ ପ୍ରତିଶତ ଥିବା ବେଳେ ଦ୍ବିତୀୟ ସର୍ଭେରେ ଏହା ୭କୁ ଖସି ଆସିଥିଲା। ମାତ୍ର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌ରେ ତମାଖୁ ସେବନର ଚିତ୍ର ମଧ୍ୟ ଉଦ୍‌ବେଗଜନକ ରହିଛି। ୨୦୦୫-୦୬ରେ ଆସିଥିବା ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୬୮.୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୫୫.୯ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୫୧.୬ ପ୍ରତିଶତକୁ ଖସି ଆସିଛି।

ହେଲେ ମହିଳାଙ୍କ କ୍ଷେତ୍ରରେ ଏହି ହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୩୧.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ବେଳେ ଏନ୍‌ଏଫଏଚ୍‌ଏସ୍‌-୪‌ରେ ୧୭.୩ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୨୬ ପ୍ରତିଶତରେ ପହଞ୍ଚିଛି। ଯଦି ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍‌)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨ % ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ଏଥିରେ କେବଳ ଧୂମପାନ କରୁଥିବା ଯୁବକଙ୍କ ହାର ୫.୩ ପ୍ରତିଶତ ଥିବା ବେଳେ ଯୁବତୀଙ୍କ ହାର ରହିଛି ୩.୯ ପ୍ରତିଶତ।

publive-image Patrika

ତମାଖୁ ସେବନକୁ ତୃଣମୂଳସ୍ତରରେ ହ୍ରାସ କରିବା ପାଇଁ ପ୍ରତି ଜିଲ୍ଲାରେ ‘ତମାଖୁମୁକ୍ତ ଗାଁ’ ପାଇଁ ଯୋଜନା ସଂପର୍କରେ କେନ୍ଦ୍ର ସରକାର ଏକ ନିର୍ଦେଶାବଳୀ ଜାରି କରିଥିଲେ। ‌ଏହାକୁ ଭିତ୍ତିକରି ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ୯୦-୧୦୦ଟି ଗାଁକୁ ‘ତମାଖୁମୁକ୍ତ ଗାଁ’ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସର୍ବସାଧାରଣ ସ୍ଥାନରେ ଧୂମପାନ, ତମାଖୁ ଇତ୍ୟାଦିର ବ୍ୟବହାରକୁ ରୋକାଯିବ। ପୂର୍ବରୁ ନିର୍ମଳ ଗାଁ ଓ ବାହ୍ୟ ମଳମୁକ୍ତ ଗାଁ ଭଳି ଯୋଜନାରେ ଭଲ ପ୍ରଦର୍ଶନ କରିଥିବା ଗାଁମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସାମିଲ ଲାଗି ଆଲୋଚନା ହୋଇଛି। ପଞ୍ଚାୟତିରାଜ ବିଭାଗ ଏହାର ପରିଚାଳନା କରିବ। ନିକଟରେ ସରପଞ୍ଚ ଓ ୱାର୍ଡ ମେମ୍ବରମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନିକଟରେ ହୋଇଥିବା ବୈଠକରେ ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ସାମିଲ ହୋଇଥିଲା। ତମାଖୁ ନିୟନ୍ତ୍ରଣ ନେଇ ବିଭିନ୍ନ ବିଭାଗମାନେ ନିଜ ନିଜର ପ୍ରସ୍ତାବ ଦେଇଛନ୍ତି। ତେବେ ତମାଖୁମୁକ୍ତ ଗାଁ ପାଇଁ ପଞ୍ଚାୟତିରାଜ ବିଭାଗ ଏହାର ପରିଚାଳନା କରିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ବିଦ୍ୟାଳୟ, ସର୍ବସାଧାରଣ ସ୍ଥାନରେ ଧୂମପାନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜାରି ରହିଛି। ତେବେ ତୃଣମୂଳସ୍ତରରେ ପରିବର୍ତ୍ତନ ହେଲେ ଏହାର ଏକ ଦୀର୍ଘସ୍ଥାୟୀ ପ୍ରଭାବ ମିଳୁନାହିଁ। ତେଣୁ ତମାଖୁମୁକ୍ତ ଗାଁ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ରାଜ୍ୟରେ ପ୍ରତିବର୍ଷ ୬୦ହଜାର ଲୋକ ବିଭିନ୍ନ ପ୍ରକାର ତମାଖୁ ସେବନରୁ ବିରତ ହେଉଛନ୍ତି। ଏହାସହ ତମାଖୁର ପ୍ରବର୍ତ୍ତନ ବା ଏନ୍‌ଫୋର୍ସମେଣ୍ଟରେ ମଧ୍ୟ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଗୁଟ୍‌ଖା ଓ ଅନ୍ୟ ପାନ ମସଲାର ବ୍ୟବହାରକୁ ହ୍ରାସ କରିବା ଲାଗି ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟକୁ ମଧ୍ୟ ସାମିଲ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।