‘ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ କାର୍ଯ୍ୟପନ୍ଥା ଚୂଡ଼ାନ୍ତ ହେବ’

ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ ହେବ ଜରିମାନା ଅର୍ଥ

ଭୁବନେଶ୍ୱର : ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଖଣି ମାଲିକମାନଙ୍କଠାରୁ ୮୨୯୦ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି। ଏହି ଜରିମାନା ରାଶି ଜମା ହୋଇଛି ଓଡ଼ିଶା ଖଣିଜ ସଂପଦ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି) ପାଣ୍ଠିରେ। ଏହି ଜମା ରାଶି ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଖର୍ଚ ହେବ। ଏ ନେଇ ଆଗାମୀ ୩/୪ ଦିନ ଭିତରେ ବିଭିନ୍ନ ବିଭାଗ ନିର୍ଦିଷ୍ଟ ଲକ୍ଷ୍ୟ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି। ତେବେ ଆଗାମୀ ୧୭ ତାରିଖରେ ଜରିମାନା ସ୍ଥିତି ଏବଂ ଏହାର ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟପନ୍ଥା ସଂପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ହେବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ କାର୍ଯ୍ୟପନ୍ଥା ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓମ୍‌ବାଡ୍‌ସି ସମୀକ୍ଷା ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ପାଣ୍ଠି ବିନିଯୋଗ ନିମନ୍ତେ ଖଣି ପ୍ରଭାବିତ ୮ଟି ଜିଲ୍ଲା ଯଥା: ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ଼ର ୩୦ଟି ବ୍ଲକ ଅନ୍ତର୍ଗତ ୬୯୧ ଗ୍ରାମକୁ ଚିହ୍ନଟ କରାଯାଇଛି। ଏ ସବୁ ଗ୍ରାମରେ ପକ୍କାଘର, ପିଇବାପାଣି, ସାମାଜିକ ବନୀକରଣ, କୌଶଳ ବିକାଶ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେବେ ନୂତନ ଜୀବିକାର୍ଜନ ପନ୍ଥା, ରୋଜଗାର ଦକ୍ଷତା ବୃଦ୍ଧି, ଜଳସେଚନ ସୁବିଧା, କୃଷିର ବିକାଶ ଏବଂ କୃଷକଙ୍କର ଆୟ ବୃଦ୍ଧି, ସ୍ୱାସ୍ଥ୍ୟସେବା, ପୁଷ୍ଟି ସାଧନ, ମାତୃ ଏବଂ ଶିଶୁ ମୃତ୍ୟୁ ହାର ହ୍ରାସ, ପ୍ରାକୃତିକ ପରିବେଶର ବିକାଶ ଆଦି କାର୍ଯ୍ୟକ୍ରମ କରାଯିବ ଲାଗି ସ୍ଥିର ହୋଇଥିଲା।

ଓମ୍‌ବାଡ୍‌ ନିଗମ ନିର୍ଦେଶିକା ଉମା ନନ୍ଦୁରୀ ଚିହ୍ନଟ ଗ୍ରାମଗୁଡ଼ିକରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ, ଇସ୍ପାତ ଓ ଖଣି, ଜଳସଂପଦ, ସାଧାରଣ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିଭାଗ ସଚିବ, ଓମ୍‌ବାଡ୍‌ସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବାଷ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର